Latest Odisha News

ଆଦିବାସୀ ଘରୁ ସମ୍ଭ୍ରାନ୍ତ ଡ୍ରଇଁ ରୁମ୍; ଦେଶବିଦେଶରେ ଚମକୁଛି ଲାଉ ତୁମ୍ବାର କଳାକୃତି

  • ଆଦିବାସୀଙ୍କୁ ମିଳିଛି ବିକଳ୍ପ ରୋଜଗାରର ସୁଯୋଗ

  • ଅବିଭକ୍ତ କୋରାପୁଟରୁ ମେଟ୍ରୋସହରରେ ଲାଉତୁମ୍ବା

ରାୟଗଡ଼ା( ମୋନାଲିସା ରଥ): ଆଦିବାସୀ ଘରେ ଲାଉତୁମ୍ବା ଖାଲି ଜିନିଷ ରଖିବାର ସାମଗ୍ରୀ ଭାବେ ବ୍ୟବହୃତ ହେଉଥିଲା; ନହେଲେ ଆଦିବାସୀ ମହିଳା ପୁରୁଷ ଖାଦ୍ୟପାନୀୟ ନେଇ କାମକୁ ଯାଉଥିଲେ। କାହା ନଜରକୁ ବିଶେଷ ଆସୁ ନ ଥିବା ଏହି ଜିନିଷଟି ଧୀରେଧୀରେ ପ୍ଲାଷ୍ଟିକ ଆଉ ଧାତବ ଯୁଗରେ ହଜିଯାଉଥିଲା। ତେବେ ଏହାକୁ ନୂଆ ରୂପ ଦେଇ ବଜାରକରଣର ଉଦ୍ୟମ ଆରମ୍ଭ ହୋଇଛି। ଆଦିବାସୀ ଘରୁ ଦେଶ ବିଦେଶର ଅନେକ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଡ୍ରଇଁ ରୁମରେ ଶୋଭା ବଢ଼ାଉଛି। ରାୟଗଡା ସହରର ବିଶିଷ୍ଠ ଶିଳ୍ପୀ ହିମାଂଶୁ ଶେଖର ପାଣ୍ଡିଆ ଏବେ ଲାଉତୁମ୍ବାକୁ ନୂଆ ରୂପ ଦେଇଛନ୍ତି। ଅନେକ ପ୍ରକାରର କଳାକୃତି ପ୍ରସ୍ତୁତ କରି ସିଧା ବିଶ୍ଵବଜାରକୁ ପଠାଇଛନ୍ତି। ଗାଁରେ ରହୁଥିବା ଆଦିବାସୀଲୋକମାନେ ବି ଏଥିରୁ ରୋଜଗାର ପାଉଛନ୍ତି। ବମ୍ବେ ଜେଜେ ସ୍କୁଲ ଅଫ୍ ଫାଇନ୍ ଆର୍ଟର ଛାତ୍ର ହିମାଂଶୁଙ୍କ ଚର୍ଚ୍ଚା ଏବେ ଚାରିଆଡ଼େ।

ଏହି ପ୍ରଜାତିର ଲାଉ ଖାଇବା ଯୋଗ୍ୟନୁହେଁ। ଏହାକୁ ସଫା କରି ଆଦିବାସୀମାନେ ଖାଦ୍ୟପାନୀୟ ପରିବହନର ମାଧ୍ୟମ ଭାବେ ବ୍ୟବହାର କରୁଥିଲେ। ଏଥିରେ ପୋକଜୋକ ଲାଗୁ ନ ଥିବାରୁ ଏଥିରେ ବିହନ ମଧ୍ୟ ସଂରକ୍ଷଣ କରୁଥିଲେ। ଏଥିରୁ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟଯନ୍ତ୍ର ମଧ୍ୟ ପ୍ରସ୍ତୁତ ହେଉଥିଲା। ହୁଏତ ଆଦିବାସୀଙ୍କ ବହୁଳ ବ୍ୟବହୃତ ପ୍ରକୃତି ଦତ୍ତ ଏହି ଲାଉତୁମ୍ବା  ଭବିଷତର ଯୁବ  ପିଢ଼ି ପାଇଁ ପାଲଟି ଯାଇଥାନ୍ତା ଇତିହାସର ପୃଷ୍ଠା। ଏବେ ତ ଲାଉତୁମ୍ବାରୁ ତିଆରି କଳାକୃତିର ଚାହିଦା କେତେ କଣ। ଦେଖିବା ଲୋକ ବି ଘଡିଏ ଠିଆ ହୋଇ ଏସବୁକୁ ଦେଖିବାକୁ ଚାହିଁବ। ସବୁ କିଣିନେବା ଭଳି ଦ୍ଵନ୍ଦ୍ଵରେ ପଡ଼ିଯିବ ଦେଖଣାହାରୀ। ଯାହା ବି ହେଉ ହିମାଂଶୁଙ୍କ ଉଦ୍ୟମରେ ଏବେ ନୂଆ ରଙ୍ଗ ଦେଇଛି ଲାଉତୁମ୍ବାରେ।

