Latest Odisha News

BREAKING NEWS

ନୋଏଡ଼ାରେ ପ୍ରଥମ ଥର ପାଇଁ ପାଳନ ହେବ ରଜ ପର୍ବ; ଆକର୍ଷଣ ପାଲଟିବ ଓଡ଼ିଆ ବ୍ୟଞ୍ଜନ

ନୂଆଦିଲ୍ଲୀ: ନୋଏଡ଼ାଠାରେ ପ୍ରଥମ ଥର ପାଇଁ ରଜ ପର୍ବ ପାଳନ ଉପଲକ୍ଷେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ଯ କରାଯାଉଛି । ‘ରଜ’ ଓଡ଼ିଶାର ସବୁଠୁ ବଡ ଓ ଲୋକପ୍ରିୟ ପର୍ବ ଭାବରେ ପରିଚିତ । ରାଜ୍ୟର ମହାନତା ଓ ମହକକୁ ଜାତୀୟ ରାଜଧାନୀ କ୍ଷେତ୍ରରେ ପ୍ରତିପାଦିତ ଏବଂ ପ୍ରତିଷ୍ଠିତ କରିବା ପାଇଁ ଏହି ଉତ୍ସବ ଉଦ୍ଦିଷ୍ଟ। ମାତୃ ବନ୍ଦନା ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ମହାପାର୍ବଣ ।

ମାଟି ମା’ ଯେତେବେଳେ ମୌସୁମୀ ଆଗମନ କାଳରେ ଗର୍ଭ ଧାରଣ ପାଇଁ ପ୍ରସ୍ତୁତ ହୁଏ ସେତେବେଳେ ପାଳନ କରାଯାଇଥାଏ । ସାମୁଦାୟିକ ବିକାଶ ସମିତି ଦ୍ଵାରା ଆୟୋଜିତ ଏହି ବୃହତ ଉତ୍ସବ ଆଗାମୀ ଜୁନ ୧୪ ଓ ୧୫ ତାରିଖ ଦୁଇଦିନ ଧରି ନୋଏଡ଼ା ଷ୍ଟାଡିୟମର ରାମଳୀଳା ମୈଦାନ ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରାୟ ୨୦,୦୦୦ ପ୍ରବାସୀ ଓଡ଼ିଆ ଏହି ସମାରୋହରେ ସାମିଲ ହେବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ । ଏହି ମହୋତ୍ସବରେ ଅତିଥି ଭାବରେ ବହୁ ରାଜନେତା, ଧର୍ମଗୁରୁ, କର୍ପୋରେଟ ମୁଖ୍ୟ ଓ ସାମାଜିକ ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆୟୋଜକ ସାମୁଦାୟିକ ବିକାଶ ସମିତିର ପ୍ରତିଷ୍ଠାତା ଅଧ୍ୟକ୍ଷ, ବରିଷ୍ଠ ଚାଟାର୍ଡ ଏକାଉଣ୍ଟଟାଣ୍ଟ ତଥା ବିଶିଷ୍ଟ ସାମଜସେବୀ ଡଃ. ମନୋରଞ୍ଜନ ମହାନ୍ତିଙ୍କ ଦ୍ୱାରା ପରିକଳ୍ପିତ ଏହି ସମାରୋହରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୁତି, ଐତିହ୍ୟ, ଗୌରବମୟ ଇତିହାସ, ଗାରିମାମୟ ପରମ୍ପରା ଏବଂ ସ୍ଵାଦିଷ୍ଟ ବ୍ୟଞ୍ଜନର ଅପୂର୍ବ ସମାହାର ଘଟିବ ବୋଲି ସୂଚନା ରହିଛି । ଏହି ଦୁଇଦିନିଆ ସାଂସ୍କୃତିକ କୁମ୍ଭରେ ଓଡ଼ିଶାର ଅନନ୍ୟ ଓ ଅଭୂତପୂର୍ବ ନୃତ୍ୟ, ସଙ୍ଗୀତ ଓ ହାସ୍ୟରସର ଝଲକ ଦେଖିବାକୁ ମିଳିବ ବୋଲି ଜଣାଯାଇଛି । ଏହା ମଧ୍ୟରେ ଓଡ଼ିଶୀ, ସମ୍ବଲପୁରୀ, ମଣିପୁରୀ, ଗୋଟିପୁଅ, ଘୁମର, ଆଦିବାସୀ ଏବଂ ଆଧୁନିକ ନୃତ୍ୟ ପ୍ରଦର୍ଶନକୁ ଅନ୍ତର୍ଭୁକ୍ତ କରାଯାଇଛି।

ସମାରୋହରେ ଅଂଶ ଗ୍ରହଣ କରିବାକୁ ଯାଉଥିବା ତାରକା କଳାକାରମାନଙ୍କ ମଧ୍ୟରେ ହାସ୍ୟ ସମ୍ରାଟ ପପୁ ପମପମ୍, ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଅନନ୍ଦିତା ଦାସ, ଦେବେଶ ପତି, ପପୁ ପଣ୍ଡା, ସୁଶ୍ରୀ ଜ୍ୟୋତି , ସ୍ଵରୂପ ଏବଂ ସୁପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି।

