ନୂଆଦିଲ୍ଲୀ: ବିହାରର ଦରଭଙ୍ଗାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟର ଅଧିକାର ଯାତ୍ରା ସମୟରେ ବୟାନକୁ ନେଇ ବଡ଼ ବିବାଦ ସାମନାକୁ ଆସିଛି । ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଆପତ୍ତିଜନକ ବା ଅପଶବ୍ଦର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ରାହୁଲ ଗାନ୍ଧୀ ମଧ୍ୟ ଯାତ୍ରା ସମୟରେ ମୋଦିଙ୍କୁ ତୁ ତା କରି କହିଥିବା କୁହାଯାଉଛି। ଏହାପରେ ରାଜନୈତିକ ମାହୋଲ ସରଗରମ ହୋଇଛି। ରାହୁଲ ଓ ତେଜସ୍ବୀଙ୍କୁ ଜୋରଦାର ଟାର୍ଗେଟ୍ କରିଛି ବିଜେପି। ତେବେ ପୂର୍ବରୁ ବି ଅନେକ ଥର ସୀମା ଲଂଘିଛନ୍ତି ରାଜନେତା।
କଣ କହିଲେ ରାହୁଲ?
ବିହାରରେ ଭୋଟର ତାଲିକାରେ ହେରାଫେରିକୁ ନେଇ ସଚେତନ କରିବାକୁ ଭୋଟର ଅଧିକାର ଯାତ୍ରା କରୁଛନ୍ତି ରାହୁଲ ଗାନ୍ଧୀ। ତେବେ ରାହୁଲ ତାଙ୍କ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ ଚୋର କହିବା ସହ ଗୁଜରାଟକୁ ବିକାଶର ମଡେଲ୍ ନୁହେଁ ବରଂ ଭୋଟ୍ ଚୋରିର ମଡେଲ୍ ବୋଲି କହିଛନ୍ତି। ସେପଟେ ଭୋଟର ଅଧିକାର ଯାତ୍ରା ସମୟରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହିବାକୁ ନେଇ ବିଜେପି ରାହୁଲ ଓ ତେଜସ୍ବୀଙ୍କୁ ଟାର୍ଗେଟ୍ କରିଛି। ରାହୁଲ ଯେଉଁଭଳି ଘୃଣାର ରାଜନୀତି ଆରମ୍ଭ କରିଛନ୍ତି ତାକୁ ନିନ୍ଦା କରିଥିବା ଅମିତ ଶାହା କହିଛନ୍ତି। ପ୍ରସଙ୍ଗକୁ ନେଇ ଜନତାଙ୍କ ସହାନୁଭୁତି ସାଉଁଟିବାକୁ ଉଦ୍ୟମ କରିବା ସହ ଜନତା ଏହାର ଜବାବ ଦେବେ ବୋଲି ବିଜେପି କହିଛି।
ପୂର୍ବରୁ ବି ରାହୁଲଙ୍କ ବୟାନ ବିବାଦ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ରାହୁଲଙ୍କ ଆକ୍ଷେପ ନୂଆ ନୁହେଁ। 2019ରେ ଚୌକିଦାର ଚୋର ହୈ କହି ନାରେଟିଭ୍ ପ୍ରସ୍ତୁତ କରିବାକୁ ଉଦ୍ୟମ କରିଥିଲେ ରାହୁଲ। ପରେ ଏହି ବୟାନ ପାଇଁ ତାଙ୍କୁ ସୁପ୍ରିମକୋର୍ଟରେ କ୍ଷମା ମାଗିବାକୁ ପଡିଥିଲା। ତେବେ ଏହାର ଜବାବରେ ମୁଁ ବି ଚୌକିଦାର ଅଭିଯାନ ଆରମ୍ଭ କରିଥିଲା ବିଜେପି। ଏବେ ପୁଣି ମୋଦିଙ୍କୁ ଭୋଟ ଚୋର ବୋଲି କହି ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନାରେଟିଭ୍ ପ୍ରସ୍ତୁତ କରୁଛନ୍ତି। ତେବେ ମୋଦିଙ୍କୁ ରାହୁଲଙ୍କ ଆକ୍ଷେପକୁ ନେଇ ବିଜେପି ନେତାଙ୍କ ଟାର୍ଗେଟରେ ରହିଛନ୍ତି ରାହୁଲ।
ମୋଦିଙ୍କୁ ନେଇ ବିବାଦୀୟ ବୟାନ
ଗୁଜରାଟରେ 2007ବିଧାନସଭା ନିର୍ବାଚନ ସମୟରେ ମୃତ୍ୟୁର ସୌଦାଗର ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଥିଲେ ସୋନିଆ ଗାନ୍ଧୀ। ନାଁ ନନେଇ ଗୁଜରାଟରେ ସରକାର ଚଳାଉଥିବା ବ୍ୟକ୍ତି ମିଛୁଆ, ବେଇମାନ, ଭୟ ଓ ମୃତ୍ୟୁର ସୌଦାଗର ବୋଲି ସୋନିଆ କହିଥିଲେ। ପ୍ରଧାନମନ୍ତ୍ରୀ ରେସରେ ସାମିଲ ହେବା ପରେ ମୋଦିଙ୍କୁ ଅନେକ ଥର କଟାକ୍ଷ କରିଛନ୍ତି କଂଗ୍ରେସ ନେତା। ସେତେବେଳେ ଗୁଲାମ ନବି ଆଜାଦ ତାଙ୍କୁ ଗଙ୍ଗୁ ତେଲି କହିଥିଲେ ତ ଜୟରାମ ରମେଶ ଭସ୍ମାସୁର କହିଥିଲେ। ରେଣୁକା ଚୌଧରୀ ଭାଇରସ କହିଥିଲେ ତ ମାଙ୍କଡ ସହ ତୁଳନା କରିଥିଲେ ସଲମାନ ଖୁର୍ସିଦ। 2022ରେ ଗୁଜରାଟ ନିର୍ବାଚନ ସମୟରେ ମୋଦିଙ୍କୁ ରାବଣ ସହ ତୁଳନା କରିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।
କେବଳ ମୋଦି ନୁହଁନ୍ତି ରାହୁଲ ଗାନ୍ଧୀଙ୍କୁ ନେଇ ମଧ୍ୟ ଅନେକ ସମୟରେ ବିଜେପି ନେତା ଆପତ୍ତିଜନକ ବୟାନ ଦେଇଛନ୍ତି। ରାହୁଲଙ୍କ ଅପରିପକ୍ବତାକୁ ଆକ୍ଷେପ କରି ତାଙ୍କୁ ପପ୍ପୁ ସମ୍ବୋଧନ କରିଛନ୍ତି ବିଜେପି ନେତା। ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ସାଧାରଣ କଥା, ତେବେ ଏହା ସୀମା ଉଲ୍ଲଂଘନ କରିବା ଠିକ୍ ନୁହେଁ ।
Comments are closed.