Latest Odisha News

ଭାରତରେ ପଳାତକ, ହେଲେ ବିଦେଶରେ ରିଜର୍ଭ ବ୍ୟାଙ୍କ ମାଲିକ !

ଭୁବନେଶ୍ୱର: ଭାରତରେ ପଳାତକ ଘୋଷିତ । ହେଲେ ବିଦେଶରେ ରିଜର୍ଭ ବ୍ୟାଙ୍କ ମାଲିକ । ଗଣେଶ ଚତୁର୍ଥୀରେ ଭାରତର ଜଣେ ପଳାତକ ଅଭିଯୁକ୍ତ ବାହାର ଦେଶରେ ରିଜର୍ଭ ବ୍ୟାଙ୍କ ଖୋଲିବା ସହ ନିଜର ମୁଦ୍ରା ବି ଉନ୍ମୋଚନ କରି ପ୍ରଚଳନ କରିବାକୁ ଘୋଷଣା କରିଛି ।

ଆତ୍ମଘୋଷିତ ଭଗବାନ ନିତ୍ୟାନନ୍ଦ । ତା ବିରୋଧରେ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଗତବର୍ଷ ଭାରତରୁ ଚମ୍ପଟ୍ ମାରିଥିଲା । ସେବେଠୁ ଦକ୍ଷିଣ ଆମେରିକା ଇକ୍ୱାଡୋରର ଏକ ଦ୍ୱୀପରେ ନିଜର ସାମ୍ରାଜ୍ୟ ବିସ୍ତାର କରିଥିବା ଜଣାପଡିଛି ।

ଶନିବାର ୭୭ ପ୍ରକାର ସ୍ୱର୍ଣ୍ଣମୁଦ୍ରା ଉନ୍ମୋଚନ କରିଥିଲା ନିତ୍ୟାନନ୍ଦ । ମୁଦ୍ରାର ନାଁ କୈଳାଶିୟାନ୍ ଡଲାର୍ ରହିଥିବାବେଳେ ବ୍ୟାଙ୍କର ନାଁ ରହିଛି ରିଜର୍ଭ ବ୍ୟାଙ୍କ ଅଫ୍ କୈଳାଶ । ଏ ନେଇ ଖୋଦ ଅଭିଯୁକ୍ତ ନିତ୍ୟାନନ୍ଦ ସୋସିଆଲ ମିଡିଆରେ ସମସ୍ତ ବିବରଣୀ ବି ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ନିଜ ବ୍ୟାଙ୍କକୁ ବୈଧ ତଥା ଚାଲୁ କରିବା ପାଇଁ ନିତ୍ୟାନନ୍ଦ ଏକ ଦେଶ ସହ ଏମ୍‌ଓୟୁ ସ୍ୱାକ୍ଷର କରିବ । ଏହା ପରେ ଯେଉଁ ଦେଶ ସହ ନିତ୍ୟାନନ୍ଦ କୁଟନୈତିକ ସଂପର୍କ ସ୍ଥାପନ କରିବାରେ ସମର୍ଥ ହେବ, ସେହି ଦେଶରେ ଚଳନୀୟ ହେବ କୈଳାଶିୟାନ୍ ଡଲାର ।

ବଳାତ୍କାର, ନିର୍ଯାତନା, ବେଆଇନ ଗର୍ଭପାତ ଓ ଅନେକ ଅପରାଧ ସହ ଜଡିତ ନିତ୍ୟାନନ୍ଦ ୨୦୧୮ରେ ଭାରତରୁ ଖସି ପଳାଇଥିଲା । ବିଦେଶରେ ରହୁଥିବା କିଛି ହିନ୍ଦୁଙ୍କ ସହାୟତାରେ ନିତ୍ୟାନନ୍ଦ କୈଳାଶା ନାମରେ ଏକ ଦେଶ ବି ସ୍ଥାପନ କରିଥିବା ଶୁଣିବାକୁ ମିଳିଥିଲା । ତେବେ ଏହି ଖବର କେତେଦୂର ସତ ତାହା ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।

Comments are closed.