Latest Odisha News

BREAKING NEWS

ପରଦାକୁ ଆସିଲା ‘ରଙ୍ଗଶୁର’, ବିଲୁପ୍ତ ପରମ୍ପରାକୁ ପୁଣି ଦେଖିଲେ ଦର୍ଶକ

ଭୁବନେଶ୍ବର: ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’ । ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ନିର୍ମିତ ଫିଲ୍ମଟିକୁ ଭଲ ରେସପନ୍ସ ମିଳିଛି । ରିଲିଜ ହେବାର ପ୍ରଥମ ଦିନରେ ହାଉସଫୁଲ ରହିଥିଲା । ଓଲିଉଡ଼ର ଅନେକ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ସିନେପ୍ରେମୀ ‘ରଙ୍ଗଶୁର’ କୁ ଦେଖିଛନ୍ତି । ଏହା ସହ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।

ତେବେ ଏହି ଫିଲ୍ମଟି କେବଳ ଓଡିଶା ନୁହଁ ଏହା ଦେଶର ସାତୋଟି ସହରରେ ମୁକ୍ତିଲାଭ କରିଛି । ପ୍ରକାଶ ଫିଲ୍ମ୍ସ ଏବଂ ମୁନ୍ ଟିଭି ମୁଭିଜର ମିଳିତ ପ୍ରଯୋଜନାରେ ନିର୍ମିତ ଓଡ଼ିଆ ଫିଲ୍ମ ‘ରଙ୍ଗଶୁର’ ବେଙ୍ଗାଲୁରୁ, ହାଇଦ୍ରାବାଦ, ଦିଲ୍ଲୀ, ମୁମ୍ବାଇ, ପୁନେ, ସୁରଟ ଏବଂ ଚେନ୍ନାଇରେ ମୁକ୍ତିଲାଭ କରିଛି ।

ପ୍ରଯୋଜକ ସଚ୍ଚିକାନ୍ତ ଜେନା ,ପ୍ରଶାନ୍ତ ବେହେରା ଏହାର ପ୍ରଯୋଜନା କରିଥିବାବେଳେ ସହ ପ୍ରଯୋଜନା କରିଛନ୍ତି ସୁନୀଲ ଯାଦବ ଏବଂ ପ୍ରତାପ ରାଉତ। କାହାଣୀ, ଚିତ୍ରତ୍ତୋଳନ ଏବଂ ନିର୍ଦ୍ଦେଶନାରେ ଅଛନ୍ତି ବହୁ ଅଭିଜ୍ଞ ଟେକ୍ନିସିଆନ ପ୍ରତାପ ରାଉତ ।

ରଙ୍ଗଶୁର ଓଡ଼ିଆ ପରମ୍ପରାର ଏକ ପ୍ରାଚୀନ ଲୋକକଳା ନୃତ୍ୟ ବାଘ ନାଚ ଉପରେ କାହାଣୀ ଆଧାରିତ । ବିଲୁପ୍ତ ପ୍ରାୟ ବାଘ ନାଚ ଉପରେ ଆଧାରିତ ଏ କଥାଚିତ୍ରର କାହାଣୀ ରଙ୍ଗଶୁର l ତେବେ ଜଣେ ଝିଅ ଦେହରେ ରଙ୍ଗ ଲଗାଇ ନୃତ୍ୟ କରୁଛି ଓ ଜଙ୍ଗଲକୁ କେମିତି ସୁରକ୍ଷା ଦେଉଛି, ତାହା ହିଁ ଚଳଚ୍ଚିତ୍ରର ମୁଖ୍ୟ କାହାଣୀ l ‘‘ବାଘ ବଞ୍ଚିଲେ ବଞ୍ଚିବ ଜଙ୍ଗଲ, ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବୁ’’ ଭଳି ଏକ ବଡ଼ ବାର୍ତ୍ତା ଦେଇଛି ଏହି ଫିଲ୍ମ।

ଓଡିଶାର ମୁଖ୍ୟତଃ ଗଞ୍ଜାମ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ଏହି ବାଘ ନୃତ୍ୟ ପରିବେଷଣ ହୋଇଥାଏ l ଏହା ବ୍ୟତୀତ ବାହାର ରାଜ୍ୟ ବେଙ୍ଗଲ, କର୍ଣ୍ଣାଟକ, କେରଳ, ଆନ୍ଧ୍ର, ତାମିଲନାଡୁ, ମହାରାଷ୍ଟ୍ର ଏବଂ ଦେଶ ମାନଙ୍କ ମଧ୍ୟରେ ଜାପାନ, ଇଣ୍ଡୋନେସିଆ, ଚୀନ ମଧ୍ୟ ଏହି ନୃତ୍ୟ ପରିବେଷଣ ହୋଇଥାଏ l

ଏହି ଚଳଚ୍ଚିତ୍ରରେ ଅଭିଜ୍ଞ ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସମରେଶ ରାଉତରାୟ, ଜ୍ୟୋତି, ଶୁଭାଶିଷ, ଦୀପନ୍ବିତ, ସୂର୍ଯ୍ୟମୟୀ ଏବଂ ଶୁଭଶ୍ରୀ ପ୍ରମୁଖ ନିଚ୍ଛକ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ଅଛନ୍ତି ପ୍ରଣୟ ଜେଠୀ । ସ୍କ୍ରିପ୍ଟ ଉମଙ୍ଗ, ହିମାଂଶୁ ଏବଂ ଶତ୍ରୁ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି ଡଃ ରଜନୀ ରଞ୍ଜନ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ ଏବଂ ବାନି ।

Leave A Reply

Your email address will not be published.