Latest Odisha News

BREAKING NEWS

ଆଜି ପହିଲି ରଜ, ପିଠା-ମିଠାରେ ସାରା ଓଡ଼ିଶା ସଜବାଜ…

ଭୁବନେଶ୍ୱର: ସଂସ୍କୃତି ଓ ପରମ୍ପରାର ରାଜ୍ୟ ଉତ୍କଳରେ ବାର ମାସରେ ତେର ପରବ ପାଳନ କରାଯାଏ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡିକର ସୃଷ୍ଟି । କୌଣସି ରାଜ୍ୟର ପର୍ବପର୍ବାଣି ସେଠାକାର ଲୋକଙ୍କର ପରମ୍ପରା ଓ ଇତିହାସକୁ ଦର୍ଶାଇ ଥାଏ । ପୌରାଣିକ କଥା ଅନୁସାରେ ପର୍ବପର୍ବାଣି ଗୁଡିକୁ ପୁରାଣ ଓ ଧାର୍ମିକ ସାହିତ୍ୟର ଘଟଣାମାନ ସହ ଯୋଡ ଦିଆଯାଇଥାଏ । ଯାହା ଦ୍ୱାରା ଲୋକଙ୍କର ଏହା ଉପରେ ବିଶ୍ୱାସ ଆସିବା ସହ ମନରେ ଧର୍ମିୟ ଭାବନା ଯୋଡି ହୋଇ ରହିଥାଏ । ପୁରୁଣା ଦିନ ମାନଙ୍କରୁ ଅନେକ ଉତ୍ସବ କୃଷିକୁ ପ୍ରାଧାନ୍ୟ ଦେଇ କରାଯାଇ ଆସୁଛି । ଯେମିତି ରଜ, ଅକ୍ଷୟ ତୃତୀୟା , ଗମ୍ଭା ପୁନେଇଁ, ମାଣବସା ଗୁରୁବାର, ନୂଆଖାଇ ଇତ୍ୟାଦି ।ବନସ୍ତେ ଡାକିଲା ଗଜ..
ବରଷକେ ଥରେ ଆସିଛି ରଜ..
ଆସିଛି ରଜଲୋ, ଘେନି ନୂଆ ସଜବାଜ..

ରଜ ପର୍ବ ଓଡିଆ ମାନଙ୍କର ଏକ ବିଶିଷ୍ଟ ପର୍ବ । ତିନି ଦିନ ଧରି ଏହା ଓଡ଼ିଶାର ପୁରପଲ୍ଲୀରେ ପାଳନ କରାଯାଏ । ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ କୁହାଯାଏ । ସେହିପରି ଆଷାଢ ମାସର ପ୍ରଥମ ଦିନକୁ ରଜ ସଂକ୍ରାନ୍ତ ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ ଓ ତୃତିୟ ଦିନକୁ ଭୁ ଦାହ ବା ଶେଷ ରଜ କୁହାଯାଏ । ସେହିଭଳି ୪ର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ । ଏହି ଦିନ ମାଟି ମାଆ ରଜବତୀ ହୁଏ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଅନେକ ସ୍ଥାନରେ ଏହାକୁ ଠାକୁରାଣୀ ବୁଡ ବୋଲି ମଧ୍ୟ କୁହାଯାଏ । ମାଟି ମାଆ ରଜବତୀ ହେଉଥିବାରୁ, ଏହି ସମୟରେ ଭୂମି କର୍ଷଣ କରାଯାଇ ନଥାଏ । ଚାଷ ଭଳି ପ୍ରମୁଖ କାର୍ଯ୍ୟ ମାନ ବନ୍ଦ ରହିଥାଏା କୁହାଯାଏ ମାଟ ିମାଆଙ୍କୁ ଏହି ସମୟରେ ବିଶ୍ରାମ ଦିଆଯାଇଥାଏ ।

