ନୂଆଦିଲ୍ଲୀ: ନିର୍ବାଚନୀ ମାହୋଲକୁ ନେଇ ଏବେ ରାଜନୀତି ସରଗରମ । ସମସ୍ତଙ୍କ ମୁହଁରେ ବିସ୍ଫୋରକ ବୟାନ । ଦିନକ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ପାଇଁ ମିଜୋରାମରେ ପହଞ୍ଚିଛନ୍ତି । ସେଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି । ବିଶେଷ କରି ସାମ୍ବାଦିକଙ୍କ ବଂଶବାଦ ରାଜନୀତି ସମ୍ପର୍କିତ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।
ରାଜନୀତିରେ ବଂଶବାଦ ପ୍ରସଙ୍ଗକୁ ନେଇ ଗର୍ଜିଛନ୍ତି ରାହୁଲ ଗାନ୍ଧୀ । ଏହି ପ୍ରସଙ୍ଗରେ ରାହୁଲ ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଟାର୍ଗେଟ କରିଛନ୍ତି ।
ରାହୁଲଙ୍କୁ ସାମ୍ବାଦିକମାନେ ପଚାରିଥିଲେ, ବିଜେପି କଂଗ୍ରେସ ଉପରେ ବଂଶବାଦ ଅଭିଯୋଗ ଆଣୁଛି । ଏହା ଶୁଣିବା ପରେ ରାହୁଲ ବିସ୍ଫୋରଣ କରିଥଲେ । ସାମ୍ବାଦିକମାନଙ୍କୁ ପଚାରିଥିଲେ, ଯଦି କଂଗ୍ରେସ ବଂଶବାଦ ରାଜନୀତି କରୁଛି ତେବେ ଅମିତ ଶାହଙ୍କ ପୁଅ କ’ଣ କରୁଛି ? ରାଜନାଥ ସିଂହଙ୍କ ପୁଅ କ’ଣ କରୁଛି ?
ରାହୁଲ ଆହୁରି କହିଥିଲେ, ମୋତେ ଯାହା ଜଣା ଅଛି, ଅମିତ ଶାହଙ୍କ ପୁଅ ଭାରତୀୟ କ୍ରିକେଟକୁ ଚଳାଉଛି । ବିଜେପି ପ୍ରଥମେ ନିଜ ଦଳକୁ ଦେଖିବା ଉଚିତ ଯେ, ସେମାନଙ୍କ ପୁଅମାନେ କ’ଣ କରୁଛନ୍ତି ? ଅନୁରାଗ ଠାକୁରଙ୍କ ବ୍ୟତୀତ ଆହୁରି ଅନେକ ଲୋକ ଅଛନ୍ତି ଯେଉଁମାନେ ବଂଶବାଦ ରାଜନୀତିର ଉଦାହରଣ ।
ଏହି ଅବସରରେ ରାହୁଲ ଇସ୍ରାଏଲ-ହମାସ ଯୁଦ୍ଧ ବିଷୟରେ ମଧ୍ୟ ନିଜ ରାୟ ରଖିଥିଲେ । ସେ କହିଥିଲେ, କଂଗ୍ରେସ ହିଂସାର ବିରୋଧୀ । ହିଂସା ଯେଉଁ ପ୍ରକାର ହେଉ ନା କାହିଁକି କଂଗ୍ରେସ ତାକୁ ବିରୋଧ କରେ ।
Comments are closed.