ମୁମ୍ବାଇ: ଗତ ସେପ୍ଟେମ୍ବର ମାସରେ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣଭୀର ସିଂ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତାଙ୍କ ଝିଅ ନାଁ ସେମାନେ ଦୁଆ ରଖିଛନ୍ତି । ବର୍ତ୍ତମାନ ଏହି ଷ୍ଟାର ଦମ୍ପତି ପିତାମାତା ହେବାର ଖୁସିକୁ ଉପଭୋଗ କରୁଛନ୍ତି । ଝିଅ ଦୁଆ ଜନ୍ମ ବେଳରୁ ଏହି ଦମ୍ପତି ଅନେକ ଥର ନିଜ ଝିଅ ସହ ନଜର ଆସିଛନ୍ତି। କିଛି ଦିନ ତଳେ ଏହି ଦମ୍ପତି ତାଙ୍କ ଝିଅର ଚେହେରା ମଧ୍ୟ ଦେଖାଇଥିଲେ । ତେବେ କହିରଖୁଛୁ ଯେ ବର୍ତ୍ତମାନ ଦୀପିକା ମ୍ୟାଟରନିଟି ଲିଭ୍ ରେ ଥିବା ବେଳେ ରଣଭୀର ସିଂ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏହାରି ଭିତରେ ଏହି ଦମ୍ପତିଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ ଖବର । ଖୁବ୍ ଶୀଘ୍ର ଏହି ଷ୍ଟାର୍ ଦମ୍ପତି କିଙ୍ଗ୍ ଖାନଙ୍କ ପଡୋଶୀ ହେବାକୁ ଯାଉଛନ୍ତି ।
ଆଜ୍ଞା ହଁ, ଦୀପିକା ଏବଂ ରଣବୀର ଖୁବ୍ ଶୀଘ୍ର ତାଙ୍କ ନୂଆ ଘରକୁ ସ୍ଥାନାନ୍ତର ହେବାକୁ ଯାଉଛନ୍ତି । ରିପୋର୍ଟ ଅନୁଯାୟୀ ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କର ନୂତନ ଘର କିଙ୍ଗ୍ ଖାନ୍ ତଥା ଶାହାରୁଖ୍ ଖାନଙ୍କ ଘର ମନ୍ନତ ନିକଟରେ ବୋଲି ସୂଚନା ମିଳିଛି । ଦୀପିକା-ରଣଭୀରଙ୍କ ଏହି ବଙ୍ଗଳାର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ଏବଂ ଏହି ଘର ୧୧,୨୬୬ ବର୍ଗଫୁଟରେ ନିର୍ମିତ । ରଣଭୀର ଏବଂ ଦୀପିକାଙ୍କ ଏହି ନୂତନ ଘରର ଛାତ ୧,୩୩୦ ବର୍ଗଫୁଟ ଥିବା ବେଳେ ବିଲ୍ଡିଂଟି ୧୬-୧୯ ମହଲା ବିଶିଷ୍ଟ । ସୋସିଆଲ ମିଡିଆରେ ରଣଭୀର ଏବଂ ଦୀପିକାଙ୍କ ଏହି ନୂତନ ଘରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରୁ ଜଣା ପଡୁଛି ଯେ, ତାଙ୍କ ଘରର ନିର୍ମାଣ କାର୍ଯ୍ୟ ପ୍ରାୟ ସଂପୂର୍ଣ୍ଣ ହୋଇ ଆସିଲାଣି ।
View this post on Instagram
ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ଦୀପିକାଙ୍କୁ ଶେଷ ଥର ପାଇଁ “ସିଙ୍ଘମ୍ ଏଗେନ”ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରରେ ସେ ଶକ୍ତି ଶେଟ୍ଟୀ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ସୁଟିଂ ସମୟରେ ଦୀପିକା ଗର୍ଭବତୀ ଥିଲେ। “ସିଙ୍ଘମ୍ ଏଗେନ” ପୂର୍ବରୁ ତାଙ୍କୁ “କଲ୍କି ୨୮୯୮ ଏଡି” ରେ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ସେ ପଠାନ, ଜୱାନ ଏବଂ ଫାଇଟର ଭଳି ଚଳଚ୍ଚିତ୍ର ନଜର ଆସିଥିଲେ ।
ସେହିପରି ରଣଭୀର ସିଂ ମଧ୍ୟ “ସିଙ୍ଘମ୍ ଏଗେନ”ରେ ନଜର ଆସିଥିଲେ। ସେ ଏହି ଚଳଚ୍ଚିତ୍ରରେ ସିମ୍ବା ଭୂମିକାରେ ଅଭିନୟ କରିଥିଲେ। “ସିଙ୍ଘମ୍ ଏଗେନ” ପୂର୍ବରୁ ରଣଭୀରଙ୍କୁ “ରକି ଅର ରାନୀ କି ପ୍ରେମ କାହାନି” ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ରଣଭୀର ତାଙ୍କର ଆଗାମୀ ଚଳଚ୍ଚିତ୍ର “ଧୁରନ୍ଦର”ର ସୁଟିଂରେ ବ୍ୟସ୍ତ ଅଛନ୍ତି।