Latest Odisha News

BREAKING NEWS

ରଣଜୀ ଟ୍ରଫି: ପ୍ରଥମ ଦିନରେ ଓଡ଼ିଶା ୧୯୪ ରନ୍‌ରେ ଅଲଆଉଟ୍; ପୁଲକିତ ନାରଙ୍ଗଙ୍କୁ ୬ ୱିକେଟ୍

ଭୁବନେଶ୍ୱର: ସ୍ଥାନୀୟ କିଟ୍ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍-ସି ମ୍ୟାଚ୍‌ର ପ୍ରଥମ ଦିନରେ ଓଡ଼ିଶା ଦଳ ନିରାଶାଜନକ ପ୍ରଦର୍ଶନ କରିଛି । ସର୍ଭିସେସ୍ ବିପକ୍ଷରେ ଓପନିଂ ଯୋଡ଼ି ୭୯ ରନ୍‌ର ଭଲ ଆରମ୍ଭ କରିଥିଲେ ମଧ୍ୟ ଓଡ଼ିଶାର ବ୍ୟାଟିଂ ବିପର‌୍ୟ୍ୟୟ ଘଟି ପ୍ରଥମ ଇନିଂସରେ ଦଳ ମାତ୍ର ୧୯୪ ରନ୍‌ରେ ଅଲଆଉଟ୍ ହୋଇଯାଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ପାଇଁ ଗୌରବ ଚୌଧୁରୀ (୪୧ ରନ୍) ଏବଂ ସ୍ୱସ୍ତିକ ସାମଲ (୩୯ ରନ୍) ପ୍ରଥମ ୱିକେଟ୍ ପାଇଁ ୭୯ ରନ୍‌ର ଭାଗିଦାରୀ କରିଥିଲେ । ଓପନିଂ ଯୋଡ଼ି ଭାଙ୍ଗିବା ପରେ ଦଳର ମଧ୍ୟକ୍ରମ ସମ୍ପୂର୍ଣ୍ଣ ଫ୍ଲପ୍ ସାବ୍ୟସ୍ତ ହୋଇଥିଲା ।

କେବଳ ଅନିଲ ପରିଡ଼ା ୧୦୦ଟି ବଲ୍‌ରୁ ୩୬ ରନ୍‌ର ସଂଘର୍ଷପୂର୍ଣ୍ଣ ଇନିଂସ ଖେଳିଥିଲେ । ଓଡ଼ିଶା ଦଳ ୮୨.୩ ଓଭରରେ ୧୯୪ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା । ସର୍ଭିସେସ୍‌ର ଅଫ୍-ସ୍ପିନର ପୁଲକିତ ନାରଙ୍ଗ ମାତ୍ର ୪୭ ରନ୍ ଦେଇ ୬ଟି ୱିକେଟ୍ ଅକ୍ତିଆର କରି ଓଡ଼ିଶା ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।  ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ସର୍ଭିସେସ୍ ବିନା କୌଣସି ୱିକେଟ୍ ହରାଇ ୫ ଓଭରରେ ୧୩ ରନ୍ ସଂଗ୍ରହ କରିଛି । ଚଳିତ ସିଜନ୍‌ରେ ନିଜ ଘରୋଇ ମାଟିରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଓଡ଼ିଶା ପୂର୍ବରୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇସାରିଛି। ତେଣୁ ଏହି ମ୍ୟାଚ୍‌ରେ ଦଳ ପାଇଁ ଏକ ଭଲ ଫଳାଫଳ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

Leave A Reply

Your email address will not be published.