Latest Odisha News

BREAKING NEWS

ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ଦଶପଲ୍ଲାକୁ ଗଡ଼ିଲା ୪ଟି ଟ୍ରେନ୍

ଭୁବନେଶ୍ଵର: ବହୁତ ଦିନର ଅପେକ୍ଷା ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଗଡ଼ିଲା ଟ୍ରେନ। ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଦଶପଲ୍ଲା ରେଳ ଷ୍ଟେସନର ଉଦଘାଟନ କରିବା ସହ ପତାକା ଦେଖାଇ ଏଠାରୁ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ସଂପ୍ରସାରଣ ହେବା ଦ୍ୱାରା ଦଶପଲ୍ଲା ସହିତ ଯୋଡି ହୋଇଥିବା ଅନେକ ଉପାନ୍ତ ଅଂଚଳର ଲୋକମାନେ ଉପକୃତ ହେବେ । ଅଂଚଳର ସାମାଜିକ- ଅର୍ଥନୈତିକ ବିକାଶକୁ ଗତି ପ୍ରଦାନ କରିବ ।

ଲୋକାର୍ପଣ ଉତ୍ସବରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ବଲାଙ୍ଗିର ଯାଏଁ ପହଞ୍ଚିକି ରହିବା, କୌଣସି ବାଧା ଅଟକାଇ ପାରିବନି । ମାଟି ପାଇଁ କାମ କରିବା ବେଳେ କୌଣସି ରାଜନୀତି କରିବାନି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ୨୦୧୪ ପୂର୍ବରୁ ଓଡ଼ିଶାକୁ ୮୦୦ କୋଟି ଟଙ୍କା ମିଳୁଥିଲା ଏବେ ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ମିଳୁଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, “ନୟାଗଡ଼କୁ ଟ୍ରେନ ଚଳାଚଳ ଆରମ୍ଭ ହେବାପରେ ଜିଲ୍ଲାର ଗମନାଗମନ ସୁଦୃଢ଼ ହୋଇଛି। ଏବେ ଦଶପଲ୍ଲାର ଲୋକଙ୍କୁ ମଧ୍ୟ ଏହି ସୁବିଧା ମିଳିବାକୁ ଯାଉଛି। ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପଥରେ ମଧ୍ୟ ଏବେ କାମ ଜୋରସୋରରେ ଚାଲିଛି। ଶୀଘ୍ର ଏହା ସମ୍ପୂର୍ଣ୍ଣ ହେବ ବୋଲି ଆମେ ଆଶାବାଦୀ ଅଛୁ।”

ଏଠାରେ ରେଳମନ୍ତ୍ରୀ ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଗାଁ ରୋଡ ପାସେଞ୍ଜର, ପୁରୀ-ନୂଆଗାଁ ରୋଡ ପାସେଞ୍ଜର ଏବଂ ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନଗୁଡ଼ିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କନ୍ଧମାଳର ସାଂସଦ ତଥା କିଟ୍ ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ମନୋଜ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

ଦଶପଲ୍ଲାରୁ ପୁରୀ ଯିବାକୁ ଥିବା ଟ୍ରେନ ନମ୍ବର ୦୮୪୩୦ ଦଶପଲ୍ଲାରୁ ସକାଳ ୬ଟା ୩୦ରେ ବାହାରି ପୁରୀରେ ପୂର୍ବାହ୍ନ ୧୧ଟା ୧୫ରେ ପହଞ୍ଚିବ । ପୁରୀରୁ ଦଶପଲ୍ଲା ଆସିବାକୁ ପୁରୀରୁ ସଂଧ୍ୟା ୬ଟାରେ ବାହାରି ଦଶପଲ୍ଲାରେ ରାତି ୧୦ଟା ୧୫ରେ ପହଞ୍ଚିବ । ସେହିପରି ଦଶପଲ୍ଲାରୁ ଭୁବନେଶ୍ୱରକୁ ଯିବାକୁ ଥିବା ଟ୍ରେନ ଦଶପଲ୍ଲାରୁ ସକାଳ ୬ଟା ୧୫ରେ ଛାଡି ଭୁବନେଶ୍ୱରରେ ସକାଳ ୯ଟାରେ ପହଞ୍ଚିବ ।

Leave A Reply

Your email address will not be published.