Latest Odisha News

BREAKING NEWS

କମାଲ କରିବ ରାହୁଲଙ୍କ ଡିନର ଡିପ୍ଲୋମାସି !

ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରସଙ୍ଗରେ ଅନେକ ଦିନ ପରେ ଏକଜୁଟ୍ ହେଉଛନ୍ତି ବିରୋଧୀ। ପୂର୍ବରୁ ମହାରାଷ୍ଟ୍ର ପରାଜୟ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠିଥିଲା ତ ମମତା ବାନାର୍ଜୀ ଜୋରଦାର କରିଥିଲେ ବିରୋଧର ସ୍ବର। ଲାଲୁ ଯାଦବ ହୁଅନ୍ତୁ କି ଶରଦ ପାଓ୍ବାର, ମମତାଙ୍କୁ ସମର୍ଥନ କରିଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ତ ଇଣ୍ଡିଆ ମେଣ୍ଟରୁ ଏକପ୍ରକାର ଦୂରେଇ ଯାଇଥିଲେ କେଜ୍ରିଓ୍ବାଲ। ହେଲେ ଏବେ ବଦଳୁଛି ମାହୋଲ। ଭୋଟର ତାଲିକା ସଂଶୋଧନକୁ ନେଇ ବିରୋଧୀ ସ୍ବର ମିଳାଉଥିବା ଦେଖିବାକୁ ମିଳୁଛି। ଏଭଳି ସମୟରେ ରାହୁଲ ଗାନ୍ଧୀଙ୍କ ଡିନର ଡିପ୍ଲୋମାସି ବିରୋଧୀ ମେଣ୍ଟକୁ ମଜବୁତ କରିବ କି?

ଏକାଠି କରିବ ଏସଆଇଆର !

ଅଲଗା ଅଲଗା ଟ୍ରାକରେ ଚାଲିଥିବା ବିରୋଧୀ ମେଣ୍ଟର ସହଯୋଗୀ ଦଳ ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ଏକାଠି ଆସିବା ଭଳି ମନେ ହେଉଛନ୍ତି। ଗୋଟେପଟେ ବିହାରରେ ଚାଲିଥିବା ଏସଆଇଆର ଆମ ଆଦମୀ ପାର୍ଟିକୁ ଇଣ୍ଡିଆ ବ୍ଲକର ନିକଟତର କରିଛି ତ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ମଧ୍ୟ ଏକାଠି ନଜର ଆସୁଛନ୍ତି। ମମତାଙ୍କ ତୃଣମୂଳ କଂଗ୍ରେସ ବି ଏହି ପ୍ରସଙ୍ଗରେ ଆକ୍ରାମକ ଆଭିମୁଖ୍ୟ ଦେଖାଇଛି। ବିରୋଧୀ ଏକାଠି ଆସିବା କେଉଁଠି ନା କେଉଁଠି ରାହୁଲ ଗାନ୍ଧୀଙ୍କ ପାଇଁ ଭଲ ରାଜନୈତିକ ସଂକେତ।

ରାହୁଲଙ୍କ ଡିନର ଡିପ୍ଲୋମାସି

ଲୋକସଭା ନିର୍ବାଚନ ପରଠୁ ଇଣ୍ଡିଆ ମେଣ୍ଟ ଏକପ୍ରକାର ସୁପ୍ତ ଅବସ୍ଥାରେ ରହିଛି। ତେବେ ମେଣ୍ଟରେ ଜୀବନ ଭରିବାକୁ ଗୁରୁବାର ରାତିରେ ଇଣ୍ଡିଆ ବ୍ଲକର ନେତାଙ୍କୁ ଡିନର ପାଇଁ ଡାକିଛନ୍ତି। ଏହା ମଧ୍ୟରେ କଂଗ୍ରେସର ଶୀର୍ଷ ନେତୃତ୍ବ ବୁଝି ସାରିଛନ୍ତି, ସହଯୋଗୀ ଦଳଙ୍କୁ ଏକାଠି କରିବାକୁ ହେଲେ ଆଞ୍ଚଳିକ ସମସ୍ୟାକୁ ପ୍ରସଙ୍ଗ କରିବାକୁ ପଡିବ। ଆଉ ସେଥିପାଇଁ ବିହାର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ନେଇ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି। ଗୁରୁବାର ବୈଠକ ପରେ ଶୁକ୍ରବାର ନିର୍ବାଚନ କମିଶନଙ୍କ ଅଫିସ ପର୍ଯ୍ୟନ୍ତ ବିରୋଧ ମାର୍ଚ୍ଚ କରାଯିବ।

