Latest Odisha News

BREAKING NEWS

ମହିଳା ସଂରକ୍ଷଣ ବିଲକୁ ରାହୁଲ ଗାନ୍ଧୀଙ୍କ ସମର୍ଥନ, ଆନନ୍ଦ ପ୍ରକାଶ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସଂସଦ ଓ ସମସ୍ତ ରାଜ୍ୟ ଗୁଡ଼ିକର ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ପାସ୍ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ପତ୍ର ଦ୍ୱାରା ଅନୁରୋଧ କରିବାର ଦିନକ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ସମର୍ଥନ କରିଛନ୍ତି ।

ଯେଉଁ ରାଜ୍ୟରେ କଂଗ୍ରେସ ଶାସନ କରୁଛି ବା ମେଣ୍ଟ ଦ୍ୱାରା ପରିଚାଳିତ ରାଜ୍ୟ ସରକାରମାନଙ୍କୁ ରାହୁଲ ଗାନ୍ଧୀ ସଂସଦରେ ମହିଳାଙ୍କ ସ୍ଥାନ ସଂରକ୍ଷଣ ବିଲ୍ ପାରିତ କରିବାକୁ ଅନୁରୋଧ କରି ପତ୍ର ଲେଖିଥିଲେ । କେନ୍ଦ୍ର ସରକାର ଏହି ବିଲକୁ ତୁରନ୍ତ ପାସ କରିବା ନେଇ କଂଗ୍ରେସ ଅଧ୍ୟକ୍ଷ ଯୁକ୍ତି ବାଢିଛନ୍ତି ।

ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ ସେ ଏହାକୁ ସମର୍ଥନ କରିଥିବା ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ, ଅନ୍ୟ ସମସ୍ତ ଦଳ ମଧ୍ୟ ଏହାକୁ ସମର୍ଥନ କରିବା ଆବଶ୍ୟକ ।”

ପଞ୍ଚାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ରାହୁଲ ଗାନ୍ଧୀଙ୍କୁ ଚିଠି ଦ୍ୱାରା କହିଛନ୍ତି, “ ଶୀତକାଳୀନ ଅଧିବେଶନରେ ସଂସଦର ଲୋକସଭା ଏବଂ ଅନ୍ୟ ସମସ୍ତ ରାଜ୍ୟ ବିଧାନସଭାରେ ଏହି ବିଲ୍ ପାରିତ ହେବା ପୂର୍ବରୁ ଏକ-ତୃତୀୟାଂଶ ମହିଳାଙ୍କ ସ୍ଥାନ ସଂରକ୍ଷଣ ନିମନ୍ତେ ରାଜ୍ୟ ବିଧାନସଭାରେ ଏହି ବିଲ୍ ପାସ୍ ହେବା ନିତାନ୍ତ ଆବଶ୍ୟକ ।”

ଭାରତରେ ଅନୁଷ୍ଠିତ ହେବାକୁ ଥିବା ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହି ମହିଳା ସଂରକ୍ଷଣ ବିଲ୍ ସମସ୍ତ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଲାଗି ଏବେ ଏକ ପ୍ରସଙ୍ଗ ହୋଇ ଗୁରୁତ୍ୱ ବହନ କରିବାରେ ଲାଗିଛି ।

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଗତ ନଭେମ୍ବର ୨୦ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସମସ୍ତ ଦଳର ସଦସ୍ୟ ମାନଙ୍କୁ ମହିଳା ମାନଙ୍କ ଲାଗି ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ପ୍ରସ୍ତାବ ଆଣିବା ସହିତ ସର୍ବସମ୍ମତ ଭାବେ ଏହି ବିଲଟିକୁ ପାସ୍ କରିବାକୁ ଅନୁରୋଧ କରିଥିଲେ । ଏହି ବିଲଟି ଓଡ଼ିଶା ବିଧାନସଭାରେ ପାରିତ ହୋଇଥିଲା ।

ଏନେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଡ଼ିସେମ୍ବର ୬ ତାରିଖରେ ନବୀନ ନିବାସରେ ଅନୁଷ୍ଠିତ ଏକ ବୈଠକରେ ଆଲୋଚନା ହୋଇ ୭ଟି ଜାତୀୟ ତଥା ଆଞ୍ଚଳିକ ଦଳ ଗୁଡ଼ିକର ନେତୃତ୍ୱଙ୍କୁ ଭେଟିବାର ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Leave A Reply

Your email address will not be published.