Latest Odisha News

BREAKING NEWS

ରାଜ୍ୟପାଳଙ୍କ ବିରୋଧରେ ମହାରାଷ୍ଟ୍ରରେ ମହାମେଣ୍ଟର ମହାରାଲି

ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରିଙ୍କ ବିବାଦୀୟ ବୟାନକୁ ନେଇ ଶିବସେନା ଉଦ୍ଧବ ବାଲାସାହେବ ଠାକରେ, ନ୍ୟାଶନାଲ କଂଗ୍ରେସ ପାର୍ଟି ଏବଂ କଂଗ୍ରେସ ନେତୃତ୍ୱାଧୀନ ମହାବିକାଶ ଆଗାଢି (ଏମଭିଏ) ସହଯୋଗୀ ଦଳ ମୁମ୍ବାଇରେ ମହାରାଲି କରିଛନ୍ତି।

ନିକଟରେ ଏକ କାର୍ଯ୍ୟକ୍ରମରେ କୋଶିଆରି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କୁ ପୁରୁଣା ଯୁଗର ଆଦର୍ଶ ବୋଲି କହିଥଲେ। କୋଶିଆରିଙ୍କ ମନ୍ତବ୍ୟକୁ ନେଇ ରାଜ୍ୟରେ ବିରୋଧୀ ଦଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ରାଜ୍ୟପାଳଙ୍କୁ ହଟାଇବା ପାଇଁ ଦାବି ହୋଇଛି। ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଚେତାବନୀ ଦେଇଥିଲେ ଯେ ଯଦି ରାଜ୍ୟପାଳ ଇସ୍ତଫା ନ ଦିଅନ୍ତି ତାହେଲେ ମହାମେଣ୍ଟ ମହାରାଲି କରିବ। ଯାହା ଆଜି ହୋଇଥିଲା। ଏହି ରାଲିରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ କୋଶିଆରିଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଉଦ୍ଧବ ଠାକରେ କହିଛନ୍ତି, ମହାରାଷ୍ଟ୍ରର ଆତ୍ମ ସମ୍ମାନ ପ୍ରତି ଅପମାନକୁ ବରଦାସ୍ତ କରାଯିବ ନାହିଁ। ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ହଟାଇବା ଆବଶ୍ୟକ। ମହାରାଷ୍ଟ୍ରକୁ ବଦନାମ କରିବାକୁ ସେ ଆସିଛନ୍ତି।

ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ମହାରାଷ୍ଟ୍ରର ସମ୍ମାନ ପାଇଁ ଆମେ ସମସ୍ତେ ଏକଜୁଟ। ଯେଉଁମାନେ ମହାରାଷ୍ଟ୍ରକୁ ଅପମାନ କରନ୍ତି ଆମେ ସେମାନଙ୍କୁ ବରଦାସ୍ତ କରିବୁ ନାହିଁ। ମହାରାଷ୍ଟ୍ରର ଲୋକମାନେ ଛତ୍ରପତି ଶିବାଜୀ ମହାରାଜଙ୍କ ଅପମାନକୁ ଆଦୌ ବରଦାସ୍ତ କରିବେ ନାହିଁ। ମହାରାଷ୍ଟ୍ରରେ ରହୁଥିବା ଲୋକମାନେ ଯେଉଁମାନେ ରାଜ୍ୟ ଏବଂ ଏହାର ସାହସୀ ଲୋକଙ୍କୁ ସମ୍ମାନ ଦେଇ ପାରିବେ ନାହିଁ ସେମାନଙ୍କୁ ତୁରନ୍ତ ଏଠାରୁ ହଟାଇବାକୁ ପଡିବ।

ଉଲ୍ଲେଖଯୋଗ୍ୟ, ନଭେମ୍ବର 19ରେ ରାଜ୍ୟପାଳ ଭାଗବତ ସିଂ କୋଶିଆରି ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏବଂ ଏନସିପି ନେତା ଶରଦ ପାୱାରଙ୍କୁ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରୁଥିବା ବେଳେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ।

ରାଜ୍ୟପାଳ କହିଥିଲେ ଯେ,  ମୋତେ ଲାଗୁଛି ଯଦି କେହି ଆପଣଙ୍କୁ କୁହନ୍ତି ତୁମର ଆଇକନ୍ କିଏ, ତୁମର ପ୍ରିୟ ହିରୋ କିଏ, ବାହାରକୁ ଯିବାର କୈଣସି ଆବଶ୍ୟକତା ନାହିଁ, ତୁମେ ଏହାକୁ ମହାରାଷ୍ଟ୍ରରେ ପାଇବ। ଛତ୍ରପତି ଶିବାଜୀ ପୁରୁଣା ଯୁଗର ବ୍ୟକ୍ତି, ମୁଁ ନୂଆ ଯୁଗ ବିଷୟରେ କହୁଛି। ନିତିନ ଗଡକରୀ ହେଉଛନ୍ତି ଆଜିର ମହାରାଷ୍ଟ୍ରର ଆଇକନ।

ସେହିପରି ବିବାଦ ବଢିବା ପରେ ନୀତିନ ଗଡକରୀ ସଫେଇ ରଖି କହିଥିଲେ, ଶିବାଜୀ ମହାରାଜ ଆମର ଭଗବାନ, ଆମେ ତାଙ୍କୁ ପିତାମାତାଙ୍କ ଅପେକ୍ଷା ଅଧିକ ସମ୍ମାନ କରୁ।

Leave A Reply

Your email address will not be published.