Latest Odisha News

ଉଦଯାପିତ ହେଲା ରାଜାରାଣୀ ସଙ୍ଗୀତ ଉତ୍ସବ: ଶୁଭା ମୁଦଗଲଙ୍କ ଯାଦୁକରୀ ମୁର୍ଚ୍ଛନାରେ ଶ୍ରୋତା ବିଭୋର

ଭୁବନେଶ୍ୱର : ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ଏବର୍ଷ ରାଜାରାଣୀ ଉତ୍ସବକୁ ଅନନ୍ୟ କରିଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ ଶାସ୍ତ୍ରୀୟ ସଙ୍ଗୀତ ପ୍ରେମୀମାନଙ୍କୁ ଖୁବ ଆନନ୍ଦ ଦେଇପାରିଥିଲା ।

ଅନ୍ତିମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଯନ୍ତ୍ର ସଙ୍ଗୀତର ଫ୍ୟୁଜନ ଯାହାକୁ ପ୍ରସ୍ତୁତ କରିଥିଲେ ଶିବାଗ୍ନିର କଳାକାର ବୃନ୍ଦ । ତାଙ୍କ ପ୍ରସ୍ତୁତିରେ ଥିଲା ଶିବାଗ୍ନି ସଙ୍ଗୀତ ଯାହା ରାଗ ଚାରୁକେଶୀ, ଆରବିୟାନ ନାଇଟ ଯାହା ରାଗ ଭୈରବୀ, ପାରମ୍ପାରିକ ଓଡ଼ିଶୀ ସଙ୍ଗୀତ ରାଗ କୀରବାଣୀ ଓ ଫ୍ୟୁଜନ ରାଗ ବକୁଳାଭରଣମ ।

ଶିବାଗ୍ନିର କଳାକାରମାନେ ହେଲେ ବେହେଲାରେ ଅଗ୍ନିମିତ୍ର ବେହେରା, ବଂଶୀରେ ଶ୍ରୀନିବାସ ଶତପଥୀ, କଣ୍ଠରେ କ୍ଷିତୀ ପ୍ରକାଶ ମହାପାତ୍ର, ତବଲାରେ ବିଶ୍ୱରଞ୍ଜନ ନନ୍ଦ, ମର୍ଦଳରେ ବୈଭବ କୁମାର ଦାସ, କି ବୋଡ଼ରେ ରମେଶ ଚନ୍ଦ୍ର ବେହେରା, ଡ଼ର୍ମରେ ଆଲୋକ ପୃଷ୍ଠି ।

ଶିବାଗ୍ନିର ସମସ୍ତ ପ୍ରସ୍ତୁତି ବେଶ ଉଚ୍ଚକୋଟୀର ହୋଇଥିଲା ଯାହାକୁ ଦର୍ଶକ ବେଶ ଉପଭୋଗ କରିଥିଲେ ।

ସନ୍ଧ୍ୟାର ଦ୍ୱିତୀୟ କାର୍ଯ୍ୟକ୍ରମ ଥିଲା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନା ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ଶୁଭା ମୁଦଗଲ । ସେ ପ୍ରଥମେ ରାଗ ଶ୍ୟାମ କଲ୍ୟାଣ ଓ ତିଲକ କା ମୋଦ ପରେ ପରେ ଚନ୍ଦ୍ରମା ଭାରେ ବିରାଜେ ସହିତ ସୁନ୍ଦର ଓ ନିଖୁଣ ରାଗ ବିସ୍ତାର, ଆଳଙ୍କାରିକ ସର୍ଜନା ସାବଲୀଳ ଓ ଭାବୋଦ୍ଦୀପକ ପରିବେଷଣ ଦ୍ୱାରା ଶୁଭା ମୁଦଗଲ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।

ଅନ୍ତିମ ସନ୍ଧ୍ୟାର ଅତିଥିମାନେ ଥିଲେ ଓଡ଼ିଶା ରାଜସ୍ୱ ପରିଷଦର ସଦସ୍ୟ ଜି.ଭି.ଭି ଶର୍ମା, ପ୍ରଧାନ ମହାଲେଖାକାର ମଧୁମିତା ବସୁ, ପର୍ଯ୍ୟଟନ ବିଭାଗର ଶାସନ ସଚିବ ବିଶାଲ କୁମାର ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଆର. ପି. ସିଂହ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ସଙ୍ଗୀତା ଗୋସାଇଁ ଏବଂ ଡ଼. ଭେଦୁଲା ରାମଲକ୍ଷ୍ମୀ ।

Leave A Reply

Your email address will not be published.