Latest Odisha News

BREAKING NEWS

ଆସନ୍ତା ୨୫ରେ ରାହୁଲ ଗାନ୍ଧୀଙ୍କ ମୁଖା ଖୋଲିଦେବାକୁ ଶ୍ରୀକାନ୍ତ ଜେନାଙ୍କ ଚେତାବନୀ !

ଭୁବନେଶ୍ୱର: କଂଗ୍ରେସ ଦଳରୁ ବହିଷ୍କୃତ ହେବାର କିଛି ଘଣ୍ଟା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବିଷ ଓଗାଳିଛନ୍ତି । ଆସନ୍ତା ଜାନୁଆରୀ ୨୫ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଥିବା ସମୟରେ ତାଙ୍କର ମୁଖା ଖୋଲିଦେବେ ବୋଲି ଚେତାବନୀ ଦେଇ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ବହିଷ୍କୃତ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ।

“ରାହୁଲ ଗାନ୍ଧୀ ପଟ୍ଟନାୟକ ପରିବାର ଦ୍ୱାରା ପରିଚାଳିତ ହେଉଥିବା ଓଡ଼ିଶା ସରକାରଙ୍କ ସହିତ ରହିଛନ୍ତି । ବର୍ତ୍ତମାନ ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଯେଉଁ ମହାଗଠବନ୍ଧନ ହୋଇଛି ତାହା ବିରୋଧରେ ମୁଁ ମୋର ସଂଗ୍ରାମ ଜାରି ରଖିବି,” ବୋଲି କହିଛନ୍ତି ବରିଷ୍ଠ ନେତା ଶ୍ରାକାନ୍ତ ଜେନା ।

ଶନିବାର ଦିନ କଂଗ୍ରେସ ଦଳରୁ ବହିଷ୍କୃତ ହେବା ପରେ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ସାମ୍ବାଦିକମାନଙ୍କୁ କହିଛନ୍ତି, “କଂଗ୍ରେସ ବନ୍ଧୁମାନଙ୍କୁ ମୋର ପରାମର୍ଶ ସେମାନେ ଯଦି କଂଗ୍ରେସ ଦଳରେ ରହିବାକୁ ଚାହାନ୍ତି ତେବେ ଗୋଟିଏ ସ୍ଲୋଗାନ ଦେଇ ଲୋକମାନଙ୍କ ପାଖକୁ ଯାଆନ୍ତୁ, ରାହୁଲ ଗାନ୍ଧୀ, ନବୀନ ପଟ୍ଟନାୟକ ଜିନ୍ଦାବାଦ ପକାନ୍ତୁ । ନିରଞ୍ଜନ ପଟ୍ଟନାୟକ ଓ ସୌମ୍ୟ ପଟ୍ଟନାୟକଙ୍କୁ ଜିନ୍ଦାବାଦ ପକାନ୍ତୁ । ଓଡ଼ିଶାର ଗରିବ ଲୋକ ଅମର ରୁହନ୍ତୁ ବୋଲି କୁହନ୍ତୁ । ୪୦ ବର୍ଷ ଧରି ଏମାନେ ଓଡ଼ିଶାର ଅନ୍ତବୁଜୁଳା ବାହାର କରି ନେଇଛନ୍ତି । ଓଡ଼ିଶାର ୪୦ ଲକ୍ଷ ପିଲା ବେକାର ହୋଇ ବୁଲୁଛନ୍ତି । ଓଡ଼ିଶାରେ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଏମାନଙ୍କର ଯେଉଁ କୁଶାସନ ଓ ଶକ୍ତି ରହିଛି ଏହାକୁ ପରାହତ ନିଶ୍ଚିତ ଭାବେ କରିବା ଲାଗି ଓଡ଼ିଶା ଯୁବକ, ଛାତ୍ର, ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ସହଯୋଗ କରିବେ ବୋଲି ମୋର ବିଶ୍ୱାସ ରହିଛି,” ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା ।

ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀକାନ୍ତ ଜେନା କହିଛନ୍ତି, କଂଗ୍ରେସର ନେତୃତ୍ୱ ଦିନେ ପଣ୍ଡିତ ଗୋପବନ୍ଧୁ ଦାସ ନେଉଥିଲେ ସେହି କଂଗ୍ରେସର ନେତୃତ୍ୱ ଏବେ ଜଣେ ଅଭ୍ୟାସଗତ ଲାଞ୍ଚଦାତା ଭାବେ କୋର୍ଟ ଯାହାଙ୍କୁ ଭତ୍ସିତ କରିଛନ୍ତି ସେ ନେଉଛନ୍ତି । ଓଡ଼ିଶା ଲୋକଙ୍କ ନିକଟରେ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୋଧରେ ଏବଂ ଖଣି ମାଫିଆଙ୍କ ଯେଉଁ ମହାଗଠବନ୍ଧନ ହୋଇଛି ତାହା ଲୋକଙ୍କ ନିକଟକୁ ନେବି । ରାହୁଲ ଗାନ୍ଧୀ ଏବେ ଯେଉଁ ଭ୍ରଷ୍ଟାଚାର ବିରୋଧରେ ଯେଉଁସବୁ କଥା କହୁଛନ୍ତି ଦିଲ୍ଲୀରେ ସେ ଏଠି ଖଣି ମାଫିଆଙ୍କ ନିକଟରେ ଆତ୍ମସମର୍ପଣ କରିଥିବା କଥା ମଧ୍ୟ କହିବି ।

ସେ କହିଛନ୍ତି, “ମୁଁ ଶୁଣୁଛି, ରାହୁଲ ଗାନ୍ଧୀ ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେହିଦିନ ଆଉ ଏକ ଖୁଲାସା କରିବି । ଯେଉଁଥିରେ ରାହୁଲ ଗାନ୍ଧୀ ସାରା ଭାରତ ବର୍ଷରେ ମୁହଁ ଦେଖାଇ ପାରିବେ ନାହିଁ ।”

ଏବେ କେଉଁ ଦଳରେ ଯୋଗଦେବେ ବୋଲି ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ମୁଁ କେଉଁ ଦଳରେ ଯୋଗ ଦେବି କି ନଦେବି ସେ ସମ୍ପର୍କରେ କୌଣସି ନିଷ୍ପତି ନେଇନାହିଁ । ଆଗାମୀ ଦିନରେ ଏ ଲଢେଇରେ ମୋ ସହିତ ଯିଏ ରହିବ ମୁଁ ସେମାନଙ୍କୁ ସାଥ୍ ଦେବି ।”

ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବିତାଡ଼ିତ ହେବାର ୩ ଦିନ ପରେ ସେ ଦଳର କୋର୍ କମିଟି ତଥା ପ୍ରଚାର କମିଟିରୁ ଇସ୍ତଫା ପ୍ରଦାନ କରିଥିଲେ । ଗତବର୍ଷ ଡ଼ିସେମ୍ବର ୯ ତାରିଖରେ ଶ୍ରୀକାନ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କରି ବିଭିନ୍ନ ମନ୍ତବ୍ୟ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଥିଲେ ।

କଂଗ୍ରେସ ନେତା ତଥା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ପରେ ଶନିବାର ଦିନ ରାଜ୍ୟ ଶାଖା କଂଗ୍ରେସ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କୁ ବିଶୃଙ୍ଖଳିତ ଆଚରଣ ଲାଗି ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରାଯାଇଥିଲା ।

 

Leave A Reply

Your email address will not be published.