Rahul Gandhi Speech: ବଢିପାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ! ଲୋକସଭାରେ ବାଚସ୍ପତି ନେଇପାରନ୍ତି ବଡ ନିଷ୍ପତ୍ତି…
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଆଣ୍ଟି ପେପର ଲିକ୍ ବିଲ୍ ପାସ୍ ହୋଇଥିବାବେଳେ, ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ିଛି। ସଂସଦରେ ଅସଂସଦୀୟ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ (Privilege Motion) ନୋଟିସ ଦାଖଲ ହୋଇଛି।
ବିଜେପି ସାଂସଦ ଅନୁରାଗ ଠାକୁର ଜୁଲାଇ ୩୦ ତାରିଖରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏହି ନୋଟିସ ଦେଇଛନ୍ତି। ଏହି ନୋଟିସଟି ବିଶେଷାଧିକାର ଉଲ୍ଲଂଘନ ଏବଂ ଅବମାନନା ସହିତ ଜଡିତ ବୋଲି ଦର୍ଶାଯାଇଛି। ଜୁଲାଇ ୨୯ରେ ଲୋକସଭାରେ ଆଣ୍ଟି ପେପର ଲିକ୍ ବିଲ୍ ଉପରେ ଚର୍ଚ୍ଚା ବେଳେ ରାହୁଲ ଗାନ୍ଧୀ ଅସଂସଦୀୟ ଭାଷା ବ୍ୟବହାର କରିଥିବା ଏଥିରେ ଅଭିଯୋଗ କରାଯାଇଛି।
ଅନୁରାଗ ଠାକୁରଙ୍କ ଅଭିଯୋଗ ଅନୁଯାୟୀ, ରାହୁଲ ଗାନ୍ଧୀ ଆଲୋଚନା ସମୟରେ ନାଗରିକଙ୍କ ଏକ ନିର୍ଦ୍ଦିଷ୍ଟ ବର୍ଗକୁ ‘ଇଡିଅଟ୍’ ଓ ‘ଅନ୍ଧଭକ୍ତ’ ବୋଲି ସମ୍ବୋଧନ କରିଥିଲେ। ଏଥିସହ ବିଜେପି ସାଂସଦ ସଞ୍ଜୟ ଜୟସ୍ୱାଲ ମଧ୍ୟ ରାହୁଲଙ୍କ ବିରୋଧରେ ବାଚସ୍ପତିଙ୍କୁ ପୃଥକ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅଭିଯୋଗରେ କୁହାଯାଇଛି ଯେ, ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରନ ରିଜିଜୁ ଆପତ୍ତି ଉଠାଇବା ପରେ ମଧ୍ୟ ରାହୁଲ ଗାନ୍ଧୀ ବିବାଦୀୟ ଶବ୍ଦ ବ୍ୟବହାର ବନ୍ଦ କରିନଥିଲେ। ଏପରିକି ଅଧ୍ୟକ୍ଷଙ୍କ ସ୍ପଷ୍ଟ ଚେତାବନୀ ପରେ ମଧ୍ୟ ସେ ଏହି ଶବ୍ଦକୁ ବାରମ୍ବାର ଦୋହରାଇଥିବା ଅଭିଯୋଗ ହୋଇଛି। ବିଜେପି ସାଂସଦ ଅଭିଯୋଗ କରିଛନ୍ତି ଯେ, ରାହୁଲ ଗାନ୍ଧୀ ସଂସଦରେ ଅଗ୍ରହଣୀୟ ଭାଷା ବ୍ୟବହାର କରିଛନ୍ତି ଏବଂ ନିୟମ ୩୫୨ (ii), (iii), ଏବଂ (iv) ଉଲ୍ଲଂଘନ କରିଛନ୍ତି। ତଥାପି, ବାଚସ୍ପତି ରାହୁଲ ଗାନ୍ଧୀଙ୍କ ଅଣସଂସଦୀୟ ବିବୃତ୍ତିକୁ ସଂସଦୀୟ କାର୍ଯ୍ୟର ରେକର୍ଡରୁ ବାଦ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନୁରାଗ ଠାକୁର ଲୋକସଭା କାର୍ଯ୍ୟକାଳ ମଧ୍ୟରେ ରାହୁଲ ଗାନ୍ଧୀ ଆପତ୍ତିଜନକ ଭାଷା ବ୍ୟବହାର ବିରୋଧରେ ଏକ ବିସ୍ତୃତ ତଦନ୍ତ ପାଇଁ ମାମଲାକୁ ସ୍ୱାଧିକାର କମିଟିକୁ ପଠାଇବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।
ରାହୁଲ ଗାନ୍ଧୀଙ୍କ ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ହୋଇପାରେ?
ସ୍ୱାଧିକାର ଭଙ୍ଗ ନୋଟିସ ଉପରେ ପରବର୍ତ୍ତୀ ପଦକ୍ଷେପ ନେବାର ଅଧିକାର ଲୋକସଭା ବାଚସ୍ପତିଙ୍କ ପାଖରେ ରହିଛି। ସେ ଚାହିଁଲେ ମାମଲାକୁ ସ୍ୱାଧିକାର କମିଟିକୁ ପଠାଇପାରିବେ। ଯଦି ତଦନ୍ତ ପରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଚେତାବନୀ ଦିଆଯାଇପାରେ, ସଦନରେ କ୍ଷମା ମାଗିବାକୁ କୁହାଯାଇପାରେ କିମ୍ବା ସଦନରେ ପ୍ରସ୍ତାବ ପାରିତ କରି ଅଧିବେଶନର ଅବଶିଷ୍ଟ ସମୟ ପାଇଁ ସସପେଣ୍ଡ ମଧ୍ୟ କରାଯାଇପାରେ।


Comments are closed.