ମାଲକାନଗିରି,କୋରାପୁଟ , ନବରଙ୍ଗପୁର ଓ ରାୟଗଡା ଜିଲ୍ଲାର ବିଭିନ୍ନ ଆଦିବାସୀ ଅଞ୍ଚଳରେ ବହୁଳ ପରିମାଣରେ ଜଙ୍ଗଲରେ ଦେଖାଯାଇଥାଏ ।  ଲାଉର ଆକାର ଦେଖି ଆଦିବାସୀଙ୍କ ଠାରୁ  କିଣିବାକୁ ପଡିଥାଏ । ପରେ  ଏହି କଳା ପାଇଁ ତାଲିମ ନେଉଥିବା ଆଦିବାସୀ ଯୁବତୀ  ମାନେ ଉକ୍ତ ଲାଉ ତୁମ୍ବାକୁ ପାଣିରେ ସଫା କରିବା ସହ ଶୁଖାଇଥାନ୍ତି । ଏହାପରେ ବାଲି କାଗଜରେ ଲାଉ ତୁମ୍ବାକୁ ସଫା କରାଯାଇ ବିଭିନ୍ନ କଳାକୃତିର ଚିତ୍ର ଅଙ୍କାଯାଇ ପରେ  କଟାଯାଇଥାଏ । ଗୁରୁତ୍ବପୂର୍ଣ୍ଣ କଥା ହେଲା ଲାଉର ଆକାରକୁ ଦେଖି ହିଁ ବିଭିନ୍ନ ସାମଗ୍ରୀ ତିଆରି କରାଯାଇଥାଏ । ବର୍ତ୍ତମାନ ଏହି ଶିଳ୍ପୀ ମାନେ  ଲାଉ ତୁମ୍ବାରେ ବିଭିନ୍ନ ଫୁଲ ସହ ପଶୁପକ୍ଷୀ, ୱାଲ୍ ଡେକରେସନ୍, ଲେମ୍ପ୍, ମୂର୍ତ୍ତୀ ତିଆରି କରିପାରିଛନ୍ତି । ସବୁଠାରୁ ବଡ କଥା ଲାଉ ତୁମ୍ବାରେ ତିଆରି କଳାକୃତୀ ଦୀର୍ଘସ୍ଥାୟୀ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଏପ୍ରକାର କଳାକୃତି ଦେଶରେ ଆଉ କେଉଁଠି ଦେଖିବାକୁ ମିଳିବନାହିଁ ବୋଲି ହିମାଂଶୁ କହିଛନ୍ତି। ଖାସ୍ ସେଥିପାଇଁ ଦିଲ୍ଲୀ, କୋଲିକତା, ବମ୍ବେ, ବେଙ୍ଗାଳୁରୁରେ ଏହାର ବେଶ୍ ଚାହିଦା ରହିଛି। ଜଙ୍ଗଲୀ ଅଞ୍ଚଳରେ ପଚିସଢ଼ି ନଷ୍ଟ ହେଉଥିବା ଏହି ଲାଉ ଏବେ ଆଦିବାସୀମାନଙ୍କୁ ରୋଜଗାର ଦେଇଛି। ଆଗକୁ ଓଡ଼ିଶାର କଳାକୃତି ତାଲିକାରେ ଏଭଳି ବିରଳ କଳା ସାମିଲ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

Comments are closed.