Latest Odisha News

BREAKING NEWS

ରାଜନୀତିରେ ରାଜୁ ଦାସ: ଦଳ ଟିକେଟ ପ୍ରତ୍ୟାହାର କରିନେବା ପରେ ପୁଣିହେଲେ ଶିଶୁପାଳ!

ବାଲେଶ୍ୱର: ପୁଣିଥରେ ଚର୍ଚ୍ଚାରେ ରାଜୁ ଦାସ। ଧାମନଗର ଉପନିର୍ବାଚନ ବେଳେ ବିଜେଡି ତାଙ୍କୁ ଟିକେଟ୍ ନଦେବାରୁ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ଏବେ ବିଧାନସଭା ନିର୍ବାଚନ ବେଳେ ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କଠୁ ଦଳୀୟ ଟିକେଟ୍ ପ୍ରତ୍ୟାହାର କରିନେବା ପରେ ସେ ଏବେ ଚର୍ଚ୍ଚାରେ।

ଆଜି ଶେଷ ମୁହୂର୍ତ୍ତରେ ବିଜେପି ସୋର ବିଧାନସଭା ଆସନ ପାଇଁ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି। ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡାଙ୍କୁ ଦଳ ପ୍ରାର୍ଥୀ କରିଛି।

ଦଳର ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର କହିଛନ୍ତି, ଆମର ଏକ ସଂସଦୀୟ ବୋର୍ଡ ରହିଛି। ଯାହା ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ। ବୋର୍ଡ ଏବେ ନିଷ୍ପତ୍ତି ନେଇ ପର୍ଶୁରାମ ଧଡାଙ୍କୁ ଟିକେଟ୍ ଦେଇଛି। ସୂଚନାଯୋଗ୍ୟ, ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଥିବାରୁ ଉଭୟ ରାଜୁ ଦାସ ଓ  ପର୍ଶୁରାମ ଧଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

୨୦୦୯ ନିର୍ବାଚନରେ ପର୍ଶୁରାମ ଧଡା ବିଜେପି ଟିକେଟରେ ସୋର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହାପରେ ସେ ବିଜେଡିରେ ଯୋଗ ଦେଇଥିଲେ ଏବଂ ୨୦୧୪ ଓ ୨୦୧୯ରେ ଦୁଇଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।

୨୦୨୪ ନିର୍ବାଚନରେ ବିଜେଡି ତାଙ୍କୁ ଟିକେଟ୍ ନ ଦେଇ ମାଧବ ଧଡାଙ୍କୁ ପ୍ରାର୍ଥୀ କରିବା ପରେ ସେ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ରାଜୁ ଦାସ ଆଉ ଦଳୀୟ ଟିକେଟ୍ ପାଇନାହାନ୍ତି। ସେବି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କିନ୍ତୁ କହିଛନ୍ତି, ସେ ଦଳ ସହ ରହିଛନ୍ତି। ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ ନାହିଁ।

ଉଲ୍ଲେଖଯୋଗ୍ୟ, ଧାମନଗରରୁ ଏକଦା ବିଧାୟକ ହୋଇଥିଲେ ରାଜୁ ଦାସ। କିନ୍ତୁ ସୂରଜ ସୂର୍ଯ୍ୟବଂଶୀ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ବିଜେପି ତାଙ୍କୁ ରିପିଟ୍ କରିଛି। ଏପରି ସ୍ଥିତିରେ ରାଜୁ ଦାସ ବାସୁଦେବପୁର କିମ୍ବା ଧାମନଗର ଆଖପାଖରେ ପ୍ରାର୍ଥୀ ହେବାକୁ ଇଚ୍ଛୁକ ଥିଲେ। କିନ୍ତୁ ଅନ୍ୟ ଆସନରେ ଆଶାୟୀ ପ୍ରାର୍ଥୀ ଥିବାରୁ ରାଜୁ ଦାସଙ୍କୁ ସୋର ବିଧାନସଭାରୁ ପ୍ରାର୍ଥୀ କରିଥିଲା ବିଜେପି। ପରେ ଏହାକୁ ନେଇ ଦଳର ସୋର ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିନ୍ତୁ ଶେଷରେ ପର୍ଶୁରାମ ଧଡା ଦଳ ପରିବର୍ତ୍ତନ କରିବା ପରେ ରାଜୁ ଦାସ ଶିଶୁପାଳ ହେଲା ପରି ହୋଇଛନ୍ତି।

Comments are closed.