ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମ ‘ଜେଲର’ ଏବେ ଖୁବ୍ ଚର୍ଚ୍ଚାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ସାରା ବିଶ୍ୱରେ ୬୦୦ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଲାଣି । ‘ଜେଲର’ର ସଫଳତାକୁ ନେଇ ଫିଲ୍ମର ନିର୍ମାତା କାଲାନିଥୀ ମାରାନ ରଜନୀକାନ୍ତଙ୍କୁ ବିଳାସପୂର୍ଣ୍ଣ ବିଏମଡବ୍ଲ୍ୟୁ ଏକ୍ସ୭ କାର ଉପହାର ଦେଇଛନ୍ତି । ସେହିପରି କାଲାନିଥୀ ନିର୍ଦ୍ଦେଶକ ନେଲସନଙ୍କୁ ପୋର୍ସେ କାର ଉପହାର ଦେଇଛନ୍ତି । ‘ଜେଲର’ର ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦରଙ୍କୁ ମଧ୍ୟ ୧.୫ କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ପୋର୍ସେ କାର ଉପହାର ଦେଇଛନ୍ତି କାଲାନିଥୀ ମାରାନ । ଏହା ବ୍ୟତୀତ ସେ ଅନିରୁଦ୍ଧଙ୍କୁ ଏକ ଚେକ୍ ମଧ୍ୟ ଦେଇଛନ୍ତି ।
ସନ ପିକ୍ଚର୍ସ ପକ୍ଷରୁ ଅନିରୁଦ୍ଧଙ୍କୁ ଦିଆଯାଇଥିବା କାରର ଏକ ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି ।ଏହି ଭିଡିଓରେ କାଲାନିଥୀ ଅନିରୁଦ୍ଧଙ୍କୁ ପୋର୍ସେ କାରର ଚାବି ଉପହାର ଭାବେ ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ କାଲାନିଥୀ ମାରାନ ତିନୋଟି ଦାମୀ କାର ନେଇ ଅନିରୁଦ୍ଧଙ୍କ ଘରେ ପହଞ୍ଚିିଥିଲେ । ସେଠାରେ ଅନିରୁଦ୍ଧଙ୍କୁ ଭେଟି ଏକ ଚେକ ଦେବା ସହ ତିନୋଟି କାର ମଧ୍ୟରେ କେଉଁ କାର ନେବେ ବାଛିବାକୁ କହିଥିଲେ । ଅନିରୁଦ୍ଧ ତିନିଟି କାରରେ ବସିବା ପରେ ପୋର୍ସେ କାରକୁ ବାଛିଥିଲେ । ଏହାପରେ କାଲାନିଥୀ ତାଙ୍କୁ ପୋର୍ସେ କାର ଉପହାର ଭାବେ ଦେଇଥିଲେ । ଅନିରୁଦ୍ଧ ଫିଲ୍ମ ଜେଲର ପାଇଁ ତିନିଟି ଗୀତରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।
ଫିଲ୍ମ ଜେଲର ହେଉଛି ରଜନୀକାନ୍ତଙ୍କ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ । ଏହାପୂର୍ବରୁ, ୨୦୧୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘୨.୦’ ୭୨୦ କୋଟି ଟଙ୍କା ସଂଗ୍ରହ କରିଥିଲା ।
Comments are closed.