Latest Odisha News

BREAKING NEWS

ପୁରୁଖା ନେତା ହେବେ ନୂଆ ପିସିିସି ସଭାପତି, ରାହୁଲ କରୁଛନ୍ତି ଚିନ୍ତା

ନୂଆଦିଲ୍ଲୀ: ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି ନେଇ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ସହ ଓଡିଶା କଂଗ୍ରେସର ୧୭ ନେତା ଆଲୋଚନା କରିଛନ୍ତି। ସୋମବାର ସଂଧ୍ୟାରେ ହୋଇଥିବା ଏହି ଆଲୋଚନାରେ ରାହୁଲ ଗାନ୍ଧୀ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସମସ୍ତ ନେତାଙ୍କ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା କରିଛନ୍ତି।

ଗତକାଲି ସନ୍ଧ୍ୟାରେ ବ୍ୟକ୍ତିଗତ ଭାବରେ ରାହୁଲ ଗାନ୍ଧୀ ସମସ୍ତ ନେତାଙ୍କ ସହ ଆଲୋଚନା କରିଛନ୍ତି। ନୂଆ ସଭାପତି କିଏ ହେଲେ ଠିକ ହେବ ଏବଂ ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାହୁଲଙ୍କ ସହ ଆଲୋଚନା ସମୟରେ ୪ ଜଣ ନେତା ସଭାପତି ପଦ ଲାଗି ନିଜ ପାଇଁ ଲବି କରିଛନ୍ତି। ସେହିପରି କିଛି ବରିଷ୍ଠ ନେତା ନିର୍ଦ୍ଦିଷ୍ଟ ବିଧାୟକଙ୍କୁ ସଭାପତି କରାଯିବା ସପକ୍ଷରେ ଯୁକ୍ତି ଉପସ୍ଥାପିତ କରିଛନ୍ତି। ତେବେ ଏ ସମ୍ପର୍କରେ ରାହୁଲ କୌଣସି ମନ୍ତବ୍ୟ ନ ଦେଇ ଦଳୀୟ ନେତାମାନଙ୍କୁ ଏକ ହୋଇ ଶୃଙ୍ଖଳିତ ଭାବରେ କାମ କରିବାକୁ ପରାମର୍ଶ ଦେଇଛନ୍ତି।

ପିସିସି ସଭାପତି ମନୋନୟନ ପ୍ରସଙ୍ଗରେ ପ୍ରଭାରୀମାନଙ୍କ ସହ ଆଲୋଚନା ହୋଇଛି, ଖୁବ୍‍ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ କଂଗ୍ରେସ ନେତାଙ୍କୁ ଆଶ୍ୱାସନା ଦେଇଛନ୍ତି ରାହୁଲ ଗାନ୍ଧୀ। ଏଆଇସିସି ସିଡବ୍ଲ୍ୟୁସି ବୈଠକ ପରେ ରାହୁଲ ଗାନ୍ଧୀ ଓଡ଼ିଶାର କଂଗ୍ରେସ ବିଧାୟକ, ପୂର୍ବତନ ପିସିସି ସଭାପତି ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। କେଉଁ କାର୍ଯ୍ୟ ପନ୍ଥା ବା ରାଜନୈତିକ କାର୍ଯ୍ୟକ୍ରମ ଗ୍ରହଣ କଲେ ଓଡ଼ିଶାରେ ଦଳର ସ୍ଥିତି ସୁଧାରିବ। ବର୍ତ୍ତମାନ ପରିସ୍ଥିତିରେ କାହାକୁ ପିସିସି ଦାୟିତ୍ୱ ଦିଆଯିବା ଉଚିତ। ଏହି ୨ଟି ପ୍ରଶ୍ନ ରାହୁଲ ସବୁ କଂଗ୍ରେସ ନେତାଙ୍କୁ ପଚାରିଥିଲେ।

ଏଆଇସିସି ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ କରିବା ଆପାତତଃ ଚୂଡ଼ାନ୍ତ ହୋଇଥିବା ବେଳେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ବ୍ୟକ୍ତିଗତ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ ରାହୁଲ ଗାନ୍ଧୀ ପ୍ରାୟ ୮ଜଣ ନେତାଙ୍କୁ ପିସିସି ସଭାପତି ହେବାକୁ ଆଗ୍ରହୀ କି ବୋଲି ପଚାରିଥିବା ଜଣାପଡ଼ିଛି। ତନ୍ମଧ୍ୟରୁ ପାଖାପାଖି ୫ ଜଣ ନେତା ସଭାପତି ହେବା ନିମନ୍ତେ ନିଜର ଆଗ୍ରହ ବ୍ୟକ୍ତ କରିଛନ୍ତି। ଦୁଇଜଣ ବରିଷ୍ଠ ବିଧାୟକ କୌଣସି ପରିସ୍ଥିତିରେ ଶରତ ପଟ୍ଟନାୟକଙ୍କୁ ନ କରିବା ପାଇଁ ରାହୁଲଙ୍କ ନିକଟରେ ମତ ରଖିଛନ୍ତି। ବିଧାୟକ ତାରା ବାହିନୀ ପତି ଏବଂ ନରସିଂହ ମିଶ୍ର ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାନଯାଉ ବୋଲି ରାହୁଲଙ୍କୁ କହିଥିବା ସୂଚନା ରହିଛି।

