Latest Odisha News

BREAKING NEWS

ଚିନ୍ତନ ଶିବିରରେ ରାହୁଲଙ୍କ ବୟାନ, ବିଗାଡି ଦେବ କି ବିଜେପି ବିରୋଧରେ ଖେଳ ?

ନୂଆଦିଲ୍ଲୀ: ରାଜସ୍ଥାନ ଉଦୟପୁରରେ ଆୟୋଜିତ ହେଉଥିବା ଚିନ୍ତନ ଶିବିର ଶେଷ ହୋଇଛି। ଶିବିର ଜରିଆରେ ଦଳୀୟ କର୍ମୀଙ୍କୁ ରାହୁଲ ଗାନ୍ଧୀ ଗୋଟିଏ ବଡ ବାର୍ତ୍ତା ଦେବେ ବୋଲି କୁହାଯାଉଥିଲା। ତେଣୁ ଏହି ଶିବିର ଉପରେ ସାରା ଦେଶର ରାଜନୈତିକ ପ୍ରେମୀଙ୍କର ନଜର ଥିଲା । କିନ୍ତୁ ରାହୁଲ ଗାନ୍ଧୀ ଏହି ଶିବିର ବେଳେ ଏଭଳି ଏକ ବୟାନ ଦେଇଛନ୍ତି ଯାହା ସମସ୍ତ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ଆଉ ଅନେକ ଆଞ୍ଚଳିକ ରାଜନୈତିକ ଦଳ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ଆପତ୍ତି ଉଠାଇଛନ୍ତି। ରାଜନୀତିକ ବିଶଷଜ୍ଞ ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତିର ଲାଭ ଏବଂ କ୍ଷୟକ୍ଷତିର ଆକଳନ କରିବା ଆରମ୍ଭ କରିଛନ୍ତି।

ରାହୁଲ ଗାନ୍ଧୀ ବିବୃତ୍ତି ଦେଇ କହିଛନ୍ତି ଯେ ଯଦି କୌଣସି ଦଳ ବିଜେପିକୁ ପରାସ୍ତ କରିପାରିବ ତେବେ ଏହା କଂଗ୍ରେସ ଦଳ। ଆଞ୍ଚଳିକ ଦଳ ବିଜେପିକୁ ପରାସ୍ତ କରିପାରିବ ନାହିଁ। ଏହି ସମୟରେ ରାହୁଲ ଗାନ୍ଧୀ ଆରଏସଏସ-ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ ସେମାନଙ୍କ ଆଦର୍ଶ ଦେଶ ପାଇଁ ବିପଦ ଏବଂ ଆଞ୍ଚଳିକ ଦଳଗୁଡିକରେ ଏପରି ଆଦର୍ଶ ନାହିଁ ଯେ ସେମାନେ ବିଜେପିକୁ ପରାସ୍ତ କରିପାରିବେ।

ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତିରେ ଆଞ୍ଚଳିକ ଦଳ ପାଲଟା ଜବାବ ଦେଇଛନ୍ତି। ରାହୁଲଙ୍କ ମନ୍ତବ୍ୟ ଅପରିପକ୍ୱ। ସମାଜବାଦୀ ପାର୍ଟି କହିଛି ଯେ ଚିନ୍ତନ ଶିବିରର ଏହି ବାର୍ତ୍ତା ଦେଶର ରାଜନୀତି ପାଇଁ ବିପଜ୍ଜନକ । ଆରଜେଡି ମୁଖପାତ୍ର ମନୋଜ କୁମାର ଝା କହିଛନ୍ତି ଯେ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢିବାରେ ଆଞ୍ଚଳିକ ଦଳ କଂଗ୍ରେସ ଅପେକ୍ଷା ଅଧିକ ଶକ୍ତିଶାଳୀ। କଂଗ୍ରେସ ଆଞ୍ଚଳକି ଦଳକୁ ଏହାର ଅଂଶୀଦାର ଭାବରେ ବିବେଚନା କରିବା ଉଚିତ ଏବଂ ତାଙ୍କୁ ‘ଡ୍ରାଇଭିଂ ସିଟ୍’ରେ ରଖିବାକୁ ଦିଆଯାଉ। ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ସମାନ କଥା କହିଛନ୍ତି।

