Latest Odisha News

BREAKING NEWS

ମଧ୍ୟପ୍ରଦେଶ ପରେ ରାଜସ୍ଥାନରେ ରାଜନୈତିକ ସଙ୍କଟ

ଜୟପୁର: ମଧ୍ୟପ୍ରଦେଶ ପରେ ରାଜସ୍ଥାନ ରାଜନୀତି ଏବେ ଟଳମଳ । ରାଜସ୍ଥାନରେ କଂଗ୍ରେସର ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସୃଷ୍ଟି ହୋଇଛି ବିବାଦ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି । ଉଭୟଙ୍କ ଝଗଡା ଏବେ ଦିଲ୍ଲୀରେ ପହଞ୍ଚିଛି ।

ରାଜସ୍ଥାନରେ କଂଗ୍ରେସ ଅନ୍ତଃକନ୍ଦଳ ଓ ରାଜନୈତିକ ସଙ୍କଟ ପ୍ରସଙ୍ଗରେ ନିଜର ସହଯୋଗୀ ବିଧାୟକଙ୍କୁ ଧରି ଦିଲ୍ଲୀ ପହଞ୍ଚିଛନ୍ତି ସଚିନ୍ ପାଇଲଟ୍ । ରାଜନୈତିକ ସଙ୍କଟ ନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ହୋଇପାରେ ବୋଲି ସମ୍ଭାବନା ରହିଛି । ଏନେଇ ଦିନକ ଆଗରୁ ବରିଷ୍ଠ ନେତା ଅହମଦ ପଟେଲଙ୍କୁ ଭେଟିଥିଲେ ସଚିନ୍ । ତେବେ ସଚିନଙ୍କ ସପକ୍ଷରେ ୨୩ ବିଧାୟକ ଥିବା ସୂଚନା ମିଳିଛି ।

ଅନ୍ୟପଟେ  ଉପମୁଖ୍ୟମନ୍ତ୍ରୀ ସଚିନଙ୍କୁ ନୋଟିସ୍ ପଠାଇଛି ରାଜସ୍ଥାନ ପୋଲିସ । ବୟାନ ରେକର୍ଡ ପାଇଁ ହାଜର ହେବାକୁ ଏସଓଜି ପକ୍ଷରୁ ନୋଟିସ୍ ଜାରି ହୋଇଛି । ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ ହୋଇଛି ବୋଲି ଅଭିଯୋଗ ହୋଇଛି ।

ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ନିଜ ବାସଭବନରେ କଂଗ୍ରେସ ବିଧାୟକ ଓ ମନ୍ତ୍ରୀଙ୍କୁ ସାକ୍ଷାତ କରୁଛନ୍ତି । ରବିବାର ସକାଳରୁ ବିଧାୟକ ଓ ମନ୍ତ୍ରୀଙ୍କ ଏହି ସାକ୍ଷାତକାରରେ ଜାରି ରହିଛି । ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକଙ୍କୁ ଜୟପୁରରେ ପହଁଚିବା ପାଇଁ କୁହାଯାଇଛି । ଯେନତେନ ପ୍ରକାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି । କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାୟକଙ୍କୁ ଫୋନ୍ ବନ୍ଦ ନକରିବାକୁ କହିଛନ୍ତି । ଯଦି ଫୋନ୍ ଅଫ୍ ରହେ କିମ୍ବା ସମ୍ପର୍କ ପ୍ରତିଷ୍ଠା ନହୋଇପାରେ ତେବେ ତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ କୁହାଯାଇଛି ।

Leave A Reply

Your email address will not be published.