ଓଡିଶା ହେଉଛି ଏକ କୃଷିଭିତ୍ତିକ ରାଜ୍ୟ । ଯାହା ବି କିଛି ସଂସ୍କୃତି ଓ ପରମ୍ପରା ପାଳିତ ହୁଏ ତାହାର ସମ୍ପର୍କ କେବଳ କୃଷିସହିତ ରହିଛି ଧାନ ବୁଣାଠାରୁ ଆରମ୍ଭ କରି ଫସଲ ଅମଳ,ନୂଆ ଅନ୍ନ ଖାଇବା ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାରେ କୃଷିଭିତ୍ତିକ ପର୍ବଗୁଡିକ ଜନସାଧାରଣଙ୍କ ଦ୍ଵାରା ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଥାଏ । ସେଇ ମଧ୍ୟରେ ରହିଛି ଗହ୍ମା ପୂର୍ଣ୍ଣିମା ବା ଗହ୍ମା ପର୍ଵ ।
ଶ୍ରାବଣ ପୂର୍ଣ୍ଣିମା ଦିନ ଏହି ପର୍ଵ ଅତି ଆନନ୍ଦର ସହ ହିନ୍ଦୁମାନେ ପାଳନ କରିଥାନ୍ତି । ଶ୍ରାବଣ ମାସ ଶେଷରେ କୃଷିକର୍ମର ମୁଖ୍ୟ ଦେବତା ହଳଧର ପ୍ରଭୁ ବଳରାମଙ୍କ ଜନ୍ମ ଉତ୍ସଵ ପାଳନ କରିବ ଉଦ୍ୟଶରେ ଏହି ଗହ୍ମା ପର୍ଵ ପାଳନ କରାଯାଇ ଆସୁଛି । ସେଥିପାଇଁ ସେ ଦିନ ସମସ୍ତେ ନିଜନିଜ ଗୃହରେ ବଳଦେବଙ୍କୁ ପୂଜା କରନ୍ତି । ତାଙ୍କର ଆୟୁଧ ହଳ ଲଙ୍ଗଳ, ଅନ୍ୟ ଚାଷ ଉପକରଣକୁ ମଧ୍ୟ ପୂଜା କରଯାଇଥାଏ ।
ବଳଦେବଙ୍କୁ ପୂଜା କରାଯିବା ବ୍ୟତୀତ ଏହି ଦିନ ଗୋମାନଙ୍କୁ ମଧ୍ୟ ପୂଜା କରାଯାଇଥାଏ ସ୍ୱୟଂ ବଳଦେବ ହେଉଛନ୍ତି ଗୋ ଜାତିର ପାଳନକର୍ତ୍ତା । ଏହି ଦିନ ଗାଈଗୋରୁ ମାନଙ୍କୁ ସ୍ନାନ କରାଯାଇ ତାଙ୍କୁ ବିଭିନ୍ନ ଭାବରେ ସଜା ଯାଇ ପୂଜା କରାଯିବା ସହ ଆନେକ ସୁସ୍ୱାଦୁ ଖାଦ୍ୟ ପଦାର୍ଥ ଦିଆଯାଇଥାଏ । ବିଶେଷ କରି ଗୋପାଳ ପରିବାର ପକ୍ଷରୁ ବିଧିପୂର୍ବକ ଏହି ପୂଜା କରାଯାଇଥାଏ ।
ଗହ୍ମା ପୂର୍ଣ୍ଣିମା ର ଅନ୍ୟ ନାମ ରାକ୍ଷୀପୁର୍ଣିମା । ରାକ୍ଷୀ ବନ୍ଧନ ଏକ ପଵିତ୍ର ବନ୍ଧନ । ଏହା ଏକ ପୁଣ୍ୟଦୟକ ପର୍ଵ । ଭାଇ ଓ ଭଉଣୀ ମଧ୍ୟରେ ରହିଥିବା ପବିତ୍ର ସମ୍ପର୍କର ବନ୍ଧନ ଏହି ରାକ୍ଷୀ ବନ୍ଧନ ।