ତେବେ ରାହୁଲ ଗାନ୍ଧୀଙ୍କ ଏହି ବିବୃତ୍ତିର ଅନେକ ଅର୍ଥ ଅଛି। କଂଗ୍ରେସ ଉପରେ ନଜର ରଖିଥିବା ରାଜନୀତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଅନେକ ରାଜ୍ୟରେ ବିଜେପି ବିରୋଧରେ କେବଳ ଆଞ୍ଚଳିକ ଦଳ ସରକାରରେ ରହିଛନ୍ତି । ସେଠାରେ କଂଗ୍ରେସ ଦୁର୍ବଳ ହେଉଛି। କିନ୍ତୁ ଏହା ସତ୍ତ୍ୱେ ବିଜେପି କ୍ରମାଗତ ଭାବରେ ରାଜ୍ୟଗୁଡିକରେ ସରକାର ଗଠନ କରୁଛି। କଂଗ୍ରେସ ନେତୃତ୍ୱ ବହୁତ ଭଲ ଭାବରେ ଜାଣନ୍ତି ଯେ ଯଦି ରାଜ୍ୟରେ ଆଞ୍ଚଳିକ ଦଳଗୁଡିକ ଶକ୍ତିଶାଳୀ ହୁଅନ୍ତି, ତେବେ କଂଗ୍ରେସ ଦୁର୍ବଳ ହେବ ଏବଂ ଯଦି କଂଗ୍ରେସ ମଜବୁତ ହେବ ତେବେ ସାରା ଦେଶରେ ପରିଚୟ ବଜାୟ ରଖିବାକୁ ପଡିବ।

ତେବେ କଂଗ୍ରେସ ଦୀର୍ଘ ଦିନ ଧରି ସାରା ଦେଶରେ ପରିଚୟ ପାଇଁ ଲଢେଇ କରୁଛୁ। ବିଜେପି କଂଗ୍ରେସକୁ ଚେକ୍ ଦେଇ ଆଗକୁ ବଢିବା ପରେ ବିଭିନ୍ନ ରାଜ୍ୟରେ ମଧ୍ୟ ଆଞ୍ଚଳିକ ଦଳ ମଜବୁତ ହୋଇଛି। ଚିନ୍ତନ ଶିବିର ଜରିଆରେ ରାହୁଲ ଗାନ୍ଧୀ ଏଭଳି ବୟାନ ଦେଇ ଦଳୀୟ କର୍ମୀ ଏବଂ ସମର୍ଥକଙ୍କୁ ଉତ୍ସାହିତ କରିପାରନ୍ତି। କିନ୍ତୁ ସେହି ସମୟରେ ସେ ପରୋକ୍ଷରେ ଆଉ ଏକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରୁଛନ୍ତି ଯେ କଂଗ୍ରେସ ହେଉଛି ଏକମାତ୍ର ଦଳ ଯାହା ବିଜେପିକୁ ପରାସ୍ତ କରିପାରିବ। ଏବଂ ସେମାନେ ଏହା କହୁଛନ୍ତି କାରଣ ବିଗତ ବର୍ଷଗୁଡିକରେ ଅନେକ ଦଳ ଏକାଠି ହୋଇ ବିଜେପିକୁ ଚେକ୍ ଚେଷ୍ଟା କରୁଛନ୍ତି।

ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ପାଇଁ ଦେଶର ବିଭିନ୍ନ ଆଞ୍ଚଳିକ ଦଳ ଏକଜୁଟ ହେଉଛନ୍ତି । ଯାହାକୁ ପରୋକ୍ଷରେ କଂଗ୍ରେସ ଗ୍ରହଣ କରିପାରୁନି। ବିଭିନ୍ନ ସମୟରେ କଂଗ୍ରେସ ନେତା କହିଛନ୍ତି, କଂଗ୍ରେସକୁ ସାଙ୍ଗରେ ନନେଲେ ସାରା ଦେଶରେ ବିଜେପି ବିରୋଧରେ ଲଢେଇ କରିବା ସହଜ ହେବନି । ଅର୍ଥାତ ଆଞ୍ଚଳିକ ଦଳ ମାନେ କଂଗ୍ରେସ ସହିତ ବୁଝାମଣା କରି ବିଜେପି ବିରୋଧରେ ନିର୍ବାଚନ ଲଢିବା ଦରକାର । କିନ୍ତୁ ରାହୁଲ ଗାନ୍ଧୀଙ୍କ ଏପରି ବୟାନକୁ ଯଦି ଆଞ୍ଚଳିକ ଦଳ ପ୍ରସଙ୍ଗ କରିବେ ତାହେଲେ ପରୋକ୍ଷରେ ବିଜେପିକୁ ନିର୍ବାଚନ ଲଢିବା ସହଜ ହୋଇଯିବ।

Leave A Reply

Your email address will not be published.