ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ବିଜେଡି ନେତାଙ୍କ ସମେତ ବହୁ ଠିକାଦାର ଓ ବାଲି ବ୍ୟବସାୟୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢାଉ ଜାରି ଜାରି ରହିଛି । ଏହି ଚଢାଉ ସମୟରେ ଆଲମିରା ଭର୍ତ୍ତି ଟଙ୍କା ମିଳିଛି । ଯାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳ ଅଧିକାରୀଙ୍କ ହୋସ୍ ଉଡାଇ ଦେଇଛି । ଏକାଧିକ ବିଳାସପୂର୍ଣ୍ଣ ଗାଡି ସହ ଚୋରା ମଦ କାରବାରର ମଧ୍ୟ ପ୍ରମାଣ ମିଳିଛି ।
ଟିକସ ଫାଙ୍କି ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ଇଡି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ରହ୍ମପୁର ସହର ସମେତ କନିଶି, ଶେରଗଡ଼ ଓ ଆସିକା ଅଞ୍ଚଳରେ ଇଡି ଅଧିକାରୀମାନେ ଚଢ଼ାଉ କରି ବହୁ କାଗଜପତ୍ର ଜବତ କରିଛିନ୍ତି । ବାଲି ମାଫିଆଙ୍କ କଳାଧନକୁ ନେଇ ଏକ ତାଲିକା ପ୍ରସ୍ତୁତ କରିଛି ଇଡି । ଅଭିଯୁକ୍ତ କୃପାସିନ୍ଧୁ ନାଁରେ ଅଛି ସବୁ ଖଣିର କାଗଜପତ୍ର । ଗଞ୍ଜାମରେ ବାଲି ମାଫିଆ ଚଳାଇଥିଲେ ଦେଶୀ ମଦ ଭାଟି । ରାଜ୍ୟ ବାହାରର ଲିଙ୍କ ଖୋଳତାଡ଼ ପାଇଁ ୬ଟି ଟିମ୍ ଗଠନ ହୋଇଛି ।
ତେବେ ଲାଞ୍ଜିପଲ୍ଲୀ ଉମନଗର ଅଞ୍ଚଳର ବାଲି ମାଫିଆ କୃପାସିନ୍ଧୁ ମୁଦୁଲିଙ୍କ ବ୍ୟତୀତ, ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ର ବିଜେଡି ନେତା ତଥା ଠିକାଦର ହୃଷୀକେଶ ପାଢ଼ୀ ଓ ତାଙ୍କ ପୁଅ ସଚିନ ପାଢ଼ୀଙ୍କ ଘର, ଆସିକାର ବାଲି ବ୍ୟବସାୟୀ ଭଗବାନ୍ ସାହୁ, ବ୍ରହ୍ମପୁର କନିଶିର ସୁନୀଲ ପାତ୍ର, ଶୁଭାଶିଷ ସାହୁ ଓରଫ ବଣ୍ଟିଙ୍କ ଘରେ ଚଢ଼ାଉ କରାଯାଉଛି ।
ଏମାନେ ବେନାମୀ ଲୋକଙ୍କ ନାଁରେ ବାଲିଘାଟ ଟେଣ୍ଡର ନେଇ ବ୍ୟବସାୟ କରୁଥିବା ଅଭିଯୋଗ ରହିଛି । ଏପରିକି ସେମାନେ ଦୀର୍ଘଦିନ ହେବ ବେଆଇନ ଭାବେ ବାଲି ଖନନ କରି ବିପୁଳ ଟଙ୍କା ରୋଜଗାର କରିଥିବା ବେଳେ ଟିକସ ମଧ୍ୟ ପୈଠ କରୁ ନ ଥିଲେ । କିଛିଦିନ ହେବ ଇଡି ପକ୍ଷରୁ ସେମାନଙ୍କ ଉପରେ କଡା ନଜର ରଖାଯାଇଥିଲା । ପରେ ସର୍ଚ୍ଚ ୱାରେଣ୍ଟ ସହ ଇଡି ପକ୍ଷରୁ ଏହି ବଡ଼ ଧରଣର ରେଡ୍ କରାଯାଉଛି ।