Latest Odisha News

BREAKING NEWS

ଆଜି ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା; ଶ୍ରୀମନ୍ଦିରରେ ପାଳିତ ହେବ ବଳଭଦ୍ର ଜନ୍ମ

ପୁରୀ:  ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା ।  ଶ୍ରୀବଳଭଦ୍ରଙ୍କ ଜନ୍ମଦିନ। ଆଜି ମଧ୍ୟ  ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା । କାଲି ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲେ ହେଁ ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ରକ୍ଷା ବନ୍ଧନ ।  ପାଟରା ବିଶୋଇ ସେବକ ଜଗନ୍ନାଥ ପାତ୍ର ପ୍ରସ୍ତୁତ କରିଛନ୍ତି ପାଟ ରାକ୍ଷୀ ।

ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ରାକ୍ଷୀ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା ଏହି ବାସୁଙ୍ଗା ପାଟ । ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗର ଦୁଇଟି ଏବଂ ବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗର ଦୁଇଟି ରାକ୍ଷୀ ପ୍ରସ୍ତୁତ ହୋଇଛି । ଦୁଇ ଭାଇଙ୍କ ପାଇଁ ୪ଟି ରାକ୍ଷୀ ପ୍ରସ୍ତୁତ ହୋଇଥିବାବେଳେ  ୪ ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗର ଦୁଇଟି ଗୁଆମାଳ ଏବଂ ଶ୍ରୀବଳଭଦ୍ରଙ୍କ ପାଇଁ ସବୁଜ ଓ ବାଇଗଣି ରଙ୍ଗର ଦୁଇଟି ଗୁଆମାଳ ତିଆରି ହୋଇଛି  । ଆଜି ଏସବୁକୁ ଶ୍ରୀମନ୍ଦିର ନିଆଯିବ ।

 ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ଓ ଗହ୍ମାପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହେଇଛି । ପାଟରା ବିଶୋଇ  ଶ୍ରୀମନ୍ଦିର ଗାରଦରେ ପାଟରାକ୍ଷୀ ଦାଖଲ କରିବା ପରେ ମହାପ୍ରଭୁଙ୍କ ନିର୍ଘଣ୍ଟ ନୀତି ଅନୁଯାୟୀ ଲାଗି କରାଯିବ ।  ମଧ୍ୟାହ୍ନ ଧୂପରେ ଦେବୀ ସୁଭଦ୍ରା ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ । ସକାଳ ଧୂପ, ଭୋଗମଣ୍ଡପ ଶେଷ ପରେ ମଇଲମ, ମହାସ୍ନାନ, ଘଣ୍ଟ ଛତା ସର୍ବାଙ୍ଗ ବେଶ ଶେଷ ପରେ ରକ୍ଷାବନ୍ଧନ ନୀତି ଅନୁଷ୍ଠିତ ହେବ।

 ଆଜି ଶ୍ରୀମନ୍ଦିରରେ ମଧ୍ୟ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯିବ । ପରେ ସ୍ୱତନ୍ତ୍ର ନୀତି  ସହ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରଣୀକୁ ବିଜେ କରିବେ।  ସେଠାରେ ମାଟିର ବଳଭଦ୍ର ପ୍ରତିମା ନିର୍ମାଣ କରାଯିବ । ପୂଜାପଣ୍ଡା ସେବକ ଜୀବନ୍ୟାସ ଦେବାପରେ ଜାତକର୍ମ ଅନୁଷ୍ଠିତ ହେବ । ପରେ ପଂଚୋପଚାର, ଶୀତଳ ମଣୋହୀ ଓ ବନ୍ଦାପନା କରାଯାଇ ବଳଭଦ୍ରଙ୍କ ମାଟି ପ୍ରତିମାକୁ ମାର୍କଣ୍ଡ ପୁଷ୍କରଣୀରେ ବିସର୍ଜନ କରାଯିବ । ଏହାପରେ ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ବିମାନରେ ବସାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।

Comments are closed.