ଜୟପୁର: ମଙ୍ଗଳବାର ବିଳମ୍ବିତ ରାତିରେ ରାଜସ୍ଥାନ ଜୟପୁର-ଆଜମୈର ରାଜପଥର ସାୱାର୍ଦା କଲଭର୍ଟ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଏଲପିଜି ଟ୍ରକକୁ ପିଟିଲା ଟ୍ୟାଙ୍କର। ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗିବା ପରେ ଗୋଟାଏ ପରେ ଗୋଟାଏ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ ବ୍ୟାପକ ଆତଙ୍କ ସୃଷ୍ଟି କରିଛି। ସୂଚନା ମିଳିଛି ଯେ ନିକଟସ୍ଥ ଯାନବାହନ ପ୍ରଭାବିତ ହୋଇଥାଇପାରେ। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି।
ଘଟଣା ପରେ ରାଜପଥରେ ଯାନବାହନର ଲମ୍ବା ଲାଇନ ଲାଗିଛି। ସୂଚନା ଅନୁଯାୟୀ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା, ଯାହା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ୟାଙ୍କରଟି ଓଲଟି ପଡ଼ିଥିଲା। ଫଳରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା। ଡୁଡୁ, ବାଗ୍ରୁ ଏବଂ କିଶନଗଡ଼ରୁ ଅନେକ ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରାଯାଉଛି। ପୋଲିସ ରାଜପଥରେ ଯାତାୟାତ ବନ୍ଦ କରିଦେଇଛି।
ଏହି ଘଟଣା ଅଞ୍ଚଳରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଦୁର୍ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଜିଲ୍ଲା କଲେକ୍ଟର ଏବଂ ପୋଲିସ ଅଧିକ୍ଷକଙ୍କ ସହ କଥା ହୋଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଦୁଃଖଦ ଘଟଣାରେ ସମସ୍ତ ପ୍ରକାରର ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରିସ୍ଥିତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ ପ୍ରେମ ଚାନ୍ଦ ବୈରୱାଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି। ୨୦ଟି ଗାଡ଼ି ପ୍ରଭାବିତ ହୋଇଥିବା ସୂଚନା ମିଳିଛି।
ଘଟଣା ପରଠାରୁ ଟ୍ରକ୍ ଡ୍ରାଇଭର ଏବଂ ହେଲପର ଉଭୟ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ମୋଖମ୍ପୁରା ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ନିରନ୍ତର ଉଦ୍ଧାର ଏବଂ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୋଲିସ ଉଭୟ ପାର୍ଶ୍ୱରେ ଯାତାୟାତକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି, ଯାହା ଫଳରେ ରାସ୍ତାରେ ଯାନବାହାନର ଲମ୍ବା ଧାଡ଼ି ଲାଗିଛି। ବର୍ତ୍ତମାନ, ଏହି ଘଟଣାରେ କୌଣସି ମୃତାହତଙ୍କ ରିପୋର୍ଟ ନାହିଁ।
Comments are closed.