ରାକ୍ଷୀ ବନ୍ଧନ କୁ ନେଇ ଏକ ସୁନ୍ଦର କଥା ପ୍ରଭୁ କୃଷ୍ଣ କହିଥିଲେ ମହାଭାରତରେ । ପୂର୍ବକାଳରେ ବାରବର୍ଷ ପର୍ଯ୍ୟନ୍ତ ଦେବତା ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଅସୁରମାନେ ବିଜୟୀ ହୋଇ ସବୁ ଦେବତାମାନଙ୍କ ସହ ଇନ୍ଦ୍ରଙ୍କୁ ମଧ୍ୟ ପରାସ୍ତ କରିଥିଲେ । ତେଣୁ ଇନ୍ଦ୍ର ଦେବ ପୁଣି ଥରେ ଯୁଦ୍ଧ ଲାଗି ପ୍ରସ୍ତୁତ ହୋଇ ବ୍ରହ୍ମାଙ୍କଠାରୁ ଅନୁମତି ନେଇ ବାହାରିବା ସମୟରେ ଇନ୍ଦ୍ରାଣୀ ଏହି ଶ୍ରାବଣୀ ପୂର୍ଣ୍ଣିମା ଦିନ ତାଙ୍କ ଦକ୍ଷିଣ ହସ୍ତରେ ରାକ୍ଷୀ ବାନ୍ଧି ଦେଇଥିଲେ । ବ୍ରାହ୍ମଣମାନେ ମଙ୍ଗଳବାଚନ ପାଠ କରିଲେ । ଫଳରେ ଇନ୍ଦ୍ର ଜୟଲାଭ କରିଲେ । ସେହି ଦିନ ଠାରୁ ଏହି ପ୍ରଥା ସମସ୍ତେ ପାଳନ କରୁଛନ୍ତି ।
ଇତିହାସରେ ମଧ୍ୟ ରାକ୍ଷୀକୁ ନେଇ ସୁନ୍ଦର ଉଦାହରଣ ରହିଛି । ମୋଗଲ ମାନଙ୍କ ଶାସନ ସମୟରେ ଯେତେବେଳେ ହିନ୍ଦୁରମଣୀଙ୍କ ଉପରେ ଅତ୍ୟାଚାର କରୁଥିଲେ ସେତେବେଳେ ଅନେକ ହିନ୍ଦୁ ରାମଣୀମାନେ ନିଜର ସତୀତ୍ଵକୁ ରକ୍ଷା କରିବା ଲାଗି ମୋଗଲ ଶାସକମାନଙ୍କୁ ରାକ୍ଷୀ ପଠାଇ ସେମାନଙ୍କ ସହ ଭାତୃଭାଵ ପ୍ରତିଷ୍ଠା କରିଥିଲେ ।
କେତେକ ଅଂଚଳରେ ବ୍ରାହ୍ମଣ ମାନେ ରାକ୍ଷୀ ପୂର୍ଣ୍ଣିମା ଦିନ ସମସ୍ତଙ୍କୁ ରାକ୍ଷୀ ସହ ପଇତା ଦେବାର ପ୍ରଥା ଚଳି ଆସୁଛି ।
ଏହିଦିନରେ କେତେକ ସ୍ଥାନରେ ଗହ୍ମା ବେଦୀ କରାଯାଇଥାଏ । ଗାଁର ଶେଷ ମୁଣ୍ଡରେ ଏହି ବେଦୀ ପ୍ରସ୍ତୁତ କରାଯାଇଥାଏ । ଗହ୍ମା ବେଦୀ ନିକଟରେ ବଳଦେବଙ୍କର ଆକୃତି ବିଶିଷ୍ଟ ବିରାଟ ମାଟିର ସ୍ତୁପ ତିଆରି କରାଯାଇ ସେଠାରେ ପୂଜା ଓ ଭୋଗ କରାଯାଇଥାଏ । ଅନ୍ୟ କେତେକ ଅଂଚଳରେ ଵଳଭଦ୍ରଙ୍କ ବଦଳରେ ଗୋଟିଏ ବଳଦ ଆକାରର ମାଟିର ସ୍ତୁପ ତିଆରି କରାଯାଇଥାଏ । ପୂଜା ଓ ଭୋଗ ଶେଷ ପରେ ଏକ ଅଣ୍ଡିରା ବାଛୁରୀକୁ ସେହି ମାଟି ସ୍ତୁପ ଉପରେ ଡିଆଇଁ ଦିଆଯାଏ । ଏହାକୁ ଗହ୍ମାଡିଆଁ ବୋଲି କୁହାଯାଏ ।
ବହୁ ଆଭିମୁଖ୍ୟ ଓ ତାତ୍ପର୍ଯ୍ୟକୁ ନେଇ ପାଳନ ହୋଇ ଆସୁଛି ଏହି ପର୍ଵ ।
Comments are closed.