ମୁମ୍ବାଇ: ସୁପରଷ୍ଟାର ରଣବୀର ସିଂ ଡନ ୩ ଫିଲ୍ମରୁ ଓହରିବା ଫରହାନ ଅଖତାରଙ୍କୁ ଶକ୍ତ ଧକ୍କା ଦେଇଛି । ରିପୋର୍ଟ ମୁତାବକ ଫରହାନଙ୍କ ଏକ୍ସସେଲ ଏଂଟରଟେନମେଂଟର ଏ ବାବଦକୁ ୪୦କୋଟି ଟଙ୍କା କ୍ଷତି ହୋଇଛି । ଧୀରେ ଧୀରେ ରଣବୀର ଓ ଫରହାନଙ୍କ ମଧ୍ୟରେ ଏହା ଏକ ବଡ ବିବାଦର ରୂପ ନେଉଛି । ସେ ହଠାତ ଓହରିଯିବା ଯୋଗୁ ଫିଲ୍ମର ଡେଭଲେପମେଂଟ, ଶିଡ୍ୟୁଲ ଓ ପ୍ଲାନିଂରେ ଖର୍ଚ୍ଚ ହୋଇଥିବା ଅର୍ଥ ଏବେ ପାଣିରେ ପଡିଛି । ରଣବୀର ଏହି କ୍ଷତିର ଭରଣା କରନ୍ତୁ ବୋଲି ଏକ୍ସସେଲ ଏଂଟରଟେନମେଂଟ ଚାହୁଁଛି ।
ସ୍କ୍ରିପ୍ଟ ପଢ଼ିବା ପରେ ସେ ପ୍ରୀ ପ୍ରଡକ୍ସନ କାମରେ ସହଯୋଗ କରିଥିଲେ ବୋଲି ଫରହାନ କହିଛନ୍ତି । ଅପରପକ୍ଷରେ ଫିଲ୍ମର ସ୍କ୍ରିପ୍ଟ ପସନ୍ଦ ନ ଆସିବାରୁ ଓହରିଗଲେ ବୋଲି ରଣବୀର କହିଛନ୍ତି । ଶୁକ୍ରବାର ରଣବୀର ଓ ଫରହାନଙ୍କ ମଧ୍ୟରେ ଏ ନେଇ ୨ ଘଂଟା ଆଲୋଚନା ହୋଇଥିଲା । ଫଳାଫଳ କିନ୍ତୁ କିଛି ବାହାରି ପାରି ନ ଥିଲା । ପ୍ରଡ୍ୟୁସର୍ସ ଗିଲ୍ଡ ଅଫ ଇଣ୍ଡିଆ ଏହି ଘଟଣାରେ ମଧ୍ୟସ୍ଥତା କରୁ ବୋଲି ଫରହାନ ଅନୁରୋଧ କରିଛନ୍ତି । ଉଭୟଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଶୀଘ୍ର ସମାଧାନ ହେଉ ବୋଲି ସମସ୍ତେ ଚାହୁଁଛନ୍ତି ।