Latest Odisha News

BREAKING NEWS

ଭୁବନେଶ୍ୱରରେ ବର୍ଷା ଓ କୁଆପଥର ମାଡ଼, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ପ୍ରବଳ ଗରମ ଓ ଗୁଳୁଗୁଳି ଭିତରେ ଶନିବାର ଅପରାହ୍ନରେ ହଠାତ୍‌ ବଦଳିଗଲା ରାଜଧାନୀର ପାଗ। ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରେ ବର୍ଷା, କୁଆପଥର, ବଜ୍ରପାତ ଓ ଜୋର ପବନ ଦେଖିବାକୁ ମିଳିଛି। ହଠାତ୍‌ ଆସିଥିବା ଏହି ଝଡ଼ବର୍ଷା ଲୋକଙ୍କୁ ଖରାରୁ ଆଶ୍ୱସ୍ତି ଦେଇଥିଲେ ମଧ୍ୟ କିଛି ସ୍ଥାନରେ ଅସୁବିଧା ସୃଷ୍ଟି କରିଛି।

ଜୋର ପବନ ପ୍ରଭାବରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। କେତେକ ସ୍ଥାନରେ ଗଛର ଡାଳ ଭାଙ୍ଗି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା। ଏହାସହ କିଛି ଦୁର୍ବଳ ଘରୋଇ ଓ ଅସ୍ଥାୟୀ ଗଠନରେ ମଧ୍ୟ କ୍ଷତି ହୋଇଥିବା ଖବର ଆସିଛି।

ଅପରାହ୍ନରେ ହଠାତ୍‌ ମେଘ ହେବାପରେ ରାଜଧାନୀର କିଛି ଅଞ୍ଚଳରେ କୁଆପଥର ମାଡ଼ ମଧ୍ୟ ହୋଇଥିଲା। ଲୋକେ ଗରମରୁ ରକ୍ଷା ପାଇଥିଲେ ମଧ୍ୟ ବଜ୍ରପାତ ଓ ଜୋର ପବନକୁ ନେଇ ଭୟ ଓ ଚିନ୍ତା ଦେଖାଦେଇଥିଲା।

ଏପଟେ ଭାରତୀୟ ପାଣିପାଗ ବିଭାଗ ୧୧ଟି ଜିଲ୍ଲା ପାଇଁ ତତ୍କାଳ ୟେଲୋ ଆଲର୍ଟ ଜାରି କରିଛି। ଅପରାହ୍ନ ୨ଟା ୪୦ରେ ଜାରି ହୋଇଥିବା ସତର୍କତା ଅନୁସାରେ, ଆସନ୍ତା ୩ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ବଜ୍ରପାତ ସହ ବର୍ଷା ଓ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଯେଉଁ ଜିଲ୍ଲାଗୁଡ଼ିକ ପାଇଁ ସତର୍କତା ଦିଆଯାଇଛି, ସେଗୁଡ଼ିକ ହେଲା ଅନୁଗୁଳ, ବାଲେଶ୍ୱର, ନୟାଗଡ଼, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା। କଟକ ସହର, ପୁରୀ ସହର ଏବଂ ଭୁବନେଶ୍ୱର ସହରକୁ ମଧ୍ୟ ଏହି ସତର୍କତା ଭିତରେ ରଖାଯାଇଛି।

ପାଣିପାଗ ବିଭାଗ ଲୋକମାନଙ୍କୁ ସତର୍କ ରହିବାକୁ କହିଛି। ବଜ୍ରପାତ ସମୟରେ ଖୋଲା ଜାଗାରେ ନ ରହିବା, ଗଛ ତଳେ ଆଶ୍ରୟ ନ ନେବା ଏବଂ ପାଗ ଖରାପ ହେଲେ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.