Latest Odisha News

BREAKING NEWS

ମୃତ ସୌମ୍ୟାଶ୍ରୀଙ୍କ ପିତାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ

ଭୁବନେଶ୍ବର: ବାଲେଶ୍ବର ଏଫଏମ କଲେଜ ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ସୌମ୍ୟାଶ୍ରୀଙ୍କ ପିତାଙ୍କ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଥିଲେ । ଏନେଇ ନିଜ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ରାହୁଲ । ଯୌନ ନିର୍ଯାତନା ସହିଥିବା ଆତ୍ମଦାହୀ ସୌମ୍ୟାଶ୍ରୀଙ୍କର ସୋମବାର ବିଳମ୍ବିତ ରାତିରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଏନେଇ ରାହୁଲ ନିଜ ଏକ୍ସରେ ଲେଖିଛନ୍ତି, ଓଡ଼ିଶାର ବାଲେଶ୍ବରରେ ନ୍ୟାୟ ପାଇଁ ଲଢ଼ି ପ୍ରାଣ ହରାଇଥିବା ସାହସୀ ଝିଅର ପିତାଙ୍କ ସହ କଥା ହେଲି । ତାଙ୍କ କଣ୍ଠରେ ଝିଅର ଯନ୍ତ୍ରଣା, ସ୍ୱପ୍ନ ଏବଂ ସଂଘର୍ଷ ଅନୁଭବ କଲି । ତାଙ୍କୁ ଆଶ୍ୱସ୍ତ କଲି ଯେ କଂଗ୍ରେସ ଦଳ ଏବଂ ମୁଁ ପ୍ରତ୍ୟେକ ପଦକ୍ଷେପରେ ତାଙ୍କ ସହିତ ଅଛୁ । ଯାହା ଘଟିଛି ତାହା କେବଳ ଅମାନବୀୟ ଏବଂ ଲଜ୍ଜାଜନକ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ କ୍ଷତ । ଆମେ ଯେକୌଣସି ମୂଲ୍ୟରେ ନିଶ୍ଚିତ କରିବୁ ଯେ ପୀଡିତାଙ୍କ ପରିବାର ସମ୍ପୂର୍ଣ୍ଣ ନ୍ୟାୟ ପାଆନ୍ତି ।

ସେପଟେ ସୌମ୍ୟାଶ୍ରୀଙ୍କ ଘଟଣାକୁ ନେଇ ଏବେ ରାଜନୀତି ତେଜିଛି । ସରକାର ବିରୋଧୀ ପରସ୍ପର ଉପରକୁ କାଦୁଆଫିଙ୍ଗା ଆରମ୍ଭ କରିଦେଇଛନ୍ତି । ଆଜି ବିଜେଡି ସୌମ୍ୟାଶ୍ରୀଙ୍କୁ ମୃତ୍ୟୁକୁ ବିରୋଧ କରି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଇଛି । ଏଥିସହିତ ଲୋକସେବା ଘେରାଉ କରିବାକୁ ମଧ୍ୟ ଯାଉଛି ବିଜେଡି । ସେପଟେ କଂଗ୍ରେସ ବି ଆସନ୍ତାକାଲି ଓଡିଶା ବନ୍ଦ ଡାକରା ଦେଇଛି ।

ତେବେ କହିରଖୁଛୁ, ଗତ ଶନିବାର ବାଲେଶ୍ବର ଏଫ ଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ । ଶିକ୍ଷା ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ସୌମ୍ୟାଶ୍ରୀ । ଏଚଓଡି ତାଙ୍କୁ ଫେଭର ମାଗୁଥିବା ଅଭିଯୋଗ କରିଥିଲେ । ଜୁନ୍ ୩୦ ତାରିଖରେ ଏନେଇ ପ୍ରିନ୍ସସପାଲଙ୍କ ଚାମ୍ବରରେ ଆଲୋଚନା ହୋଇଥିଲା । ହେଲେ ଅଭିଯୋଗକୁ କଲେଜ ପ୍ରଶାସନ ଗୁରୁତର ସହ ନନେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଂସଦ ସମସ୍ତଙ୍କୁ ଟ୍ୟାଗ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଜୁଲାଇ ୨ରେ ଆତ୍ମାହୁତି ଧମକ ବି ଦେଇଥିଲେ । ହେଲେ କିଛି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଜୁଲାଇ ୧୨ରେ ପ୍ରିନ୍ସିପାଲ ଚାମ୍ବର ଆଗରେ ଆତ୍ମାହୁତି ଦେଇଥିଲେ ସୌମ୍ୟାଶ୍ରୀ । ଯେଉଁଥିରେ ତାଙ୍କ ଶରୀରର ୯୫ % ଜଳିଯାଇଥିବା ବେଳେ ତାଙ୍କ ସହପାଠୀ ଉଦ୍ୟମ କରି ତାଙ୍କୁ ରକ୍ଷା କରିଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେହିଦିନ ସନ୍ଧ୍ୟାରେ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ଆଉ ଏମ୍ସ ଆଇସିୟୁରେ ପ୍ରାୟ ୬୦ ଘଣ୍ଟା ଧରି ଜୀବନ ମରଣ ସହ ସଂଘର୍ଷ କରି ଶେଷରେ ହାରିଯାଇଥିଲେ ସୌମ୍ୟାଶ୍ରୀ । ଗତକାଲି ପ୍ରାୟ ରାତି ୧୨ ବେଳକୁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ତେବେ ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜୁଲାଇ ୧୨ ତାରିଖରେ ଏଫଏମ କଲେଜ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷ ଓ ଏଜୁକେସନ୍ ବିଭାଗ ଏଚଓଡି ସମୀର ସାହୁଙ୍କୁ ସସପେଣ୍ଡ କରାଯାଇଥିଲା । ଏହା ପରେ ୧୨ରେ ନିଲମ୍ବିତ ଏଚଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିଲା । ପରେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିଲା । ଗତ ଦୁଇ ଦିନ ଧରି କଲେଜରେ ଉଚ୍ଚସ୍ତରୀୟ କମିଟିର ତଦନ୍ତ ହୋଇଥିଲା । ଏହାପରେ ୧୪ ତାରିଖରେ ଅର୍ଥାତ୍ ଗତକାଲି ନିଲମ୍ବିତ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଛି ।

Comments are closed.