ନୂଆଦିଲ୍ଲୀ: ‘ଭାରତ ଯୋଡୋ ଯାତ୍ରା’ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଧଳା ରଙ୍ଗର ଟି-ସାର୍ଟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରବଳ ଶୀତ ତଥା ପ୍ରତିକୂଳ ପାଗରେ ମଧ୍ୟ ସେ କେବଳ ଗୋଟିଏ ଧଳା ଟି-ସାର୍ଟ ପିନ୍ଧି ଦୀର୍ଘ ପଦଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ତାଙ୍କର ଫ୍ୟାସନ ଷ୍ଟାଇଲରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଛି। ବର୍ତ୍ତମାନ ସେ ଧଳା ଟି-ସାର୍ଟ ପରିବର୍ତ୍ତେ ବିଭିନ୍ନ ରଙ୍ଗର ସାର୍ଟ ଓ ଟି-ସାର୍ଟ ପିନ୍ଧି ସାଧାରଣ ସଭା ଏବଂ କାର୍ଯ୍ୟକ୍ରମଗୁଡ଼ିକରେ ନଜର ଆସୁଛନ୍ତି। ରାଜନୈତିକ ବିଶେଷଜ୍ଞଙ୍କ ମତରେ, ରାହୁଲଙ୍କ ଏହି ବଦଳୁଥିବା ପୋଷାକର ରଙ୍ଗ ପଛରେ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବାର ଏକ ସୁଚିନ୍ତିତ ରଣନୀତି ଲୁଚି ରହିଛି ।

ସମ୍ପ୍ରତି ଯୁବବର୍ଗଙ୍କ ସହ ସିଧାସଳଖ ଯୋଡ଼ି ହେବା ଉଦ୍ଦେଶ୍ୟରେ ରାହୁଲ ଗାନ୍ଧୀ ‘ଛାତ୍ରୋଂ କି ଗୁଞ୍ଜ’ କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶ ଗସ୍ତ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ ପେପର ଲିକ୍, ବେରୋଜଗାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ତେବେ ଲକ୍ଷ୍ୟ କରିବାର କଥା ହେଉଛି, ଭିନ୍ନ ଭିନ୍ନ ସହରରେ ତାଙ୍କ ପୋଷାକର ରଙ୍ଗ ମଧ୍ୟ ବଦଳୁଛି।

ଉଦାହରଣ ସ୍ୱରୂପ, ରାଜସ୍ଥାନର କୋଟାରେ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ ବେଳେ ସେ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ଉତ୍ତରାଖଣ୍ଡର ଡେରାଡୁନରେ ତାଙ୍କୁ ଗୋଲାପୀ ରଙ୍ଗର ସାର୍ଟରେ ଦେଖିବାକୁ ମିଳିଥିଲା। ସେହିପରି ମହାରାଷ୍ଟ୍ରର ପୁଣେଠାରେ ଦେଶର ମହିଳାମାନଙ୍କୁ ସମ୍ବୋଧିତ କରିବା ସମୟରେ ସେ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିଲେ ।

ଗତ କିଛି ବର୍ଷ ଧରି ଲୋକସଭା ତଥା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ଦେଶର ନୂଆ ଓ ଯୁବବର୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ପ୍ରତି ଅଧିକ ଆକୃଷ୍ଟ ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼ିଛି। ତେଣୁ ଏହି ନିର୍ଣ୍ଣାୟକ ଭୋଟ୍ ବ୍ୟାଙ୍କକୁ ନିଜ ଆଡ଼କୁ ଟାଣିବା ପାଇଁ ରାହୁଲ ଏବେ କେବଳ ଛାତ୍ରମାନଙ୍କର ପ୍ରସଙ୍ଗ ଉଠାଉନାହାନ୍ତି, ବରଂ ନିଜକୁ ସେମାନଙ୍କ ଫ୍ୟାସନ ଏବଂ ଢଙ୍ଗରେ ଢାଳିବାକୁ ଚେଷ୍ଟା କରୁଛନ୍ତି। ପାରମ୍ପରିକ ରାଜନୈତିକ ପୋଷାକ କୁର୍ତ୍ତା-ପାଇଜାମା ପରିବର୍ତ୍ତେ ଟି-ସାର୍ଟ ପିନ୍ଧି ସେ ଯୁବପିଢ଼ିଙ୍କ ସହ ଅଧିକ ସହଜରେ ମିଶିବାକୁ ପ୍ରୟାସ କରୁଛନ୍ତି ।
ଅନ୍ୟପକ୍ଷରେ, ବିଜେପି ରାହୁଲଙ୍କ ଏହି ଫ୍ୟାସନକୁ ତାଙ୍କର ‘ଅଣ-ଗମ୍ଭୀର’ ତଥା ଅପରିପକ୍ୱ ରାଜନୈତିକ ମନୋଭାବ ବୋଲି କହି ସମାଲୋଚନା କରିଆସୁଛି। ମାତ୍ର କଂଗ୍ରେସ ଦଳ ଭିତରେ ଏହାର ଏକ ସକାରାତ୍ମକ ଏବଂ ଆଧୁନିକ ପ୍ରଭାବ ଦେଖିବାକୁ ମିଳିଛି। ରାହୁଲଙ୍କୁ ଅନୁସରଣ କରି ଦଳର ଅନେକ ବରିଷ୍ଠ ତଥା ଯୁବ ନେତା ଏବେ କୁର୍ତ୍ତା-ପାଇଜାମା ଛାଡ଼ି ଟି-ସାର୍ଟ ପିନ୍ଧିବା ଆରମ୍ଭ କଲେଣି । ଆଗାମୀ ନିର୍ବାଚନଗୁଡ଼ିକରେ ରାହୁଲଙ୍କ ଏହି ନୂଆ ତଥା ରଙ୍ଗୀନ ଅବତାର ଯୁବ ଭୋଟରଙ୍କୁ କେତେ ମାତ୍ରାରେ ପ୍ରଭାବିତ କରିବ, ତାହା ସମୟ କହିବ ।

