Latest Odisha News

BREAKING NEWS

ରାକ୍ଷୀ ପୂର୍ଣ୍ଣିମା ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଆଜି ପ୍ରଭୁ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ତେଣୁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ ବଳଭଦ୍ର ଏବଂ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିଥାନ୍ତି।

ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ଭାଇ- ଭଉଣୀ ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୂପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସେବକମାନେ ଲାଗି କରାଇବେ। ସେହିପରି ମାର୍କଣ୍ଡ ପୁଷ୍କରିଣୀରେ ବଳଭଦ୍ରଙ୍କ ଜନ୍ମନୀତି ହେବ। ଭୋଗମଣ୍ଡପ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦଳରେ ବିଜେ କରାଇ ନୀତି ସମାପନ କରିବେ ।

ପ୍ରତିବର୍ଷ ଏହି ରାକ୍ଷୀ ପୂର୍ଣ୍ଣିମାରେ ବଡଭାଇଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭୋଗ ମଣ୍ଡପରେ ଭୋଗ ସରିବା ପରେ ସୁଦର୍ଶନଙ୍କୁ ବିମାନରେ ବିଜେ କରାଯାଇ ମାର୍କଣ୍ଡ ପୁସ୍କରଣୀକୁ ନିଆଯାଇଥାଏ। ସେଠାରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ କରାଯାଇଥାଏ। ସେଠାରେ ସେବକମାନେ ବଳଭଦ୍ରଙ୍କ ପ୍ରତୀକ ଭାବେ ଏକ ମାଟିର ପିତୁଳା ନିର୍ମାଣ କରିଥାନ୍ତି। ସେଥିରେ ସେମାନେ ମନ୍ତ୍ର ବୋଲି ଜୀବନ୍ୟାସ ପ୍ରଦାନ କରିଥାନ୍ତି। ଏହି ମାଟି ପିତୁଳାକୁ ସେବକମାନେ ବିଭିନ୍ନ ରୀତିନୀତିରେ ପୂଜା କରିଥାନ୍ତି। ଶେଷରେ ସେମାନେ ବନ୍ଦାପନା କରି ସେହି ପିତୁଳାକୁ ବିସର୍ଜନ କରିଥାନ୍ତି। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ଗହ୍ମା ମଣ୍ଡାର ସ୍ବତନ୍ତ୍ର ଭୋଗ କରାଯାଇଥାଏ।

Comments are closed.