Latest Odisha News

ରାଜ୍ୟରେ କୋହଲା ପାଗ, ଆସନ୍ତା ୪ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ଵର: ରାଜ୍ୟରେ ଆଜିଠୁ ସାମାନ୍ୟ କମିବ ଶୀତ ଲହରି । ସେପଟେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏଁ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହେବା ସହ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଏବଂ ପୁଡୁଚେରୀରେ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ରାଜ୍ୟରେ ପାଗ କୋହଲା ରହିବା ସହ ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ଆଜି ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ କୋରାପୁଟ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ସେହିପରି ୧୯ରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ୨୦ରେ ପୁରୀ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ଦେବଗଡ଼ ଜିଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ସୂଚନା ଦିଆଯାଇଛି।

ଅନ୍ୟପଟେ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ କନ୍ଧମାଳରେ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳୁଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ୍‌ ଜି.ଉଦୟଗିରିରେ ୪.୭ଡିଗ୍ରୀ ରେକର୍ଡ ହୋଇଥିବାବେଳେ ରାଉରକେଲାରେ ୫.୭ଡିଗ୍ରୀ ରହିଛି। ଆଗାମୀ ୩ଦିନ ପର୍ଯ୍ୟନ୍ତ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। କେତେକ ଅଞ୍ଚଳରେ ରାତି ତାପମାତ୍ରା ବୃଦ୍ଧି ଯୋଗୁ ଶୀତ କମିବା ସମ୍ଭାବନା ରହିଛି।

Leave A Reply

Your email address will not be published.