ଅନ୍ୟପକ୍ଷରେ ଉପକୂଳ ଅଞ୍ଚଳର ଜଣେ ବିଧାୟକଙ୍କ ସପକ୍ଷରେ କେତେକ ନେତା ମତ ରଖିଥିବା ଆଲୋଚନା ହେଉଛି। ମାତ୍ର ଏନେଇ କୌଣସି ନେତା ସ୍ପଷ୍ଟ ଭାବରେ କିଛି କହିବାକୁ ଚାହିଁ ନାହାନ୍ତି। ଆଲୋଚନା ପରେ ରାହୁଲ ଗାନ୍ଧୀ ରାଜ୍ୟ କଂଗ୍ରେସ ନେତାଙ୍କ ସହ ଏକ ଫଟୋ ଉଠାଇଥିଲେ। ଏହି ଫଟୋ ଉଠାଇବା ସମୟରେ ପୂର୍ବତନ କାର୍ଯ୍ୟକାରୀ ସଭାପତି ଭକ୍ତ ଚରଣ ଦାସ ଅନୁପସ୍ଥିତ ରହିବା ଭିନ୍ନ ବାର୍ତ୍ତା ଦେଉଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାହୁଲ ଗାନ୍ଧୀ ବିହାର ଦାୟିତ୍ୱରୁ ଭକ୍ତଙ୍କୁ ଅପସାରିତ କରି ଓଡ଼ିଶାର ସାଙ୍ଗଠନିକ ଦାୟିତ୍ୱ ଦେବା ନେଇ ବିଚାର କରିପାରନ୍ତି। ଏମିତିକି ଭକ୍ତ ଦାସ ନୂଆ ମଙ୍ଗୁଆଳ ହେଲେ କେମିତି ହେବ ବୋଲି ରାହୁଲ ପଚାରିଥିବା ସୂଚନା ରହିଛି । ପୁନଶ୍ଚ ମହମ୍ମଦ ମୋକ୍କିମ ପ୍ରଥମ ଥର ବିଧାୟକ ଏବଂ ସପ୍ତଗିରି ଉଲ୍ଲାକା ୧ମ ଥର ସାଂସଦ ହୋଇଥିବାରୁ ତାଙ୍କୁ ଶୀର୍ଷ ସାଙ୍ଗଠନିକ ଦାୟିତ୍ୱ ଦେବା ନେଇ ଏଆଇସିସି ସ୍ତରରେ ସେମିତି କୌଣସି ସକାରାତ୍ମକ ମତ ଆସିପାରୁ ନାହିଁ। ବରିଷ୍ଠ ନେତାମାନଙ୍କ ମତାମତ ବିଧାୟକମାନଙ୍କ ମତାମତ ଠାରୁ ଭିନ୍ନ ରହୁଥିବାରୁ ସର୍ବସମ୍ମତ ପିସିସି ସଭାପତି ନିଯୁକ୍ତି ନେଇ କୌଣସି ନିର୍ଯ୍ୟାସ ବାହାରି ନାହିଁ। ଏହାବ୍ୟତୀତ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଏବଂ ମୁଖ୍ୟ ସଚେତକ ପଦରୁ ତାରା ପ୍ରସାଦ ବାହିନୀପତି ଇସ୍ତଫା ଦେବା ପ୍ରସଙ୍ଗରେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଅବଗତ କରାଯାଇଥିବାରୁ ଏହି ଦୁଇ ପଦରେ କାହାକୁ ଅବସ୍ଥାପିତ କରାଯିବ ତାହା ଏଯାଏ ନିର୍ଣ୍ଣୟ ହୋଇନାହିଁ। ତେବେ ଏ ନେଇ ଖୁବ୍‍ ଶୀଘ୍ର ନିଷ୍ପତ୍ତି ନିଆଯାଇପାରେ ବୋଲି ଦଳର ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭକ୍ତ ଦାସ ୟୁପିଏ ସରକାରରେ କେନ୍ଦ୍ରରେ ମନ୍ତ୍ରୀ ଥିଲେ । ଏବଂ ବିହାର ପ୍ରଭାରୀ ହେବା ପରେ ଦିଲ୍ଲୀ କଂଗ୍ରେସରେ ତାଙ୍କର ପତିଆରା ବଢ଼ିଛି । ପୂର୍ବରୁ ଭକ୍ତ ଦାସ ମଧ୍ୟ ପିସିସି ସଭାପତି ରେସରେ ଥିଲେ । ତେଣୁ ଚଳିତଥର କଳହାଣ୍ଡିର ଏହି ନେତା ନୂଆ ପିସିସି ସଭାପତି ହୋଇପାରନ୍ତି।

Leave A Reply

Your email address will not be published.