ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ପାକିସ୍ତାନକୁ କଡା ଜବାବ ଦେଇଥିଲା । ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ବଡ଼ ଖୁଲାସା କରିଛନ୍ତି । ଆଜି ପ୍ରତିରକ୍ଷା ମନ୍ତ୍ରୀ INS ବିକ୍ରାନ୍ତ ପରିଦର୍ଶନରେ ଆସି ଅପରେସନ ସିନ୍ଦୂର ସମୟରେ ଭାରତୀୟ ନୌସେନା କିପରି ଭୂମିକା ଗ୍ରହଣ କରିଥିଲା ସେ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।
ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଅପରେସନ ସିନ୍ଦୂର ଶେଷ ହୋଇନି, କେବଳ ସ୍ଥଗିତ ରଖାଯାଇଛି । ଯଦି ପୁଣି ଥରେ ପାକିସ୍ତାନ ସମାନ ଭୁଲ୍ କରେ, ଆହୁରି କଡ଼ା ଜବାବ ଦିଆଯିବ । ଆମର ନୌସେନା ସୁନାମି ଆଣିପାରିବ । ପାକିସ୍ତାନ ବାରମ୍ବାର ଆଲୋଚନା ପାଇଁ ପ୍ରସ୍ତାବ ଦେଉଛି । ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଆଲୋଚନା ବିଷୟରେ କହିଥିଲେ ।
ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ସେ କହିଛନ୍ତି ଯେ, ”’ଯଦି କଥାବାର୍ତ୍ତା ପାଇଁ ପାକିସ୍ତାନ ଆଗ୍ରହୀ, ତେବେ ଆତଙ୍କବାଦୀ ହାଫିଜ ସୟିଦ ଓ ମାସୁଦ ଅଜହରକୁ ପ୍ରଥମେ ଭାରତକୁ ହସ୍ତାନ୍ତର କରୁ । କେବଳ ଭାରତ ନୁହେଁ, ଜାତିସଂଘର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ଉଭୟ ଅଛନ୍ତି । ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତହଉର୍ ରାଣାକୁ ନିକଟରେ ଭାରତ ଅଣାଗଲା । ହାଫିଜ୍ ସଇଦ ମୁମ୍ବାଇ ଆକ୍ରମଣରେ ସାମିଲ ଥିଲା, ତାର ହିସାବ ହେବ । ଆମେ ଆତଙ୍କବାଦ ବିରୋଧରେ ଏପରି ପଦ୍ଧତି ବ୍ୟବହାର କରିବୁ ଯାହା ପାକିସ୍ତାନ କଳ୍ପନା ମଧ୍ୟ କରିପାରିବ ନାହିଁ।”
ଏଥର ଯଦି ପାକିସ୍ତାନ କୌଣସି ପଦକ୍ଷେପ ନିଏ, ତେବେ କଡା ଜବାବ ପ୍ରଥମେ ଆମର ନୌସେନା ଦେବ । ପାକିସ୍ତାନର କ’ଣ ଅବସ୍ଥା ହେବ ତାହା କେବଳ ଭଗବାନ ଜାଣନ୍ତି । ଯଦି ଏଥର ନୌସେନା ଆସିଥାନ୍ତା, ତେବେ ପାକିସ୍ତାନ ଚାରି ଭାଗରେ ବିଭକ୍ତ ହୋଇଥାନ୍ତା । ୧୯୭୧ ମସିହାରେ ଯେତେବେଳେ ନୌସେନା ଆସିଲା, ଏହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା ବୋଲି ପାକିସ୍ତାନକୁ କଡା ଚେତାବନି ଦେଇଛନ୍ତି ରାଜନାଥ ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, “ପାକିସ୍ତାନ ଜାଣିଛି ଯଦି ଭାରତୀୟ ନୌସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ଏହାର କି ପ୍ରଭାବ ପଡ଼ିବ।” ଭାରତ ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଯେକୌଣସି ସ୍ଥାନରେ । ଆମ ସେନାର ମନୋବଳ ପାହାଡ଼ ପରି ଦୃଢ଼ । ଅପରେସନ ସିନ୍ଦୂର ସମୟରେ, ଆମର ନୌସେନା ପାକିସ୍ତାନକୁ ତା’ର ଉପକୂଳରେ ଅଟକାଇଥିଲା । ଆମର ଆକ୍ରମଣ ଏତେ ଶକ୍ତିଶାଳୀ ଥିଲା ଯେ ପାକିସ୍ତାନ ସାରା ବିଶ୍ୱ ସମ୍ମୁଖରେ ନିବେଦନ କରୁଛି । ଆମର ଜାହାଜଗୁଡ଼ିକର ପଶ୍ଚିମ ଫ୍ଲିଟ୍ ଆତଙ୍କବାଦୀ ଆକ୍ରମଣର ୯୬ ଘଣ୍ଟା ମଧ୍ୟରେ ପଶ୍ଚିମ ଏବଂ ପୂର୍ବ ଉପକୂଳରେ ଭୂପୃଷ୍ଠରୁ- ଭୂପୃଷ୍ଠ ଏବଂ ଭୁପୃଷ୍ଠ ରୁ ଆକାଶକୁ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ।
Comments are closed.