Latest Odisha News

BREAKING NEWS

ବିରୋଧୀଙ୍କ ଟାର୍ଗେଟରେ ‘ପଛ ଦୁଆର’ ନିଯୁକ୍ତି

ନୂଆଦିଲ୍ଲୀ: ଲେଟରଲ୍ ଏଂଟ୍ରି ଜରିଆରେ ୪୫ଟି ସରକାରୀ ପଦବୀ ପୂରଣ ପାଇଁ ୟୁପିଏସସିର ବିଜ୍ଞାପନ ନେଇ ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲେଟେରଲ ପ୍ରସଙ୍ଗରେ ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ୪୫ଟି ବିଶେଷଜ୍ଞ ପଦବୀ ପୂରଣ ପାଇଁ ଲେଟରଲ ଏଂଟ୍ରିର ସହାୟତା ନେଇଥିବାରୁ ଏସସି, ଏସଟି ଏବଂ ଓବିସି ବର୍ଗଙ୍କଠାରୁ ସଂରକ୍ଷଣ ଅଧିକାର ଛଡାଇ ନିଆଯାଉଛି । ଏଭଳି ଅଭିଯୋଗ ଆଣିଛନ୍ତି ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ। ଲେଟରଲ ଏଂଟ୍ରି ଜରିଆରେ ବିଭିନ୍ନ ଉଚ୍ଚ ପଦପଦବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ପ୍ରଶାସନିକ ଢାଞ୍ଚା ଓ ସାମାଜିକ ନ୍ୟାୟ ଉପରେ ଏକ ପ୍ରକାର ପ୍ରହାର ବୋଲି କହିଛନ୍ତି ରାହୁଲ । ସରକାରଙ୍କ ଏଭଳି ଦେଶବିରୋଧୀ ପଦକ୍ଷେପକୁ ଇଣ୍ଡି ବ୍ଲକ୍ ଜୋରଦାର ବିରୋଧ କରିବ ବୋଲି କହିଛନ୍ତି ରାହୁଲ।

ରାହୁଲଙ୍କ ଶାଣିତ ଆକ୍ରମଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଘ ଲୋକସେବା ଆୟୋଗ ଜାଗାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଜରିଆରେ ଲୋକସେବକଙ୍କୁ ଭର୍ତ୍ତି କରି ସମ୍ବିଧାନକୁ ଉପେକ୍ଷା କରିଛନ୍ତି ବୋଲି ଶାଣିତ ଆକ୍ରମଣ କରିଛନ୍ତି ରାହୁଲ । ଟପ୍ ବ୍ୟୁରୋକ୍ରାସୀ ସମେତ ଦେଶର ସବୁ ଉଚ୍ଚ ପଦରେ ଏସସି, ଏସଟି ଓ ଓବିସି ବର୍ଗଙ୍କ ଉପଯୁକ୍ତ ପ୍ରତିନିଧିତ୍ୱ ନାହିଁ । ଏହା ସେ ବାରମ୍ବାର କହିଆସୁଛନ୍ତି ବୋଲି କହିଛନ୍ତି ରାହୁଲ । କିଛି କର୍ପୋରେଟଙ୍କ ପ୍ରତିନିଧି ନିର୍ଣ୍ଣାୟକ ସରକାରୀ ପଦରେ ବସି କଣ ସବୁ କାରନାମା କରିଛନ୍ତି, ତାହାର ଜ୍ୱଳନ୍ତ ଉଦାହରଣ ସେବି ବୋଲି କହିଛନ୍ତି ରାହୁଲ୍।

ସମ୍ବିଧାନର ଉପହାସ କରିଛନ୍ତି ମୋଦି

ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ବି ଲେଟରଲ ଏଂଟ୍ରି ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି । ଲାଲୁ କହିଛନ୍ତି ଯେ, ଲେଟରଲ ଏଂଟ୍ରି ଜରିଆରେ ଉଚ୍ଚ ସରକାରୀ ପଦପଦବୀ ପୂରଣ କରିବାକୁ ଚାହିଁ ବାବା ସାହେବଙ୍କ ସମ୍ବିଧାନ ଓ ସଂରକ୍ଷଣକୁ ଉପହାସ କରିଛନ୍ତି ନରେନ୍ଦ୍ର ମୋଦି । ଏହା ବିଜେପି ସରକାରଙ୍କ ନାଗପୁରିଆ ମଡେଲ୍ ବୋଲି କହି ତାତ୍ସଲ୍ୟ କରିଛନ୍ତି।

ମାୟା ଓ ଅଖିଳେଶଙ୍କ ବି ଜୋରଦାର ବିରୋଧ

ଲେଟରଲ ଏଂଟ୍ରିକୁ ଜୋରଦାର ବିରୋଧ କରିଛନ୍ତି ବିସଏସପି ସୁପ୍ରିମୋ ମାୟାବତୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ । ବିଜେପି ନିଜ ବିଚାରଧାରା ରଖୁଥିବା ସାଙ୍ଗସାଥୀମାନଙ୍କୁ ପଛ ଦୁଆର ପଟୁ ୟୁପିଏସସିର ଉଚ୍ଚ ସରକାରୀ ପଦରେ ବସାଇବାକୁ ଷଡଯନ୍ତ୍ର କରୁଛି । ଏହା ବିରୋଧରେ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଖିଳେଶ ।

ମାୟାବତୀ ସରକାରଙ୍କ ପଦକ୍ଷେପକୁ ଭୁଲ୍ ବୋଲି କହିଛନ୍ତି । ୪୫ଟି ସରକାରୀ ଉଚ୍ଚ ପଦପଦବୀ ପାଇଁ ଲେଟରଲ ଏଂଟ୍ରି ଜରିଆରେ ନିଯୁକ୍ତି ଦ୍ୱାରା ଅଧସ୍ଥନ କର୍ମଚାରୀମାନେ ପଦୋନ୍ନତିରୁ ବଂଚିତ ହେବେ ବୋଲି ମାୟାବତୀ କହିଛନ୍ତି।

ଲୋକସେବା ଆୟୋଗ ଦେଇଥିଲା ବିଜ୍ଞାପନ

କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଯୁଗ୍ମ ସଚିବ, ନିର୍ଦ୍ଦେଶକ ଓ ଉପସଚିବ ପରି ପ୍ରମୁଖ ପଦରେ ଖୁବ୍ ଶୀଘ୍ର ୪୫ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯିବ । ସାଧାରଣତଃ ଏସବୁ ପଦରେ ଆଇଏଏସ, ଆଇପିଏସ ଓ ଆଇଏଫଏସ୍ ଏବଂ ଅନ୍ୟ ଗ୍ରୁପ୍ ଏ ସେବାର ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଏ । ୟୁପିଏସସି ୪୫ଟି ସରକାରୀ ଉଚ୍ଚ ପଦପଦବୀ ଚୁକ୍ତି ଭିତ୍ତିରେ ଲେଟରଲ ଏଂଟ୍ରି ଜରିଆରେ ପୂରଣ କରିବା ପାଇଁ ବିଜ୍ଞାପନ ବାହାର କରିଛି।

Comments are closed.