ନୂଆଦିଲ୍ଲୀ: ବଡ ନିଷ୍ପତ୍ତି ନେଇଛନ୍ତି ଲୋକସଭା ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅପରେସନ ସିନ୍ଦୂର ସମୟରେ ପାକିସ୍ତାନ ଗୁଳିବର୍ଷା ବେଳେ ବାପାମା’ ଛେଉଣ୍ଡ ହୋଇଥିବା ୨୨ ପିଲାଙ୍କୁ ପୋଷ୍ୟସନ୍ତାନ ଭାବେ ଗ୍ରହଣ କରିବେ । ରାହୁଲ ଗାନ୍ଧୀ ଜମ୍ମୁ ଏବଂ କାଶ୍ମୀରର ପୁଞ୍ଚ ଜିଲ୍ଲାର ୨୨ ଜଣ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବେ, ଯେଉଁମାନେ ଅପରେସନ ସିନ୍ଦୁର ସମୟରେ ସୀମାପାର ସଂଘର୍ଷରେ ସେମାନଙ୍କ ପିତାମାତା କିମ୍ବା ପରିବାରର ରୋଜଗାରକ୍ଷମ ଲୋକଙ୍କୁ ହରାଇଛନ୍ତି ।
ଯେଉଁଥିରେ ପାକିସ୍ତାନୀ ଗୁଳିମାଡ଼ ଯୋଗୁଁ ଅନେକ ଅନାଥ ହୋଇଯାଇଥିବା ଏହି ପିଲାମାନଙ୍କର ଶିକ୍ଷା ପାଇଁ ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବେ ରାହୁଲ । ସେମାନେ ସେମାନଙ୍କର ସ୍ନାତକ ସମାପ୍ତ ନହେବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ । ଏନେଇ ଜମ୍ମୁ ଏବଂ କାଶ୍ମୀର କଂଗ୍ରେସ ମୁଖ୍ୟ ତାରିକ ହମିଦ କରା ସୂଚନା ଦେଇଥିବା ଇଣ୍ଡିଆନ୍ ଏକ୍ସପ୍ରେସ ରିପୋର୍ଟ କରିଛି । ଯେଉଁଥିରେ ସେ କହିଛନ୍ତି, ଯେ ଛାତ୍ରମାନେ ବିନା ବାଧାରେ ସେମାନଙ୍କର ସ୍କୁଲ ଶିକ୍ଷା ଜାରି ରଖିପାରିବେ ତାହା ନିଶ୍ଚିତ କରିବା ପାଇଁ ଏହି ସପ୍ତାହରେ ପ୍ରଥମ ସହାୟତା କିସ୍ତି ଜାରି କରାଯିବ।
ତେବେ ରାହୁଲ ଗାନ୍ଧୀ ଗତ ମେ ମାସରେ ପୁଞ୍ଚ ଗସ୍ତ କରିଥିଲେ। ତାଙ୍କ ଗସ୍ତ ସମୟରେ, ଗାନ୍ଧୀ ସ୍ଥାନୀୟ ଦଳୀୟ ନେତାମାନଙ୍କୁ ପ୍ରଭାବିତ ପିଲାମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ କହିଥିଲେ। ଏହା ପରେ, ଏକ ସର୍ଭେ କରାଯାଇଥିଲା ଏବଂ ସରକାରୀ ରେକର୍ଡ ଯାଞ୍ଚ କରିବା ପରେ ପିଲାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଥିଲା। ତାଙ୍କ ଗସ୍ତ ସମୟରେ, ରାହୁଲ ଗାନ୍ଧୀ ଗୁଳିମାଡ଼ରେ ମୃତ ୧୨ ବର୍ଷୀୟ ଯଆଁଳା ସନ୍ତାନ ଉର୍ବା ଫାତିମା ଏବଂ ଜୈନ ଅଲିଙ୍କ ସହପାଠୀଙ୍କୁ ଭେଟିବା ପାଇଁ ଖ୍ରୀଷ୍ଟ ପବ୍ଲିକ୍ ସ୍କୁଲ ମଧ୍ୟ ଯାଇଥିଲେ । ପାକିସ୍ତାନ ଗୁଳିମାଡ଼ ଦ୍ୱାରା ପୁଞ୍ଚ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳ ମଧ୍ୟରୁ ଗୋଟିଏ । ଏଠାରେ ପିଲାମାନଙ୍କ ସମେତ ଅନେକ ସାଧାରଣ ନାଗରିକ ଆହତ ହୋଇଥିଲେ । ଏହାପରେ ପିଲାମାନଙ୍କ ସହିତ କଥାବାର୍ତ୍ତା କରି କଂଗ୍ରେସ ସାଂସଦ ମଧ୍ୟ ସାନ୍ତ୍ୱନାର କିଛି ଶବ୍ଦ ଆଦନପ୍ରଦାନ କରିଥିଲେ । ସେମାନଙ୍କୁ ପାଠପଢି ଏହାର ଜାବ ଦେବାକୁ ଆହ୍ବାନ ଦେଇଥିଲେ ।
ତେବେ କହିରଖୁଛୁ, ଏହି ବର୍ଷ ଏପ୍ରିଲ୍ ୨୨ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଦୁର ଅପରେସନ୍ କରାଯାଇଥିଲା, ଯେଉଁଥିରେ ୨୬ ଜଣଙ୍କର ଜୀବନ ଯାଇଥିଲା। ପ୍ରତିଶୋଧ ସ୍ୱରୂପ, ଭାରତ ପାକ୍-ଅଧିକୃତ କାଶ୍ମୀର ଏବଂ ପାକିସ୍ତାନରେ ନଅଟି ଆତଙ୍କବାଦୀ କେନ୍ଦ୍ରକୁ ଟାର୍ଗେଟ କରିଥିଲା ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଥିଲା। ମେ ୭ରେ ହୋଇଥିବା ଅପରେସନ୍ ପରେ, ଭାରତ ଏବଂ ପାକିସ୍ତାନ ମେ ୧୦ରେ ଶତ୍ରୁତା ବନ୍ଦ ବୁଝାମଣାରେ ପହଞ୍ଚିଥିଲେ।
ସେପଟେ ଜମ୍ମୁକାଶ୍ମୀରରେ ଏବେ ବି ତାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ରହିନି ପାକିସ୍ତାନ । ସମୟ ସମୟରେ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି ଏବଂ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ରଚିଛି । ତଥାପି, ଭାରତୀୟ ସେନା ପ୍ରତ୍ୟେକ ଥର ପାକିସ୍ତାନକୁ ଉଚିତ ଜବାବ ଦେଇଛି। ସୋମବାର ମଧ୍ୟ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଯାହାକୁ ନେଇ ସେନା ଜମ୍ମୁ କାଶ୍ମୀରରେ ଅପରେସନ୍ ମହାଦେବ ଆରମ୍ଭ କରିଛି ।
Comments are closed.