Latest Odisha News

BREAKING NEWS

ଚନ୍ଦ୍ରଯାନ-୩ର ଚାରି ପେଲୋଡ୍ସ ରମ୍ଭା, ଚାଷ୍ଟେ, ଇଲ୍ସା ଏବଂ ଏରେ… ଖୋଲିଦେବେ ଚନ୍ଦ୍ରର ସବୁ ରହସ୍ୟ

ନୂଆଦିଲ୍ଲୀ: ଆଜି ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଚନ୍ଦ୍ରଯାନ-୩  । ସେହି ମହାର୍ଘ ମୁହୂର୍ତ୍ତକୁ ଏବେ ସମସ୍ତଙ୍କର ଅପେକ୍ଷା । ଯଦି ସବୁକିଛି ଠିକଠାକ ହୁଏ ତେବେ ସନ୍ଧ୍ୟା ୬ଟା ୪ ମିନିଟରେ ଅବତରଣ କରିବ ଚନ୍ଦ୍ରଯାନ-୩ । ଇସ୍ରୋର କହିବା ଅନୁଯାୟୀ, ପ୍ରତ୍ୟେକ ସିଷ୍ଟମକୁ ସମୟ ଅନୁସାରେ ଚେକ କରାଯାଉଛି । ବର୍ତ୍ତମାନ ସବୁ ସିଷ୍ଟମ ଠିକ ଭାବେ କାମ କରୁଛି । ତେବେ ବୈଜ୍ଞାନିକଙ୍କ ଚିନ୍ତା ଶେଷ ୧୭ ମିନିଟକୁ ନେଇ  । ଯାହାକୁ ଇସ୍ରୋ ବୈଜ୍ଞାନିକମାନେ ‘୧୭ ମନିଟ୍ସ ଅଫ ଟେରର’ ନାଁ ଦେଇଛନ୍ତି । ୪୦ ଦିନର ଯାତ୍ରା ପରେ ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଇତିହାସ ସୃଷ୍ଟି କରିବ । ଲାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପରେ ତାର କାମ ଆରମ୍ଭ କରିଦେବ ।

ସବୁକିଛି ଆଶାନୁରୂପ ରୂପେ ହେଲେ, ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରାଯାନ-୩  ଚନ୍ଦ୍ରପୃଷ୍ଠରେ ପାଦରଖିବ  । ତେବେ ଏହା ପୂର୍ବରୁ ଭାରତର ମୁନ ମିଶନକୁ ସେହି ଶେଷ ୧୭ ଟେରର ମିନିଟ ମଧ୍ୟ ଦେଇ ଆଗକୁ ଯିବାକୁ ପଡିବ । ତା ପରେ ଆସିବ ସେଇ ଐତିହାସିକ ମୁହୂର୍ତ୍ତ । ଲାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ତାର କାମ ଆରମ୍ଭ କରିବ । ଲ୍ୟାଣ୍ଡିଂ ହେବା ପରେ ବିକ୍ରମ ଲାଣ୍ଡରରୁ ୬ ଚକ ବିଶିଷ୍ଟ ପ୍ରଜ୍ଞାନ ରୋବର ବାହାରି ଆସିବ । ଏହାପରେ ଇସ୍ରୋର ନିର୍ଦ୍ଦେଶ ମିଳିବା ପରେ  ଏହା ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିବ ।

ଲାଣ୍ଡିଂ ପରେ ବିକ୍ରମ ଗତିଶୀଳ ହେବ ଏବଂ ସୂଚନା ପ୍ରେରଣ କରିବ । ଏହାପରେ ବିକ୍ରମର ରାମ୍ପ ଖୋଲିଯିବ ଏବଂ ପ୍ରଜ୍ଞାନ ରୋବର ଏହି ରାମ୍ପ ଦେଇ ଚନ୍ଦ୍ରର ପୃଷ୍ଠଭୁମିକୁ ବାହାରି ଆସିବ । ବିକ୍ରମ ଲାଣ୍ଡର ପ୍ରଜ୍ଞାନର ଫଟୋ ଉଠାଇବ ଏବଂ ପ୍ରଜ୍ଞାନ ବିକ୍ରମର ଫଟୋ ଉଠାଇବ  । ଉଭୟେ ନିଜ  ନିଜ ଫଟୋ ଇସ୍ରୋକୁ ପ୍ରେରଣ କରିବେ ।

ବିକ୍ରମ ଲାଣ୍ଡରରେ ରହିଛି ୪ଟି ପେଲୋଡ୍ସ । ବିକ୍ରମ ଚନ୍ଦ୍ରରେ ଅବତରଣ କରିବା କ୍ଷଣି ଏହି ୪ଟି ପେଲୋଡ୍ସ କାମ କରିବା ଆରମ୍ଭ କରିବେ । ୪ଟି ପେଲୋଡ୍ସର କାମ ଅଲଗା ଅଲଗା ରହିଛି । ଏଥିମଧ୍ୟରୁ ଗୋଟିଏ ରମ୍ଭା ବା ରେଡିଓ ଏନାଟୋମି ଅଫ ମୁନ ବାଉଣ୍ଡ ହାଇପରସେନ୍ସିଟିଭ  ଆଇନୋସ୍ପିୟର ଆଣ୍ଡ ଆଟମସପିୟର (RAMBHA) । ଏହା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟରୁ ଆସୁଥିବା ପ୍ଲାଜମା କଣିକାର ଘନତ୍ୱ, ମାତ୍ରା ଏବଂ ପରିବର୍ତ୍ତନକୁ ଯାଞ୍ଚ କରିବ ।

ସେହିପରି ଆଉ ତିନୋଟି ପେଲୋଡ୍ସ  ମଧ୍ୟରୁ ଚାଷ୍ଟେ (ChaSTE) ଚନ୍ଦ୍ର ପୃଷ୍ଠର ତାପମାତ୍ରାର ଯାଞ୍ଚ କରିବ, ଇଲ୍ସା  (ILSA)  ଲାଣ୍ଡିଂ ସାଇଡର ଆଖପାଖ ଭୂକମ୍ପୀୟ ଗତିବିଧିକୁ ଯାଞ୍ଚ କରିବ, ଲେଜର ରେଟ୍ରୋରିଫ୍ଲେକ୍ଟର ବା ଏରେ ଚନ୍ଦ୍ରର ଡାଇନାମିକ୍ସକୁ ବୁଝିବାକୁ ଚେଷ୍ଟା କରିବ ।

Comments are closed.