Latest Odisha News

BREAKING NEWS

କୁକ୍, ଡ୍ରାଇଭର, କେୟାର ଟେକର; ସମସ୍ତଙ୍କୁ ସମ୍ପତ୍ତିରେ ଭାଗ ଦେଇଛନ୍ତି ରତନ ଟାଟା… 

ନୂଆଦିଲ୍ଲୀ: ଅକ୍ଟୋବର ୨୦୨୪ରେ ଦୁନିଆରୁ ବିଦାୟ ନେଇଥିବା ରତନ ଟାଟାଙ୍କ ଇଚ୍ଛାପତ୍ର ପ୍ରକାଶ ପାଇଛି। ରତନ ଟାଟା ତାଙ୍କର ୩୮୦୦ କୋଟି ଟଙ୍କାର ସମ୍ପତ୍ତିରେ ଜୀବନର କୌଣସି ନା କୌଣସି ପର୍ଯ୍ୟାୟରେ ତାଙ୍କ ସହିତ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛିକିଛି ଭାଗ ଦେଇଛନ୍ତି।

ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କର ଯତ୍ନ ନେଇଥିବା ରୋଷେୟା, ଡ୍ରାଇଭର, କେୟାରଟେକର ଏବଂ କାର କ୍ଲିନରଙ୍କୁ ମଧ୍ୟ ସମ୍ପତ୍ତିରେ ଭାଗ ଦେଇଛନ୍ତି। ରତନ ଟାଟା ତାଙ୍କ ଘର ଏବଂ ଅଫିସ କର୍ମଚାରୀଙ୍କ ପାଇଁ ତାଙ୍କ ଇଚ୍ଛାପତ୍ରରେ ୩ କୋଟି ଟଙ୍କାରୁ ଅଧିକ ଛାଡି ଯାଇଛନ୍ତି।

ରତନ ଟାଟା ତାଙ୍କର ୩,୮୦୦ କୋଟି ଟଙ୍କାର ସମ୍ପତ୍ତିର ଏକ ପ୍ରମୁଖ ଅଂଶ ରତନ ଟାଟା ଏଣ୍ଡାଉମେଣ୍ଟ ଫାଉଣ୍ଡେସନ ଏବଂ ରତନ ଟାଟା ଏଣ୍ଡାଉମେଣ୍ଟ ଟ୍ରଷ୍ଟକୁ ଦାନ କରିଛନ୍ତି। ଇଚ୍ଛାପତ୍ରରେ ନିର୍ଦ୍ଦିଷ୍ଟ ଭାବରେ କିଛି ଦୀର୍ଘକାଳୀନ ସେବକଙ୍କ ବିଷୟରେ ଉଲ୍ଲେଖ କରାଯାଇଥିବା ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ରତନ ଟାଟା ତାଙ୍କର ଦୀର୍ଘକାଳୀନ ରୋଷେୟା ରାଜନ ଶଙ୍କୁ ୧ କୋଟି ଟଙ୍କାରୁ ଅଧିକ ଦେଇଛନ୍ତି, ଯେଉଁଥିରେ ୫୧ ଲକ୍ଷ ଟଙ୍କାର ଋଣ ଛାଡ ମଧ୍ୟ ଅନ୍ତର୍ଭୁକ୍ତ। ବଟଲର୍ ସୁବାୟା କୋନାରଙ୍କୁ ୩୬ ଲକ୍ଷ ଟଙ୍କାର ଋଣ ଛାଡ ସମେତ ୬୬ ଲକ୍ଷ ଟଙ୍କା ଦେଇଛନ୍ତି। ସେହିପରି ସେକ୍ରେଟାରୀ ଡେଲନାଜ୍ ଗିଲଡରଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯିବ। ସେ ଆହୁରି ମଧ୍ଯ ଲେଖିଛନ୍ତି ଯେ ତାଙ୍କ ପୋଷାକ ଏକ ଏନଜିଓକୁ ଦାନ କରାଯାଉ, ଯାହା ଦ୍ଵାରା ସେଗୁଡ଼ିକୁ ଅସହାୟ ଲୋକଙ୍କ କାମରେ ଆସିପାରିବ। ତେବେ ସେଥିରେ ବ୍ରୁକ୍ସ ବ୍ରଦର୍ସ ସାର୍ଟ, ହର୍ମସ୍ ଟାଇ, ପୋଲୋ, ଡାକ୍ସ ଏବଂ ବ୍ରିଓନି ସୁଟ୍ ଭଳି ବ୍ରାଣ୍ଡର ସୁଟ୍ ରହିଛି।

ଏହା ବ୍ୟତୀତ ସେ ତାଙ୍କର କାର୍ଯ୍ୟନିର୍ବାହୀ ସହାୟକ ଶାନ୍ତନୁ ନାଇଡୁଙ୍କ ୧ କୋଟି ଟଙ୍କାର ଋଣ ମଧ୍ୟ ଛାଡ଼ କରିଥିଲେ। କର୍ଣ୍ଣେଲ ବିଶ୍ୱବିଦ୍ୟାଳୟ ରେ ଏମବିଏ ପଢ଼ିବା ପାଇଁ ଶାନ୍ତନୁ ଏହି ଋଣ ନେଇଥିଲେ। ସେହିପରି ତାଙ୍କ ପଡ଼ୋଶୀ ତଥା ଡ୍ରାଇଭର ରାଜୁ ଲିଓନଙ୍କ ୧୮ ଲକ୍ଷ ଟଙ୍କାର ଋଣ ମଧ୍ୟ ଛାଡ଼ କରିଥିଲେ। ରତନ ଟାଟା ନିଜ ଇଚ୍ଛାପତ୍ରରେ କହିଥିଲେ, ‘ମୁଁ ମୋର କାର୍ଯ୍ୟନିର୍ବାହୀମାନଙ୍କୁ ନିର୍ଦ୍ଦେଶ ଦେଉଛି ଯେ ସେମାନେ ଶ, କୋନାର ଏବଂ ରାଜୁ ଲିଓନଙ୍କଠାରୁ ଋଣ ଆଦାୟ ପାଇଁ କୌଣସି ପଦକ୍ଷେପ ନେବେ ନାହିଁ।’

ପଶୁପକ୍ଷୀଙ୍କୁ ଭଲ ପାଉଥିବା ରତନ ଟାଟା ନିଜ ପୋଷା କୁକୁର ଟିଟୋକୁ ମଧ୍ଯ ଭୁଲି ନାହାଁନ୍ତି। ଏହି ଜର୍ମାନ ସେଫର୍ଡ କୁକୁର ପାଇଁ ୧୨ ଲକ୍ଷ ଟଙ୍କା ରଖିଯାଇଛନ୍ତି। ଯାହା ମଧ୍ୟରୁ ପ୍ରତି ତ୍ରୈମାସିକରେ ୩୦,୦୦୦ ଟଙ୍କା ଦିଆଯିବ। ତେବେ ଟିଟୋର ଦେଖାଶୁଣା ତାଙ୍କ ରୋଷେୟା ରାଜନ ଶ କରିବେ ବୋଲି ରତନ ଇଚ୍ଛା ପ୍ରକାଶ କରିଥିଲେ।

Comments are closed.