Latest Odisha News

BREAKING NEWS

ଆସନ୍ତା ୨୦ରେ ଆଦୀଵାସୀ କୁଡୁମୀ ସମାଜ ପକ୍ଷରୁ ରେଳ ଅବରୋଧ ଡାକରା

ମୟୂରଭଞ୍ଜ: ସେପ୍ଟେମ୍ବର ୨୦ରେ ରେଳ ଅବରୋଧ ଡାକରା ଦେଇଛି ଆଦିବାସୀ କୁଡୁମୀ ସମାଜ । କୁଡୁମୀ ଜାତିକୁ ଅନୁସୂଚିତ ଜନଜାତି ତାଲିକା ଭୁକ୍ତ କରିବା ଦାବିରେ ଏହି ଡାକରା ଦିଆଯାଇଥିବା ଖବର ରହିଛି । କେନ୍ଦ୍ରୀୟ କମିଟି ଅଧ୍ୟକ୍ଷ ଅଜିତ ପ୍ରସାଦ ମହାନ୍ତଙ୍କ ନିର୍ଦ୍ଦେଶ କ୍ରମେ ସେପ୍ଟେମ୍ବର ୨୦ରେ ତିନୋଟି ରାଜ୍ୟରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ରେଳ ଷ୍ଟେସନରେ ରେଳ ରୋକ କରାଯିବ ।

ଏନେଇ ଆଜି ବାରିପଦା ଷ୍ଟାଡିଅମ ଠାରେ ଆଦିବାସୀ କୁଡୁମୀ ସମାଜ ଓ କୁଡୁମୀ ଏକତା ମଞ୍ଚ ତରଫରୁ ରାଜ୍ୟ ସଭାପତି ଡ଼ା ମୋନଜ କୁମାର ମହାନ୍ତଙ୍କ ସଭାପତିତ୍ୱରେ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉକ୍ତ ବିଷୟ ଉପରେ ସବିଶେଷ ଆଲୋଚନା କରାଯାଇ ସର୍ବ ସମ୍ମତି କ୍ରମେ ଏହି ରେଳ ଅବରୋଧ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ଦୀର୍ଘ ବର୍ଷ ଧରି କୁଡୁମୀ ମାନଙ୍କର ST ମାନ୍ୟତା ଦାବିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଣଦେଖା କରୁଥିବା ଏବଂ କୁଡୁମାଲି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଆଜି ପର୍ଯ୍ୟନ୍ତ ସାମିଲ ନ କରିବା ନେଇ ଆସନ୍ତା ୨୦ ସପ୍ଟେମ୍ବର ସକାଳ ୫ଟାରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦା ସ୍ଥିତ ଭଞ୍ଜପୁର ରେଳ ଷ୍ଟେସନ ଠାରେ ରେଳ ଅବରୋଧ କରାଯିବା ନେଇ ମୟୂରଭଞ୍ଜ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ରେଳ ବିଭାଗ ର ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିବା ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଆଦିବାସୀ କୁଡୁମୀ ସମାଜର ଜିଲ୍ଲା ସଭାପତି ନିରଞ୍ଜନ ମହାନ୍ତ, ରାଜ୍ୟ ସଂଯୋଜକ ସଂଜୀବ କୁମାର ମହାନ୍ତ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସ୍ନେହାଶିଷ ମହାନ୍ତ, ଲଳିତ ରଞ୍ଜନ ମହାନ୍ତ ଓ ଉପଦେଷ୍ଟା କୃପାସିନ୍ଧୁ ମହାନ୍ତ ପ୍ରଭୁତି ସଂଖ୍ୟାଧିକ ଲୋକ ଯୋଗ ଦେଇଥିଲେ । ତେବେ ଯଥାଶୀଘ୍ର ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯଦି କୁଡୁମୀ ମାନଙ୍କ ଏହି ଦାବି ଉପରେ ଗୁରୁତ୍ୱ ନ ଦିଅନ୍ତି ତାହାଲେ ଏହି ଆନ୍ଦୋଳନ ଆଗକୁ ଭୟଙ୍କର ରୂପ ନେବ ବୋଲି ଚେତାବନୀ ଦେଇଛି ଆଦିବାସୀ କୁଡୁମୀ ସମାଜ ।

Comments are closed.