ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (ସେପ୍ଟେମ୍ବର ୨୧) ଦୁଇ ଦିନିଆ ସରକାରୀ ଗସ୍ତରେ ମରକ୍କୋର କାସାବ୍ଲାଙ୍କାରେ ପହଞ୍ଚିଛନ୍ତି। ମରକ୍କୋ ଗସ୍ତରେ ଯାଇଥିବା ସେ ପ୍ରଥମ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥ ସିଂହଙ୍କୁ ମହମ୍ମଦ ଭି ଆନ୍ତର୍ଜାତୀୟ ବିମାନବନ୍ଦରରେ କାସାବ୍ଲାଙ୍କାର ସାମରିକ କମାଣ୍ଡର ମୁଖ୍ୟ ୱାଲି ଏବଂ ମରକ୍କୋରେ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ ରାଣା ସ୍ୱାଗତ କରିଥିଲେ।
ରାଜନାଥ ସିଂହ ବେରେଚିଡରେ ଟାଟା ଆଡଭାନ୍ସଡ୍ ସିଷ୍ଟମର ହ୍ବିଲ୍ଡ ଆର୍ମର୍ଡ ପ୍ଲାଟଫର୍ମ 8×8 ର ନୂତନ ଉତ୍ପାଦନ ପ୍ଲାଣ୍ଟର ଉଦଘାଟନ କରିବେ। ଏହା ଆଫ୍ରିକାରେ ପ୍ରଥମ ଭାରତୀୟ ପ୍ରତିରକ୍ଷା ଉତ୍ପାଦନ କାରଖାନା।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ରାଜନାଥ ସିଂହଙ୍କ ଗସ୍ତର ଏକ ପ୍ରମୁଖ ଆକର୍ଷଣ ହେବ ବେରେଚିଡ ସହରରେ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ମରକ୍କୋର ନୂତନ କାରଖାନାର ଉଦଘାଟନ, ଯେଉଁଠାରେ ଭାରତର ବିକଶିତ ହ୍ବିଲ୍ଡ ଆର୍ମର୍ଡ ପ୍ଲାଟଫର୍ମ (Wheeled Armored Platform -WhAP) 8×8 ଉତ୍ପାଦନ କରାଯିବ। ଏହି ପ୍ଲାଣ୍ଟ ଆଫ୍ରିକାରେ ପ୍ରଥମ ଭାରତୀୟ ପ୍ରତିରକ୍ଷା ଉତ୍ପାଦନ ପ୍ଲାଣ୍ଟ, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।
ନୂତନ ପ୍ରତିରକ୍ଷା କାରଖାନା ସେପ୍ଟେମ୍ବର ୨୨ରେ ମରକ୍କୋର କାସାବ୍ଲାଙ୍କାରେ ଉଦ୍ଘାଟିତ ହେବ। ରାଜନାଥ ସିଂହ ମରକ୍କୋର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଅବଦେଲାତିଫ୍ ଲୌଧିୟିଙ୍କ ନିମନ୍ତ୍ରଣରେ ସେଠାକୁ ଯାଇଛନ୍ତି।
ରାଜନାଥ ସିଂହଙ୍କ ଗସ୍ତ ସମୟରେ ଭାରତ ଏବଂ ମରକ୍କୋ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଏହି ଚୁକ୍ତିନାମା ତାଲିମ, ପ୍ରତିରକ୍ଷା ଶିଳ୍ପ ଏବଂ ପାରସ୍ପରିକ ସହଯୋଗକୁ ନୂତନ ପ୍ରେରଣା ପ୍ରଦାନ କରିବ। ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ନୌସେନା ଜାହାଜଗୁଡ଼ିକ ମରକ୍କୋର କାସାବ୍ଲାଙ୍କା ବନ୍ଦରକୁ ବାରମ୍ବାର ପରିଦର୍ଶନ କରିଛନ୍ତି। ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।
Comments are closed.