Latest Odisha News

ରମେଶ୍ୱରମ କାଫେ ବିସ୍ଫୋରଣ ଘଟଣା, ମୁଖ୍ୟ ୨ ଅଭିଯୁକ୍ତ ଗିରଫ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ରମେଶ୍ୱରମ କାଫେ ବିସ୍ଫୋରଣ ଘଟଣାରେ ପୁଣି ଦୁଇ ଜଣଙ୍କୁ ଗିରଫ କରିଛି ଏନଆଇଏ । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ଅବଦୁଲ ମଥୀନ ତାହା ଏବଂ ମୁସାବୀର ହୁସେନ ଶାଜିବ । ପଶ୍ଚିମବଙ୍ଗରୁ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏନଆଇଏ ।

ସୂଚନା ଅନୁସାରେ, ରାମେଶ୍ଵରମ କାଫେ ବିସ୍ଫୋରଣ ମାମଲାରେ ଫେରାର ଥିବା ଅବଦୁଲ ମଥୀନ ତାହା ଏବଂ ମୁସାବୀର ହୁସେନ ଶାଜିବ କୋଲକାତାରେ ଲୁଚି ରହିଥିବା ନେଇ ଖବର ପାଇଥିଲା ଏନଆଇଏ । ଏହାପରେ ଆଜି ସେଠାରେ ଚଢାଉ କରି ଏହି ୨ଜଣଙ୍କୁ ଗିରଫ କରିଛି ଟିମ୍ । ସେଠାରେ ଏହି ଦୁଇ ଜଣ ଛଦ୍ମ ବେଶରେ ଲୁଚି ରହିଥିଲେ । ତେବେ ଗତ ମାସରେ ଏନଆଇଏ ତାହା ଏବଂ ଶାଜିବର ଫଟୋ ଜାରି କରିଥିଲା । ଏହି ଦୁଇ ଆତଙ୍କୀଙ୍କୁ ଧରାଇଦେବା ପାଇଁ ମୁଣ୍ଡ ପିଛା ୧୦ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା ।

ଏନଆଇଏ ଟିମର କହିବା ଅନୁସାରେ, ବେଙ୍ଗାଲୁରୁ ବିସ୍ଫୋରଣ ଘଟଣାର ଏହି ଦୁଇ ଜଣ ହେଉଛନ୍ତି ମାଷ୍ଟରମାଇଣ୍ଡ । ଶାଜିବ କାଫେ ଭିତରେ ଆଇଇଡି ରଖି ଫେରାର ହୋଇଯାଇଥିଲା । କିନ୍ତୁ ଏହା ପଛରେ ମୁଖ୍ୟ ଲୋକ ଥିଲା ତାହା । ତାହା ଏହି ବିସ୍ଫୋରଣର ସମସ୍ତ ଯୋଜନା ରଚିଥିଲା । କେବଳ ସେତିକି ନୁହେଁ ଘଟଣା ଘଟାଇବା ପରେ ପୋଲିସ ଆଖିରେ ଧୁଳି ଦେଇ ସେଠାରୁ ଖାସି ଚାଲିଯିବାର ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲା ତାହା । ଏହି ଦୁଇ ଜଣଙ୍କୁ ଧରିବା ପାଇଁ ଏନଆଇଏ କେନ୍ଦ୍ରିୟ ଏଜେନ୍ସି ସହ ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳ ପୋଲିସ ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲା । ଏନଆଇଏର କହିବା ଅନୁସାରେ, ୩୦୦ରୁ ଅଧିକ କ୍ୟାମେରାର ସିସିଟିଭି ଫୋଟେଜ୍ ଦେଖିବା ପରେ ଜଣାପଡିଥିଲା ଯେ ୨୦୨୦ ସୁରକ୍ଷାକର୍ମୀଙ୍କ ହାତରୁ ଖସି ଯାଇଥିବା ଏହି ଦୁଇ ଆତଙ୍କୀ ଏହି ଘଟଣାର ମାଷ୍ଟମାଇଣ୍ଡ ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୧ ରେ ବେଙ୍ଗାଲୁରୁର ରମେଶ୍ୱରାମ୍ କାଫେରେ ଅପରାହ୍ନରେ ଏକ ବଡ ଧରଣର ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ୧୦ ଜଣ ଆହତ ହୋଇଥିଲେ । ଏହା ପରେ ପୋଲିସ ଏବଂ FSL ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ସିସିଟିଭି ଯାଞ୍ଚ କରାଯାଇଥିଲା ଏବଂ ଜଣେ ଅଭିଯୁକ୍ତଙ୍କୁ ସିସିଟିଭିରେ ଦେଖିବାକୁ ମିଳିଥିଲା। ତାଙ୍କ କାନ୍ଧରେ ବିସ୍ଫୋରକ ଭର୍ତ୍ତି ଏକ ବ୍ୟାଗ ଥିବା ଦେଖିବାକୁ ମିଳିଥିଲା ।

 

 

Comments are closed.