ହରିୟାଣା: ୨୯ ଦିନ ମଧ୍ୟରେ ଦ୍ୱିତୀୟ ଥର ଜେଲରୁ ବାହାରକୁ ଆସିବେ ଦୁଷ୍କର୍ମକାରୀ ବାବା ଗୁରମୀତ ରାମ ରହିମ। ସେ ଏବେ ହରିୟାଣା ରୋହତକର ସୁନାରିୟା ଜେଲରେ ଦଣ୍ଡ ଭୋଗୁଛନ୍ତି। ତାଙ୍କୁ ପୁଣି ଥରେ କୋର୍ଟ ୫୦ ଦିନିଆ ପାରୋଲ ଦେଇଛନ୍ତି। ଠିକ୍ ୨୯ ଦିନ ପୂର୍ବରୁ ସେ ଜେଲରୁ ବାହାରକୁ ଆସିଥିଲେ।ଏହିପରି ଭାବରେ ଗତ ୪ ବର୍ଷ ମଧ୍ୟରେ ନବମ ଥର ରାମ ରହିମଙ୍କୁ ପାରୋଲ ପ୍ରଦାନ କରାଯାଇଛି।
ହରିୟାଣା ସରକାର ବାବା ରାମ ରହିମଙ୍କୁ ୫୦ ଦିନ ପାଇଁ ପାରୋଲ ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ ୟୁପି ବାଗପାଟର ବର୍ଣ୍ଣୱା ଆଶ୍ରମରେ ରହିବେ। ହରିୟାଣା ଜେଲର ନିୟମ ମୁତାବକ ଆଜୀବନ ଜେଲ କାଟୁଥିବା କୌଣସି ବି କଏଦୀ ବର୍ଷରେ ୭୦ ଦିନ ପାରୋଲରେ ଯାଇପାରିବେ । ହରିୟାଣା ସରକାର ରାମ ରହିମଙ୍କୁ ନଭେମ୍ବର ମାସରେ ୨୧ ଦିନ ପାଇଁ ପାରୋଲ ଦେଇଥିଲେ । ସେତେବେଳେ ସେ ୨୧ ଦିନ ଯାକ ଉତ୍ତର ପ୍ରଦେଶର ବାଗବତ ଆଶ୍ରମରେ ରହିଥିଲେ । ଏହାପରେ ଡିସେମ୍ବର ୨୧ ତାରିଖରେ ସେ ଜେଲକୁ ଫେରିଯାଇଥିଲେ ।ମାଆଙ୍କ ଅସୁସ୍ଥତା ସହ ବିଭିନ୍ନ କାରଣ ଦର୍ଶାଇ ଏକାଧିକ ଥର ପାରୋଲରେ ବାହାରୁଛନ୍ତି । ଗତବର୍ଷ ରହିମଙ୍କୁ ତିନି ଥର ପାରୋଲ ପ୍ରଦାନ କରାଯାଇଥିଲା। ବିଭିନ୍ନ ପ୍ରକାର କାରଣ ଦର୍ଶାଇ ସେ ବାରମ୍ବାର ପାରୋଲ ଆବେଦନ କରୁଛନ୍ତି ଏବଂ ତାଙ୍କୁ ଅନୁମତି ମଧ୍ୟ ମିଳିଯାଉଛି।
୨୦୧୭ରେ ରାମ ରହିମଙ୍କୁ ଦୁଇଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୧୯ରେ ତାଙ୍କ କର୍ମଚାରୀ ରଞ୍ଜିତ ସିଂଙ୍କ ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ବ୍ୟତୀତ ୨୦୨୧ରେ ଡେରା ମୁଖ୍ୟଙ୍କୁ ସାମ୍ବାଦିକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।
Comments are closed.