Latest Odisha News

BREAKING NEWS

ଟ୍ରମ୍ପ ୨୯ ଥର କହି ସାରିଲେଣି ଆମେ ଯୁଦ୍ଧ ବନ୍ଦ କରିଛୁ, ଯଦି ମୋଦିଙ୍କ ସାହସ ଅଛି ତେବେ ସେ କୁହନ୍ତୁ ଏହା ମିଛ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ଉପରେ ଆଲୋଚନାରେ ଅଂଶଗ୍ରହଣ କରି ସରକାରଙ୍କୁ ପ୍ରବଳ ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି ‘ଅପରେସନ୍ ସିନ୍ଦୂର’ ବେଳେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ପାକିସ୍ତାନ ସହ ଲଢିବାର ଇଚ୍ଛାଶକ୍ତି ନଥିଲା। ‘ଅପରେସନ୍ ସିନ୍ଦୂର’ ଆରମ୍ଭ ହେବାର ରାତିରେ ହିଁ ମାତ୍ର ୩୦ ମିନିଟ୍‌ରେ ସରିଯାଇଥିଲା। ସେତେବେଳେ ହିଁ ସରକାର ଅସ୍ତ୍ରବିରତି କରିଦେଇଥିଲେ। ସେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର କହୁଛନ୍ତି ଯେ ସେ ଯୁଦ୍ଧବିରତି କଥା କହିବାରୁ ଭାରତ ଅସ୍ତ୍ରବିରତି କରିଥିଲା। ସେ ୨୯ ଥର ଏପରି ସମାନ କଥା କହିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ମୋଦି ଜବାବ ଦେବା ଉଚିତ ଯେ ଟ୍ରମ୍ପ ଏହି କଥା ସମ୍ପୂର୍ଣ୍ଣ ମିଛ କହୁଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି, ସରକାର ପାଇଲଟମାନଙ୍କ ହାତ ବାନ୍ଧି ଦେଇଛନ୍ତି। ବାୟୁସେନାକୁ ସ୍ୱାଧିନତା ଦିଆଯାଇ ନଥିଲା। ଭାରତ କିଛି ଜେଟ୍ ହରାଇଲା। ଏହା ସେନାର ଦୋଷ ନଥିଲା, ଏହି ସରକାରଙ୍କ ଦୋଷ ଥିଲା। ସେମାନେ ପାକିସ୍ତାନର ବାୟୁ ପ୍ରତିରକ୍ଷା ଉପରେ ଆକ୍ରମଣ କରିବାରୁ କାହିଁକି ରୋକିଲେ? ସେନାର ବ୍ୟବହାର ପାଇଁ ଇଚ୍ଛା ଶକ୍ତି ଦରକାର। ଦେଶ ପାଇଁ କାମ କରିବାର ଅଛି ଯଦି ଯବାନଙ୍କୁ ସ୍ବାଧୀନତା ଦେବାକୁ ପଡିଥାଏ। ମୁଁ ରାଜନାଥ ସିଂହଙ୍କ ଭାଷଣ ଶୁଣିଛି। ସେ ‘ଅପରେସନ୍ ସିନ୍ଦୂର’ର ତୁଳନା ୧୯୭୧ ସହ କରିଛନ୍ତି। ସେତେବେଳର ସରକାରଙ୍କ ପାଖରେ ଇଛାଶକ୍ତି ଥିଲା। ଆମେ ଆମେରିକା କଥା ଶୁଣିନଥିଲୁ। ଏକ ଲକ୍ଷ ପାକିସ୍ତାନୀ ସୈନିକ ଆତ୍ମ ସମର୍ପଣ କରିଥିଲେ।

ରାହୁଲ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନିଜ ଭାବମୂର୍ତ୍ତି ପାଇଁ ସୁରକ୍ଷା ବାହିନୀକୁ ବ୍ୟବହାର କରନ୍ତି, ଏହା ଦେଶ ପାଇଁ ବହୁତ ବିପଦପୂର୍ଣ୍ଣ। ଗତକାଲି ସରକାରଙ୍କ ପକ୍ଷରୁ ଚୀନ୍ ବିଷୟରେ କିଛି କୁହାଯାଇ ନଥିଲା। ଯଦି ନରେନ୍ଦ୍ର ମୋଦିଙ୍କ ପାଖରେ ଇନ୍ଦିରା ଗାନ୍ଧୀଙ୍କ ଭଳି ୫୦% ସାହସ ଅଛି, ତେବେ ସେ ଗୃହକୁ କହିବା ଉଚିତ ଯେ ଟ୍ରମ୍ପ ଅସ୍ତ୍ରବିରତି ବିଷୟରେ ମିଛ କହୁଛନ୍ତି। ଟ୍ରମ୍ପ ୨୯ ଥର କହି ସାରିଲେଣି ଆମେ ଯୁଦ୍ଧ ବନ୍ଦ କରିଛୁ। ଯଦି ଦମ୍ ଅଛି ତେବେ ପ୍ରଧାନମନ୍ତ୍ରୀ ଗୃହରେ କୁହନ୍ତୁ, ମୁଁ ମିଛ କହୁଛି। ଯଦି ସତରେ ଦମ୍ ଅଛି ତେବେ ପିଏମ୍‌ ଏହା କହି ଦିଅନ୍ତୁ ଟ୍ରମ୍ପ ମିଛ କହୁଛନ୍ତି।

