Latest Odisha News

BREAKING NEWS

ଓଡ଼ିଶା ଗସ୍ତ ବାବଦରେ ଟୁଇଟ୍ କରି ସ୍ପଷ୍ଟ କଲେ ରାଜନାଥ ସିଂହ, ମାସ ଶେଷରେ ଆସିବେ ମୋଦୀ!

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଓଡ଼ିଶାରେ ନିଜର ପ୍ରଚାରକୁ ଜୋରଦାର କରିବା ସହ ଶାସକ ବିଜେଡିକୁ ଚ୍ୟାଲେଞ୍ଜ କରିବ ବୋଲି ଆଶା ରଖିଛି। ଦଳର ରାଷ୍ଟ୍ରୀୟ ନେତାମାନେ ଦ୍ରୁତ ଗତିରେ ରାଜ୍ୟ ଗସ୍ତରେ ଆସୁଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମିଶନ ମୋଡରେ ସାମିଲ ହୋଇଛନ୍ତି।

ସେ ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ୩ଟି ଜିଲ୍ଲା ନବରଙ୍ଗପୁର, ବ୍ରହ୍ମପୁର ଓ ମୟୂରଭଞ୍ଜ ଗସ୍ତ କରିବେ। ଟୁଇଟ୍ କରି ସେ ଲେଖିଛନ୍ତି, ‘ଫେବ୍ରୁଆରି ୨୨ ତାରିଖରେ ମୁଁ ଓଡ଼ିଶା ଗସ୍ତରେ ଯିବି। ନବରଙ୍ଗପୁର ଓ ବ୍ରହ୍ମପୁରରେ କର୍ମକର୍ତ୍ତା ସମ୍ମିଳନୀ ଓ ମୟୂରଭଞ୍ଜରେ ସାଧାରଣ ସଭାକୁ ସମ୍ବୋଧିତ କରିବି’।

ବିଜେପିର ଓଡ଼ିଶା ସଭାପତି ମନମୋହନ ସାମଲଙ୍କ ସୂଚନା ଅନୁଯାୟୀ, ଶ୍ରୀ ସିଂହ ସକାଳେ ଛତିଶଗଡ଼ର ବସ୍ତରସ୍ଥିତ ଜଗଦଲପୁର ବିମାନବନ୍ଦରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନବରଙ୍ଗପୁର ରେ ପହଞ୍ଚିବେ ଏବଂ ପୂର୍ବାହ୍ନ ୧୧ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦଳର କୋର କମିଟି ବୈଠକରେ ଯୋଗଦେବେ। ଏହାପରେ ସେ ଜଗଦଲପୁର ବିମାନବନ୍ଦରକୁ ଯାଇ ଅନ୍ୟ ଏକ ହେଲିକପ୍ଟର ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ। ଅପରାହ୍ନ ୧ଟା ୩୦ରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ପହଞ୍ଚି ଅପରାହ୍ନ ୧ଟା ୪୫ରୁ ୨ଟା ୪୫ ମଧ୍ୟରେ କାର୍ଯ୍ୟନିର୍ବାହୀ ସଦସ୍ୟ ବୈଠକରେ ଉଦବୋଧନ ଦେବେ। ଏହାପରେ ଅପରାହ୍ନ ୩ଟାରେ ହେଲିକପ୍ଟର ଯୋଗେ ମୟୂରଭଞ୍ଜ ଅଭିମୁଖେ ବାହାରି ଅମର୍ଦ୍ଦା ଏୟାର ଷ୍ଟ୍ରିପରେ ଅବତରଣ କରିବେ। ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ସେ କାର୍ଯ୍ୟକାରିଣୀ ସଦସ୍ୟ ବୈଠକରେ ଯୋଗଦେବେ। ଏହାପରେ ସେ ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ଶ୍ରୀ ସାମଲ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବ୍ରୁଆରି ୩ ତାରିଖରେ ସମ୍ବଲପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ପରେ ଫେବ୍ରୁଆରି ୨୮ତାରିଖରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱର ଓ ଭଦ୍ରକ ଗସ୍ତ କରି କେତେକ ଜନକଲ୍ୟାଣମୂଳକ ଯୋଜନାର ଶୁଭାରମ୍ଭ କରିପାରନ୍ତି ମୋଦି ।

୨୦୧୯ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୮ଟି ଓ ୧୪୭ଟି ବିଧାନସଭା ଆସନରୁ ୨୩ଟି ରେ ବିଜୟୀ ହୋଇଥିବା ବିଜେପି ଆଗାମୀ ନିର୍ବାଚନରେ ରାଜ୍ୟରେ ୫୧ ପ୍ରତିଶତ ଭୋଟ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଦଳ ନିଜର ସାଂଗଠନିକ କାର୍ଯ୍ୟ ଏବଂ ବୁଥ୍ ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପୃଥକ ରଣନୀତି ପ୍ରସ୍ତୁତ କରିଛି। ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ଜରିଆରେ ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ।

Leave A Reply

Your email address will not be published.