ଉପରାଷ୍ଟ୍ରପତି ନିର୍ବାଚନ ରଣନୀତି

ଏସଆଇଆର ପ୍ରସଙ୍ଗକୁ ଛାଡିଦେଲେ ଗୁରୁବାର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବି ଚର୍ଚ୍ଚା ହୋଇପାରେ। ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଉପରାଷ୍ଟ୍ରପତି ପଦ ଖାଲି ରହିଛି। ନିର୍ବାଚନରେ ବିରୋଧୀ ମିଳିତ ପ୍ରାର୍ଥୀ ଦେବା ନେଇ ଚିନ୍ତା କରୁଛନ୍ତି। ସଂଖ୍ୟା ଗଣିତ ଏନଡିଏ ସପକ୍ଷରେ ଥିଲେ ମଧ୍ୟ ମିଳିତ ପ୍ରାର୍ଥୀ ଦେଇ ଏକତାର ସନ୍ଦେଶ ଦେବା ସହ ଜାତୀୟ ରାଜନୀତି ଉପରେ ପ୍ରଭାବ ପକାଇବାକୁ ଉଦ୍ୟମ କରିବେ ବିରୋଧୀ। ଏପରିକି ବିହାର ଓ ଆନ୍ଧ୍ରପ୍ରଦେଶରୁ ପ୍ରାର୍ଥୀ ଘୋଷଣା କରି ଏନଡିଏର ପ୍ରମୁଖ ସହଯୋଗୀ ନୀତିଶ କୁମାର ଓ ଚନ୍ଦ୍ରବାବୁ ନାଇଡୁଙ୍କୁ ଫସାଇବାକୁ ଯୋଜନା ହୋଇପାରେ। । ଉପରାଷ୍ଟ୍ରପତି ନିର୍ବାଚନ ଯେଉଁଭଳି ଏକତରଫା ନହୁଏ, ସେଭଳି ରଣନୀତି ପ୍ରସ୍ତୁତି ନେଇ ଆଲୋଚନା ହୋଇପାରେ।

ଦିଲ୍ଲୀ ନିର୍ବାଚନ ପରଠୁ ବିରୋଧୀ ଇଣ୍ଡିଆ ମେଣ୍ଟର ଏକପ୍ରକାର ଅନ୍ତ ହୋଇଥିବା ଚର୍ଚ୍ଚା ହେଉଥିଲା। ହେଲେ ଭୋଟର ତାଲିକା ସଂଶୋଧନ ପୁଣି ବିରୋଧୀଙ୍କୁ ଏକାଠି କରିଛି। ବିହାରରେ ଏସଆଇଆର ବିରୋଧରେ ଆରଜେଡିର ଆଭିମୁଖ୍ୟକୁ ଆପ ଓ ଟିଏମସିର ସମର୍ଥନ ମିଳିଛି। ନିଜେ ରାହୁଲ ଗାନ୍ଧୀ ଆକ୍ରାମକ ହୋଇଛନ୍ତି। ସେ ଲଗାତର ନିର୍ବାଚନ କମିଶନ ଓ ବିଜେପିକୁ ଟାର୍ଗେଟ୍ କରୁଛନ୍ତି। ଆଗାମୀ ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ମମତା ନରମ ତ ପଞ୍ଜାବ ଭୋଟକୁ ନେଇ ଆପ ଗରମ ମନୋଭାବ ଦେଖାଉଛି। ଦିଦିଙ୍କ ଭାଷା ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ମିଳିଛି ତ ଆପ ବି ଭବିଷ୍ୟତର ବାଟ ଖୋଲା ରଖିଛି। ତେଣୁ ଇଣ୍ଡିଆ ବ୍ଲକରେ ଆଗକୁ କଣ ହେବ, ସେନେଇ ଅନିଶ୍ଚିତତା ରହିଛି।

Comments are closed.