Latest Odisha News

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷିବ, ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡିଶାର ୨ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ମଧ୍ଯରେ ରହିଛି- ବାଲେଶ୍ୱର ଓ ଭଦ୍ରକ। ଆଗାମୀ ୩ଘଣ୍ଟା ମଧ୍ୟରେ ଏହି ଦୁଇଟି ଜିଲ୍ଲାରେ ସାମାନ୍ଯରୁ ମଧ୍ଯମ ଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି।

ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନବାହାରିବା ଏବଂ ବାହାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି। ଉତ୍ତର ବଙ୍ଗୋପସାଗର ଓ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ଲଘୁଚାପ ଦକ୍ଷିଣ ବାଂଲାଦେଶ ଅଞ୍ଚଳରେ ସ୍ଥିର ରହିଛି। ଯାହା ଫଳରେ ସମୁଦ୍ର ପତ୍ତନ ଠାରୁ ୭ କିମି ଉପରେ ବାତ୍ୟାକ୍ଷେତ୍ର ସୃଷ୍ଟି ହେବା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ଢଳି ରହିଛି। ଏହା କ୍ରମଶଃ ଉତ୍ତର ଓ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରିବା ସମ୍ଭାବନା ରହିଛି।

ଏହାର ପ୍ରଭାବରେ ୧୯ ତାରିଖ ସୁଦ୍ଧା ବାଂଲାଦେଶ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ବଡ଼ ଲଘୁଚାପ ବଳୟ ସୃଷ୍ଟି ହେବ। ଫଳରେ ରାଜ୍ୟରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ହେବ। ଏଥିପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର। ୨୧ ତାରିଖରୁ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ସୂଚନା ମିଳିଛି।

୧୮ ତାରିଖରେ ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୯ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ୨୧ ପରେ ବର୍ଷାର ପରିମାଣ କମିବ।

 

Comments are closed.