ନୂଆଦିଲ୍ଲୀ: ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ କିଛି ଦିନ ଧରି ଲଗାତାର ବର୍ଷା ହେଉଛି। ଯାହା ଫଳରେ ନଦୀଗୁଡ଼ିକରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆସାମ, ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ମଣିପୁରରେ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଥିବା ଜଣାପଡ଼ିଛି।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ଅଞ୍ଚଳରେ ସତର୍କତା ଜାରି କରାଯାଇଛି। ଆଗାମୀ ଦିନରେ ଏହି ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହିପରି ହଠାତ୍ ବର୍ଷା ଏବଂ ପରେ ବନ୍ୟା ସମଗ୍ର ଉତ୍ତର-ପୂର୍ବରେ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି।
ଆସାମରେ ଏପର୍ଯ୍ୟନ୍ତ ଭୂସ୍ଖଳନ ଯୋଗୁଁ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ୧୭ ଜିଲ୍ଲା ଜଳମଗ୍ନ ହୋଇଛି ଏବଂ ୭୮,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ମିଜୋରାମରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି, ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।
ରିପୋର୍ଟ ଅନୁଯାୟୀ, ମେଘାଳୟରେ ଗତ ତିନି ଦିନରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି। ୪୯ ଗାଁର ପ୍ରାୟ ୧,୧୦୦ ଲୋକ ଭୂସ୍ଖଳନ, ବନ୍ୟା ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟାହତ ଯୋଗୁଁ ପ୍ରଭାବିତ ହୋଇଛନ୍ତି।
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଭୂସ୍ଖଳନ ଯୋଗୁଁ ନଅ ଜଣଙ୍କ ମୃତ୍ୟୁ ପାଇଁ ଦୁଃଖ ପ୍ରକାଶ କରିଛନ୍ତ। ପୂର୍ବ କାମେଙ୍ଗରେ ସାତ ଜଣ ଏବଂ ଜିରୋ ଭ୍ୟାଲିରେ ଦୁଇଜଣଙ୍କ ପ୍ରାଣହାନି ଘଟିଛି। ପ୍ରତ୍ୟେକ ପ୍ରଭାବିତ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ସେହିପରି ଆଇଏମଡି ଜୁନ୍ ୧ ରୁ ୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ବଜ୍ରପାତ ନେଇ ପୂର୍ବାନୁମାନ କରିଛି। ଅପରପକ୍ଷରେ ଜୁନ୍ ୫ ଏବଂ ୬ରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଅଛି।
Comments are closed.