Latest Odisha News

ଲକଡାଉନ ରଜ; ଫିକା ଫିକା ମଉଜ…

ଭୁବନେଶ୍ୱର: ଆଜି ପହିଲି ରଜ । କରୋନା କଟକଣା ସହ ଆଜି ସାରା ରାଜ୍ୟ ପାଳୁଛି ରଜ ଉତ୍ସବ। ପ୍ରତିବର୍ଷ ଭଳି ପରିସ୍ଥିତି ସାଧାରଣ ଥିଲେ, ଆଜି ଉତ୍ସବମୁଖର ହୋଇଥାନ୍ତା ସାରା ରାଜ୍ୟ । ସହରଠୁ ଗାଁ ସବୁଠି ଜମିଥା’ନ୍ତା ଆସର। କେତେ ହସଖୁସି ବନ୍ଧୁବାନ୍ଧବରେ ଉଠୁଥାନ୍ତା ପଡୁଥାନ୍ତା ଘର । ସଜବାଜ ହୋଇ ଦଳବଳ ନେଇ ଘର ଘର ବୁଲି ପିଠା ଖାଇଥାନ୍ତେ ସାହି ଝିଅ। ପାଟିରେ ମିଠା ପାନ ଜାକି ଗାଁ ବରଗଛ ଦୋଳିରେ ଝୁଲି ଝୁଲି ଗୀତ ଗାଇ ଥା’ନ୍ତେ,

“ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ହୁଅ ବେଗେ ସଜବାଜ” ।
ହେଲେ ଏହି ମହମାରି କରୋନା ପାଇଁ ଆଜି ଫିକା ପଡିଛି ରଜ ମଉଜ। ନା ହେଉଛି ଖୁସି ଗପ, ନା ହେଉଛି ଗାଁ ପଡ଼ିଆରେ ବାଗୁଡି ଖେଳ । ପିଲା ଠୁ ଆରମ୍ଭ କରି ବୁଢା ଯାଏଁ ମନମାରି ବସିଛନ୍ତି ଘର ଭିତରେ । ଏହି ମାରାତ୍ମକ ଭୂତାଣୁ ଆଜି ଛଡାଇ ନେଇଛି ଓଡ଼ିଶାର ସବୁଠୁ ବଡ଼ ପର୍ବର ଆନନ୍ଦ।
କଟକଣା ଥିଲେ ସୁଦ୍ଧା । ନିଜ ପରମ୍ପରାକୁ ବଜାଇ ରଖିବା ପାଇଁ ଘରେ ରହି ପାଳନ ହେଉଛି ରଜ । ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି । ଗାଁ ଦାଣ୍ଡକୁ ନଯାଇ ପାରିଲେ ସୁଦ୍ଧା ନିଜ ଅଗଣାରେ ଲାଗିଛି ରାଜଦୋଳି । ରଜଗୀତ ସହ ପୋଡପିଠା,ମିଠା, ଖିଲିପାନରେ ଆଜି ବି ମହକୁଛି ପରିବେଶ । ଝିଅ ବୋହୂମାନେ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ କୁଙ୍କୁମ ଲଗାଇ ନିଜ ଅଗଣାରେ ଖେଳୁଛନ୍ତି ରଜଦୋଳି । ଚଳିତ ବର୍ଷ ରଜର ଏହି ନିଆରା ଦୃଶ୍ୟ ସତରେ ବିରଳ ।

Leave A Reply

Your email address will not be published.