ବୈଦେଶିକ ମନ୍ତ୍ରୀ ଭାଷଣରେ କହିଛନ୍ତି, ସବୁ ଇସଲାମିକ୍ ଦେଶ ନିନ୍ଦା କରିଛନ୍ତି, କିନ୍ତୁ ଏହା କହି ନାହାନ୍ତି ପହଲଗାମ୍‌ ପରେ ଗୋଟିଏ ବି ଦେଶ ପାକିସ୍ତାନର ନିନ୍ଦା କରିନାହାନ୍ତି। ସବୁ ଦେଶ ଆତଙ୍କବାଦର ନିନ୍ଦା କରିଛନ୍ତି। ରାହୁଲ ଆହୁରି କହିଛନ୍ତି, ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ଅସୀମ ମୁନୀର ପ୍ରୋଟୋକଲ୍ ଭାଙ୍ଗି ଟ୍ରମ୍ପଙ୍କୁ ଭେଟିଲେ। ଟ୍ରମ୍ପଙ୍କ ସହ ଲଞ୍ଚ ବି କଲେ। ଟ୍ରମ୍ପ ଯୁଦ୍ଧ ରୋକିଥିବାରୁ ମୁନୀର ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଭାରତର ବୈଦେଶିକ ମନ୍ତ୍ରୀ କେଉଁଠି ଥିଲେ? ଭାରତର ବୈଦେଶିକ ନୀତି ପାଇଁ ଚୀନ୍ ଓ ପାକିସ୍ତାନର ମେଣ୍ଟ ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ଗତକାଲି ବୈଦେଶିକ ମନ୍ତ୍ରୀ କହୁଥିଲେ ଟୁ ଫ୍ରଣ୍ଟ ଓ୍ବାର ଏବେ ଏକ ପୁରୁଣା କନସେପ୍ଟ । ଚୀନ୍ ସହାୟତାରେ ପାକିସ୍ତାନୀ ବାୟୁସେନାକୁ ରୂପାନ୍ତରିତ କରାଯାଉଛି। ଚୀନ୍ ଏବଂ ପାକିସ୍ତାନର ସେନା ଏକାଠି ହୋଇଯାଇଛନ୍ତି। ପାକିସ୍ତାନୀ ଅଧିକାରୀମାନେ ଚୀନ୍‌ରେ ତାଲିମ ନେଉଛନ୍ତି। ଏହା ବର୍ତ୍ତମାନ ଦେଶ ପାଇଁ ବିପଦପୂର୍ଣ୍ଣ। ସ୍ୱାଧୀନତା ସହିତ ଜାତୀୟ ସ୍ୱାର୍ଥରେ ସେନାକୁ ବ୍ୟବହାର କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ନିଜ ଭାବମୂର୍ତ୍ତି ପାଇଁ ସେନାକୁ ବ୍ୟବହାର କରୁଛନ୍ତି। ଭାରତର ଲକ୍ଷ୍ୟ ଚୀନ୍‌ ଏବଂ ପାକିସ୍ତାନକୁ ପୃଥକ କରିବା ହେବା ଉଚିତ। ଗୋଟିଏ ଦେଶ ପାକିସ୍ତାନକୁ ନିନ୍ଦା କରିନାହିଁ, ଏହା ବୈଦେଶିକ ନୀତିର ବିଫଳତା। ଏହା ଲୋକଙ୍କ ମାନସିକତାକୁ ଦର୍ଶାଏ। ପ୍ରତିରକ୍ଷା ମନ୍ତ୍ରୀ ଥରେ ମଧ୍ୟ ଚୀନ୍‌ର ନାମ ନେଇ ନାହାଁନ୍ତି।

Comments are closed.