ଏହି ତିନି ଦିନ ଯାକ ଝିଅ ବୋହୁ ମାନେ ନୂତନ ବସ୍ତ୍ର ପରିଧାନ କରି ପିଠାପଣା ଖାଇ ଖୁସି ମନେଇ ଥାଆନ୍ତି । ଘରେ ଘରେ ପିଠାପଣା ହୁଏ । ପୁରପଲ୍ଲୀରୁ ଭାସି ଆସେ ପିଠାମିଠାର ବାସ୍ନା । ଚକୁଳି, କାକରା ଓ ମଣ୍ଡା ପ୍ରଭୃତି ପିଠାପଣା ଭଳି ନାନା ରକମର ପିଠା ସାଙ୍ଗକୁ ଭଳିକି ଭଳି ମିଠା । ରଜ ତିନଯାକ ମୁଖ୍ୟତ ପିଠାପଣା ହିଁ ଖିଆଯାଏ । ସବୁଠାରୁ ବେଶ୍ ରୁଚିପୂର୍ଣ୍ଣ ହୋଇଥାଏ ପୋଡ଼ପିଠା । କଦଳୀ ପତ୍ରରେ ପୋଡା ହୋଇ ଏହି ପିଠା ପ୍ରସ୍ତୁତ ହୋଇଥାଏ । ଶ୍ରୀମନ୍ଦିରରେ ମଧ୍ୟ ଏହି ପୋଡ଼ପିଠା ହେବାର ପରମ୍ପରା ରହିଛି । ୁପିଠାମିଠା ସାଙ୍ଗକୁ ମିଠା ପାନ ମଧ୍ୟ ଖାଇବାର ପରମ୍ପରା ମଧ୍ୟ ରହିଛି । ଏହାକୁ ରଜ ପାନ ବୋଲି ମଧ୍ୟ କୁହାଯାଏ ।

ଉକ୍ରଳୀୟ ନାରୀର ରଜ ଏକ ବିଶିଷ୍ଟ ପର୍ବ । ରଜ ପର୍ବ ଆବଳ ବୃଦ୍ଧ ବନୀତାଙ୍କ ଓଠରେ ହସ ଭରିଦିଏ । ଗାଁ ଗହଳୀର ଲୋକମାନେ ପାଲା, ଦାସକାଠିଆ, ସଙ୍ଗୀତ ଓ ସାସ୍କୃତିକ କାର୍ଯ୍ୟକ୍ରମ କରି ବେଶ୍ ଆନନ୍ଦରେ ରଜ ପର୍ବକୁ ଉପଭୋଗ କରନ୍ତି । ଗାଁ ଗାଁ ରେ କବାଡ଼ି ଓ ବିଭିନ୍ନ ପ୍ରକାର ଖେଳ କସରତର ଆୟୋଜନ ମଧ୍ୟ କରାଯାଏ ।

ରଜ ଦୋଳି ରଜ ପର୍ବର ଆଉ ଏକ ବିଶେଷ ଆକର୍ଷଣ । ବାଉଁଶ ଦୋଳି, ପଟା ଦୋଳି, ଚରିକି ଦୋଳି, ରାମଦୋଳି ଭଳି ଅନେକ ଦୋଳି ମାନ ଗାଁ ଗାଁରେ ଲାଗିଥାଏ । ଝିଅମାନେ ଦୋଳି ଖେଳିବାକୁ ସତେ ଯେପରି ରଜ ପର୍ବକୁ ଅପେକ୍ଷା କରିଥାଆନ୍ତି । ଗଛ ଡାଳରେ ରଜ ଦୋଳି ବାନ୍ଧି ମନ ଆନନ୍ଦରେ ଗୀତ ଗାଇ ଦୋଳି ଖେଳନ୍ତି । ତରୁଣୀଙ୍କ କଣ୍ଠରୁ ଭାସିଆସେ..
ରଜ ଦୋଳି କଟମଟ..
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ..
ସୁନା ମୁକୁଟ ଲୋ ଦିଶୁଥାଏ ଝଟ ମଟ..

ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୁଏ ।

Leave A Reply

Your email address will not be published.