Latest Odisha News

BREAKING NEWS

ଏପରି ଏକ ରାମ ମନ୍ଦିର ଯେଉଁଠି ହିନ୍ଦୁଙ୍କୁ ମିଳେନି ପ୍ରବେଶ ଅନୁମତି, ଜାଣନ୍ତୁ କେଉଁଠି… 

ଇସଲାମାବାଦ: ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ହିନ୍ଦୁ ଧର୍ମାମ୍ୱଲମ୍ୱୀ ଲୋକ ବାସ କରୁଛନ୍ତି। ସନାତନ ଧର୍ମରେ ବିଶ୍ୱାସ ରଖିଥିବା ହିନ୍ଦୁମାନେ ସେଠାରେ ମଧ୍ୟ ଅଛନ୍ତି। ତେବେ ପାକିସ୍ତାନର ଇସଲାମାବାଦର ମାରଗାଲା ପାହାଡରେ ମଧ୍ୟ ଶ୍ରୀ ରାମଙ୍କ ମନ୍ଦିର ରହିଛି। ଏହି ମନ୍ଦିରଟି ବହୁତ ପ୍ରାଚୀନ। ଷୋଡଶ ଶତାବ୍ଦୀରେ ନିର୍ମିତ ହୋଇଥିବ ଏହି ମନ୍ଦିରଟି ରାମ କୁଣ୍ଡ ମନ୍ଦିର ଭାବରେ ଜଣାଶୁଣା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ଦିଆଯାଇନାହିଁ। ଏଥିସହିତ ମନ୍ଦିରରେ ଥିବା ମୂର୍ତ୍ତି ସବୁ କାଢି ଦିଆଯାଇଛି।

ରାମ ମନ୍ଦିରର ଐତିହ୍ୟ ସଂରଚନା ପାକିସ୍ତାନର ସାଦିପୁରରେ ବିଦ୍ୟମାନ ଅଛି। ଆଜିକାଲି ଏହା ଏକ ଆକର୍ଷଣର କେନ୍ଦ୍ର ପାଲଟିଛି। ଏହି ମନ୍ଦିର ବହୁ ସଂଖ୍ୟକ ଲୋକଙ୍କୁ ଆକର୍ଷିତ କରିଥାଏ। ଯାହାକୁ ନେଇ ଏକ ରୋଚକ କାହାଣୀ ମଧ୍ୟ ରହିଛି।ବିଶ୍ୱାସ କରାଯାଏ ଯେ ପ୍ରଭୁ ଶ୍ରୀ ରାମ ବନବାସ ସମୟରେ ଲକ୍ଷ୍ମଣ ଏବଂ ମାତା ସୀତାଙ୍କ ସହିତ ଏହି ସ୍ଥାନରେ ୧୪ ଦିନ ରହିଥିଲେ। ଏହି ମନ୍ଦିର ନିକଟରେ ଥିବା ପୋଖରୀର ପାଣି ମଧ୍ୟ ପିଇଥିଲେ। ଏହି ପୋଖରୀକୁ ରାମ କୁଣ୍ଡ କୁହାଯାଏ ।

ପାକିସ୍ତାନର ସାଦିପୁରର ରାମ ମନ୍ଦିର ନାଲି ଇଟା ଦ୍ୱାରା ନିର୍ମାଣ କରାଯାଇଛି। ମନ୍ଦିରଟି ଦେଖିବାକୁ ଅତି ସାଧାରଣ। ଏହାକୁ ଘେରି ଏକ ପ୍ରାଙ୍ଗଣ ରହିଛି। ଯେଉଁଠାରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଲକ୍ଷ୍ମଣଙ୍କ ମୂର୍ତ୍ତି ରଖାଯାଇଥିଲା । ୧୮୯୩ର ସରକାରୀ ରେକର୍ଡ ଅନୁଯାୟୀ, ପ୍ରଭୁ ରାମଙ୍କ ଏହି ଆଗମନକୁ ମନେରଖିବା ପାଇଁ ସେହି ସ୍ଥାନ ନିକଟରେ ଥିବା ପୋଖରୀରେ ବାର୍ଷିକ ମେଳା ଅନୁଷ୍ଠିତ ହୋଇଥିଲା। ଦୂରଦୂରାନ୍ତରୁ ଆସିଥିବା ହିନ୍ଦୁମାନେ ପୂଜାପାଠ ପାଇଁ ମନ୍ଦିରକୁ ଆସୁଥିଲେ ଏବଂ ନିକଟସ୍ଥ ଧର୍ମଶାଳାରେ ରହୁଥିଲେ।

୧୯୪୭ ମସିହା ପରଠାରୁ, ଭାରତ-ପାକିସ୍ତାନ ବିଭାଜନ ପରେ ହିନ୍ଦୁମାନଙ୍କୁ ପାକିସ୍ତାନୀ କର୍ତ୍ତୃପକ୍ଷ ମନ୍ଦିର ଏବଂ ଏହା ଥିବା କମ୍ପ୍ଲେକ୍ସରେ ପୂଜା କରିବାକୁ ଅନୁମତି ଦେଇ ନାହାଁନ୍ତି। ଯାହା ଫଳରେ ଆଜିବି ମନ୍ଦିରଟି ସେହିପରି ପଡିରହିଛି। ସେଠାରେ ପୂଜା କରାଯାଉନାହିଁ।

Leave A Reply

Your email address will not be published.