Latest Odisha News

ଏମ୍‌ସରେ ବିରଳ ଅସ୍ତ୍ରୋପଚାର : ପଙ୍ଗୁପ୍ରାୟ ମହିଳାଙ୍କୁ ଦେଲା ନୂଆ ଜୀବନ

ଭୁବନେଶ୍ୱର: ଏମସ୍‌ରେ ବିରଳ ଅସ୍ତ୍ରୋପ୍ରଚାର । ଜଣେ ପଙ୍ଗୁପ୍ରାୟ ମହିଳାଙ୍କର ଏକକାଳୀନ ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିରେ ସଫଳ ପ୍ରତିରୋପଣ କରିଛନ୍ତି ଡ଼ାକ୍ତରୀଦଳ । ଏଭଳି ବିରଳ ଅସ୍ତ୍ରୋପଚାର ସର୍ବଭାରତୀୟସ୍ତରରେ ଦ୍ୱିତୀୟ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ପ୍ରତିରୋପଣ ବୋଲି କୁହାଯାଉଛି ।

କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକର ୩୭ ବର୍ଷିୀୟା ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହୋଇଥିଲେ । ବାରମ୍ବାର ଚିକିତ୍ସା ସତ୍ତ୍ୱେ ସୁଫଳ ମିଳୁ ନ ଥିବାରୁ ଗତ କିଛି ମାସ ଧରି ସେ ଏକ ପ୍ରକାର ପଙ୍ଗୁ ଅବସ୍ଥାରେ ଜୀବନ କାଟୁଥିଲେ । ଆଦୌ ଚାଲି ପାରୁ ନ ଥିବା ମହିଳା ଜଣକ ଗୁରୁଣ୍ଡି ଗୁରୁଣ୍ଡି ଚାଲୁଥିଲେ । କାହାର ବିନା ସହାୟତାରେ ତାଙ୍କ ପାଇଁ ଛିଡ଼ା ହେବା ମଧ୍ୟ ସମ୍ଭବ ହେଉ ନ ଥିଲା । ଉକ୍ତ ମହିଳା ଜଣକ ଭୁବନେଶ୍ୱର ଏମ୍‌ସର ଅସ୍ଥିଶଲ୍ୟ ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ । ତାଙ୍କର ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିର ପ୍ରତିରୋପଣ ଆବଶ୍ୟକ ଥିବା ପରୀକ୍ଷା ନିରୀକ୍ଷା ପରେ ସ୍ପଷ୍ଟ ହୋଇଥିଲା ଓ ଅସ୍ଥିଶଲ୍ୟ ଡ଼ାକ୍ତରମାନେ ତୁରନ୍ତ ଅସ୍ତ୍ରୋପଚାର ପାଇଁ ମତ ରଖିଥିଲେ । ତେବେ ଭିନ୍ନ ଭାବେ ନୁହେଁ ବରଂ ଦୁଇ ଆଣ୍ଠୁ ଓ ଦୁଇ ନିତମ୍ବ ଗଣ୍ଠିର ପ୍ରତିରୋପଣ ଏକକାଳୀନ କରାଯିବାର ଆବଶ୍ୟକତା ମନେ କଲେ ଡ଼ାକ୍ତରୀ ଟିମ୍ । ଏପରି ବିରଳ ପ୍ରତିରୋପଣ ନିମନ୍ତେ ଡ଼ାକ୍ତରୀ ଦଳ ପ୍ରଥମେ ମହିଳାଙ୍କର ଦୁଇ ନିତମ୍ବ ଗଣ୍ଠିର ପ୍ରତିରୋପଣ କରିଥିଲେ । ପରେ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରାଯାଇଥିଲା । ଏହି ଅସ୍ତ୍ରୋପଚାର କରିବାକୁ ଡ଼ାକ୍ତର ଟିମ୍‌କୁ ପ୍ରାୟ ୩ ଘଣ୍ଟା ସମୟ ଲାଗିଥିଲା । ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଦୁଇଦିନ ଧରି ଆଇସିୟୁରେ ରଖାଯାଇଥିଲା । ମହିଳାଙ୍କ ଯନ୍ତ୍ରଣା ଦୂର ହେବା ପରେ ତୃତୀୟ ଦିନରେ ଚାଲିବା ଆରମ୍ଭ କରିଛନ୍ତି, ଯାହାକୁ ନେଇ ଚିକିତ୍ସା କରିଥିବା ଡ଼ାକ୍ତରୀଟିମ୍‌କୁ ଖୁବ୍ ଉତ୍ସାହିତ । ଅସ୍ଥିଶଲ୍ୟ ବିଭାଗର ଡ଼. ସୁଜିତ୍ କୁମାର ତ୍ରିପାଠୀ ଏବଂ ଡ଼. ମଣ୍ଟୁ ଜୈନଙ୍କ ନେତୃତ୍ୱରେ ଏକ ଯୁବ ଓ ଦକ୍ଷ ଡ଼ାକ୍ତରୀ ଦଳ ଏହି ବିରଳ ଅସ୍ତ୍ରୋପଚାରକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ । ଡ଼. ଶ୍ରୀତମ ସ୍ୱରୂପ ଜେନା ନିଶ୍ଚେତକ ବିଭାଗର ନେତୃତ୍ୱ ନେଇଥିବା ବେଳେ ଡ଼.ସ୍ୱାଗତା ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ରୋଗୀଙ୍କୁ ଆଇସିୟୁ ସୁବିଧା ଯୋଗାଇ ଦିଆଯାଇଥିଲା । ।
ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଡ଼. ଆଶୁତୋଷ ବିଶ୍ୱାସ ପ୍ରତିରୋପଣ ହୋଇଥିବା ମହିଳାଙ୍କୁ ଭେଟିବା ସହିତ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏଭଳି ଜଟିଳ ମାମଲା ସଫଳତାର ସହିତ ପରିଚାଳନା କରି ରୋଗୀଙ୍କୁ ପୁନର୍ବାର ଚାଲିବାର ସୁଯୋଗ ଦେଇଥିବାରୁ ଡ଼ାକ୍ତରୀ ଦଳକୁ ଡ଼. ବିଶ୍ୱାସ ଅଭିନନ୍ଦନ ଜଣାଇଛନ୍ତି । ଏପରି ପ୍ରତିରୋପଣ ଜଣେ ବ୍ୟକ୍ତିର ଜୀବନଚର୍ଯୀରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି । ତେଣୁ ଏପରି ସଫଳତା ପାଇଁ ଡ଼ାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ଏମ୍‌ସ ଭୁବନେଶ୍ୱର ମେଡ଼ିକାଲ ଅଧୀକ୍ଷକ ଡ଼. ଦିଲ୍ଲୀପ କୁମାର ପରିଡ଼ା ।
ଉଲ୍ଲେ୍‌୍‌ଖଯୋଗ୍ୟ ଯେ, ଏକକାଳୀନ ଏପରି ଚାରିଟି ପ୍ରତିରୋପଣ ପୂର୍ବରୁ ଏମ୍‌ସ ଦିଲ୍ଲୀରେ ଜଣେ ଓଡ଼ିଆ ରୋଗୀଙ୍କର ହୋଇଥିଲା ।

Comments are closed.