ଏହି ବିଶାଳ ସମାବେଶର ସ୍ଵତନ୍ତ୍ର ଆକର୍ଷଣ ହେଲା ଓଡ଼ିଆ ଖାଦ୍ୟ ଉତ୍ସବ। ଏହି ଅବସରରେ ଆଗନ୍ତୁକମାନଙ୍କୁ ତିରିଶଟି ପାରମ୍ପରିକ ଖାଣ୍ଟି ଓଡ଼ିଆ ଖାଦ୍ୟ ପରସା ଯିବାର ବନ୍ଦୋବସ୍ତ କରାଯାଇଛି। ଏହା ମଧ୍ୟରେ କଟକର ଦହିବରା ଆଳୁଦମ, ବାରିପଦାର ମୁଢ଼ି ମାଂସ, ସାଲେପୁରର ରସଗୋଲା, ମାଛ ଭାତ, ଟଙ୍କ ତୋରାଣି, କୋରାପୁଟର ବାରମଜା ଏବଂ ଯାଜପୁରର ପ୍ରସିଦ୍ଧ ପାନ ଅନ୍ତର୍ଭୁକ୍ତ ଅଛି । ତା’ ସହିତ ଓଡ଼ିଶା ପ୍ରସିଦ୍ଧ ବିଭିନ୍ନ ନାନାକିସମର ପିଠା ଯଥା:- ଆରିସା, କାକରା, ମଣ୍ଡା, ଛେନାପୋଡ଼ ଏବଂ ପୋଡ଼ପିଠା ଦର୍ଶକମାନଙ୍କୁ ଉପଭୋଗ କରିବାର ସୁଯୋଗ ମିଳିବ। ପ୍ରତ୍ୟେକ ବ୍ୟଞ୍ଜନ ଓଡ଼ିଶା ମାଟିର ସ୍ଵତନ୍ତ୍ର ଓ ଓଡ଼ିଆ ମା’ର ଯାଦୁଗରୀ ହାତର ସ୍ପର୍ଶ ବହନ କରିବ।

ରଜ ଉତ୍ସବ ସ୍ଥଳରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ବହୁବିଧ ଷ୍ଟଲ୍ ଲଗାଯିବ। ଏ ମଧ୍ୟରେ ଓଡ଼ିଶାର ହସ୍ତତନ୍ତ, ହସ୍ତକଳା, ପାରମ୍ପରିକ ପୋଷାକ ଏବଂ ଚିତ୍ର ଉତ୍ତୋଳନ ଆଦି ଅନ୍ତର୍ଭୁକ୍ତ ଅଛି। ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ, ଶିଶୁ କ୍ରୀଡ଼ା, ମେହେନ୍ଦୀ ଓ ଚିତ୍ରାଙ୍କନ ପ୍ରତିଯୋଗିତା ତଥା ଲୋକକଳା କର୍ମଶାଳା ଆଦି ଏଠାରେ ସ୍ଥାନ ପାଇବାକୁ ଯାଉଛି ।

ରଜ ପର୍ବ ଏକ ସାଧାରଣ ଉତ୍ସବ ନୁହେଁ ବରଂ ଏହା ମାତୃଭୂମି, ମାତୃଭାଷା ଏବଂ ମାତୃତ୍ୱ ପ୍ରତି ଆମର ଶ୍ରଦ୍ଧା ସୁମନ ସମର୍ପଣର ଅବସର ବୋଲି ମହୋତ୍ସବର ମୁଖ୍ଯ ଆୟୋଜକ ଡଃ ମନୋରଞ୍ଜନ ମହାନ୍ତି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । ଜାତୀୟ ରାଜଧାନୀ କ୍ଷେତ୍ରରେ ବସବାସ କରୁଥିବା ଷୋହଳ ଲକ୍ଷ ଓଡ଼ିଆ ଓ ଓଡ଼ିଶା ପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଆସି ଏହି ସାଂସ୍କୃତିକ ନବୋଦୟରେ ଅଂଶ ଗ୍ରହଣ କରି ଓଡ଼ିଶାର ମହତ୍ତ୍ଵକୁ ଉପଲବ୍ଧି କରିବାକୁ ସେ ନିବେଦନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସମ୍ପୂର୍ଣ୍ଣ ଭାବରେ ନିଃଶୁଳ୍କ ଏବଂ ଏଥିପାଇଁ କୌଣସି ପଞ୍ଜୀକରଣର ଆବଶ୍ୟକତା ନାହିଁ ବୋଲି ଡଃ. ମହାନ୍ତି ସ୍ପଷ୍ଟ କରିଛନ୍ତି।

Comments are closed.