Latest Odisha News

BREAKING NEWS

ମଲଡୋଭା ପ୍ରାକ୍ତନ ପ୍ରଧାନମନ୍ତ୍ରୀଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ, ୩ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: ମଲଡୋଭା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଚିରିଲ୍ ଗାବୁରିସି, ଆମେରିକାର ବୋଥେଲ୍ ସହରର ମେୟର ମାସନ୍ ଥମ୍ପସନ୍ ଓ ମୋଣ୍ଟାନା ୱାର୍ଲ୍ଡ ଆଫେୟାର୍ସ କାଉନସିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ନିକି ଗିଜଲରଙ୍କୁ ସମ୍ମାନଜନକ ‘କିଟ୍‍- କିସ୍‍ ଇଜ୍‍ ୱାନ୍‍’ (କିଓ) ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଛି। ଗାବୁରିସି ଓ ଆମେରିକାର ଏହି ପ୍ରତିନିଧିମଣ୍ଡଳୀଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ସେମାନଙ୍କୁ ସମ୍ମାନୀତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାବୁରିସି କହିଲେ, ଏହି ସମ୍ମାନ ମୋର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଅଧିକ ବଢ଼ାଇ ଦେଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୂରଦୃଷ୍ଟିର ପ୍ରଶଂସା କରି ସେ କହିଲେ, ନେତୃତ୍ୱ ଏପରି ହେବା ଦରକାର, ଯିଏ ନିଜର କାର୍ଯ୍ୟ ଦ୍ୱାରା ସାଧାରଣ ଜନତାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇ ପାରୁଥିବ। ସାମନ୍ତ ସେଭଳି ଜଣେ ବ୍ୟକ୍ତିତ୍ୱ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ ସେ କହିଲେ, ଅନ୍ୟକୁ ବିଶ୍ୱାସ କର, ଜୀବନରେ ଭୁଲ ହୋଇଗଲେ, କେବେ ବି ଭୟ କରନାହିଁ। ଭୁଲ୍‍ରୁ ଶିଖ ଓ ନିଜକୁ ସୁଧାରି ଆଗକୁ ବଢ଼। ସଫଳତା ପାଇବାକୁ ହେଲେ ସବୁବେଳେ ଅନ୍ୟମାନଙ୍କ ସାହାଯ୍ୟ ଓ ସହଯୋଗ ନେବ ସହ ଏକାଠି କାମ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ନିକି ଗିଜଲର ଛାତ୍ରଛାତ୍ରୀଙ୍କୁ ଉଦ୍‍ବୋଧନ ଦେଇ କହିଲେ, ଏହି ସମ୍ମାନ ମୋ ପାଇଁ କେବଳ ଏକ ସାଧାରଣ ସ୍ୱୀକୃତି ନୁହେଁ; ଏହା ସମାଜ ଓ ସାଧାରଣ ଲୋକଙ୍କ ପ୍ରତି ଆମର ତ୍ୟାଗ ଓ ଦାୟିତ୍ୱବୋଧକୁ ପୁନର୍ଜାଗରଣ କରିଛି । ସିଆଟେଲ୍‍ ଭାରତୀୟ କନସୁଲ୍‍ ଜେନେରାଲ୍‍ଙ୍କ ପରାମର୍ଶଦାତା ଦେବବ୍ରତ ଦାଶ କହିଲେ, ଅଚ୍ୟୁତ ସାମନ୍ତ କିଟ୍‍ ଓ କିସ୍‍କୁ ବିଶ୍ୱ ମାନଚିତ୍ରରେ ସ୍ଥାନୀତ କରିପାରିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ପିଲାଙ୍କ ମଧ୍ୟରେ ଥିବା ଉତ୍ସାହ ଓ ଉଦ୍ଦୀପନାକୁ ପ୍ରଶଂସା କରି ସେ କହିଲେ, ତୁମେମାନେ ଶିଖିବାର ଏହି ଉତ୍ସାହକୁ ସବୁବେଳେ ବଜାୟ ରଖ । ଏଥିସହ କିଟ୍‍ ଓ କିସ୍‍ର ସମ୍ମାନକୁ ସର୍ବଦା ଉଜ୍ଜୀବିତ କରି ରଖିବାକୁ ସେ ପରାମର୍ଶ ଦେଇଥିଲେ ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ସ୍ୱାଗତ ଭାଷଣ କରିବା ସହ କିଟ୍‍ ଓ କିସ୍‍ ପରିଦର୍ଶନ ପାଇଁ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୋଣ୍ଟାନା ଶ୍ରମ ଓ ଶିଳ୍ପ ବିଭାଗର ପ୍ରତିଷ୍ଠାତା ଟ୍ରାଇବାଲ୍ ଲିଆଜନ୍ ଡୋନାଲ୍ଡ ୱେଟଜେଲ୍‌; ଜେ.ଡବ୍ଲୁ.ଟି କ୍ୟାପିଟାଲ୍‌, ଏଲ୍‌.ଏଲ୍‌.ସିର ପ୍ରତିଷ୍ଠାତା ସହଭାଗୀ ଡୋନାଲ୍ଡ କେପ୍‌; ମୋଣ୍ଟାନା ୱାର୍ଲ୍ଡ ଆଫେୟାର୍ସ କାଉନସିଲର ବୋର୍ଡ ସଦସ୍ୟା ତଥା ମିସୌଲା ଇଲେକ୍ଟ୍ରିକ୍ କୋଅପରେଟିଭର ଯୋଗାଯୋଗ ଓ କାର୍ଯ୍ୟନିର୍ବାହୀ ସେବା ପରିଚାଳିକା କିନା କୁନ୍‌; ମୋଣ୍ଟାନା ୱାର୍ଲ୍ଡ ଆଫେୟାର୍ସ କାଉନସିଲର ବୋର୍ଡ ସଦସ୍ୟ ପଲ୍ ଫ୍ରାଙ୍କ୍ ଗ୍ରୀନ୍‌; ରକି ମାଉଣ୍ଟେନ୍ ଫାଉଣ୍ଡେସନର ସାମୁଏଲ୍ ଗିଜଲର ଏବଂ ଇଗଲ୍ ବ୍ୟାନ କର୍ପ ମୋଣ୍ଟାନା ନିର୍ଦ୍ଦେଶକ ମଣ୍ଡଳୀ ସଦସ୍ୟା ସାଭନ୍ କେପ୍ ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.