ପହଁଚିଲା ବେଳକୁ ପାଖାପାଖି ୧୧ ବାଜି ସାରିଥାଏ। ସ୍କୁଲରେ ପହଁଚିବା ପୂର୍ବରୁ ମୁଁ ଭାଇକୁ ଗୋଟେ ଗଳି ରେ ଯିବାପାଇଁ କହିଲି। ଗଳିର ଶେଷକୁ ଗୋଟେ ଜଗନ୍ନାଥ ମନ୍ଦିର। ମନ୍ଦିର ବେଢ଼ା ଭିତରକୁ ଗଲୁ। କିନ୍ତୁ ଯେତେବେଳେ ଦର୍ଶନ କରିବାକୁ ମନ୍ଦିର ଭିତରକୁ ଯିବାକୁ ପଡ଼ିଲା ସେତେବେଳେ ଭାଇ ଆଉ ଭିତରକୁ ଗଲାନି। ମନା କଲା। କହିଲା “ତୁ ଯା, ମୁଁ ଯିବିନି।” ଏକ ଛୋଟିଆ ଦ୍ଵନ୍ଦ ଭିତରେ ମୁଁ ମନ୍ଦିର ଭିତରକୁ ଗଲି ଆଉ ଦର୍ଶନ କଲି। ପୁଝାରୀ ନନା କଦଳୀ ଭୋଗ ହାତକୁ ମୋର ବଢ଼େଇ ଦେଲେ। ଏତିକି ବେଳେ ମୁଁ ତାଙ୍କୁ ପଚାରିଲି ଯେ ଆମେ ଦ୍ବିପ୍ରହରରେ ପ୍ରସାଦ ପାଇ ପାରିବୁ କି ନାହିଁ !ସେ ମନା କରିଦେଲେ, କହିଲେ ଯେ ଆପଣମାନେ ବହୁତ ବିଳମ୍ବରେ ଆସି ପହଁଚି କହୁଛନ୍ତି, ଆମେ ଆଗରୁ ହିସାବ କରି ଚାଉଳ ପକେଇ ଦେଇଛୁ ତେଣୁ ଆପଣଙ୍କୁ ପ୍ରସାଦ ମିଳିବ ନାହିଁ। ତା ପରେ ମୁଁ ବାହାରକୁ ଆସି ଭାଇକୁ ଭୋଗ ଦେଲି। ୟା ଭିତରେ ମୋର ମନେ ପଡ଼ିଗଲା ଭାଇ କଣ ପାଇଁ ମନ୍ଦିର ଭିତରକୁ ଯାଇ ନ ଥିଲା। କିଛି ଦିନ ତଳେ ଆମର ଭୀଷଣ ଯୁକ୍ତି ହେଇଥିଲା। ଆଉ ତା ଭିତରକୁ ଟାଣି ହେଇ ଆସିଥିଲେ ମହାପ୍ରଭୁ ଜଗନ୍ନାଥ। ଭାଇ ମତେ କହିଲା କି ମୁଁ ଅବିଶ୍ୱାସୀ ଟା; ଜଗନ୍ନାଥଙ୍କ ନାଁ ନେଇ ମଧ୍ୟ କଥା ରଖୁନି ଇତ୍ୟାଦି ଇତ୍ୟାଦି। ତେଣୁ ସେହି ଅଭିମାନରେ ଭାଇ ମନ୍ଦିର ଭିତରକୁ ଯାଇ ନ ଥିଲା।
ତା ପରେ ଆମେ ବାହାରିଲୁ ସ୍କୁଲ ଦେଖି। ସେଇ ନବୋଦୟ ବିଦ୍ୟାଳୟ ଯେଉଁଠି ମୁଁ ଶିକ୍ଷକତା କରୁଥିଲି। ସେଠି ପହଞ୍ଚିବାର କିଛି ସମୟପରେ ମୁଁ ଦେଖିଲି ଯେ ମୋ ଚଷମା ଟି ( ହଁ ତାକୁ କଣ ସନଗ୍ଲାସେସ ଆଉ ସେଡ୍ସ କହୁଛନ୍ତି ମ) ମୋ ଜାମା ରେ ନାହିଁ। ଭାଇକୁ ପଚାରିଲି। ଭାଇ କହିଲା ମନ୍ଦିରରେ ଛାଡ଼ିଥିବୁ। ମତେ ବି ସେଇଆ ଲାଗିଲା।ତା ପରେ ଆମେ ସ୍କୁଲ ବୁଲି ଦେଖିଲୁ। ମୋ ଚାକିରୀ ସମୟରେ ବିଷମକଟକ ରେ ଥିବା ସ୍କୁଲ କ୍ୟାମ୍ପସ ଏବେ ଥେରୁବାଲିକୁ ଉଠି ଯାଇଛି; ମୁଁ ସ୍କୁଲ ଛାଡ଼ିବାର ୬ ମାସ ଭିତରେ। ସେ ପିଲା ନ ଥିଲେ କି ସେ ସହକର୍ମୀମାନେ ନ ଥିଲେ କିନ୍ତୁ ଥିଲା ସେଠି ଜଳଜଳ ମେଞ୍ଚାଏ ସ୍ମୃତି। ଭଙ୍ଗା ଶ୍ରେଣୀଗୃହରୁ ସତେ ଯେମିତି ଶୁଭୁଥିଲା ପିଲାମାନଙ୍କର କୋଳାହଳ ଆଉ ନୂଆକରି ଜଏନ କରିଥିବା ଗୋଟେ ଇଂରାଜୀ ଶିକ୍ଷକର କୋମଳ ତାଗିଦ। ବଏଜ ହଷ୍ଟେଲ ନୀଳଗିରି ହାଉସର ଗୋଟେ କୋଣରେ ମୁଁ ଦେଖି ପାରୁଥିଲି ସେଇ ସହଳ ଶୋଇବାକୁ ପସନ୍ଦ କରୁଥିବା ଇଂଲିସ ସାରଙ୍କୁ ଯିଏ ରାତି ଅଧରେ ପିଲାଙ୍କୁ ଜଗି ରହୁଥିଲା ଯେମିତିକି ସେମାନେ ନ ଠକି ପଢ଼ିବେ, ତା ପର ଦିନ ଥିବା ଆସେମ୍ବଲି କୁ ଭଲ ସେ ପ୍ରସ୍ତୁତ ହେଇକି ଯିବେ। (ବେଳେବେଳେ ମୁଁ ସେମାନଙ୍କୁ କେତେ ମଜଳିଆ ଭିଡ଼ିଓ ଦେଖେଇଛି ଆଉ ସେମାନଙ୍କ ସହିତ ହସିଛି)।
ତା ପରେ ବସିଲୁ ପ୍ରସାଦ ପାଇବା ପାଇଁ। ନନା ଆଣି ଖେଚୁଡ଼ି ପରଷି ଦେଲେ। ଭାଇ ପଚାରିଲା, “ଡାଲମା ନାହିଁ?” ସେ ମନା କରିଥିଲେ। ସେ ଭାବୁଥିଲା ବିନା ଡାଲମା ରେ କେମିତି ଖେଚୁଡ଼ି ଖାଇବୁ! ମୁଁ କହିଲି ନାଇଁ ସେମିତି ଖାଇଦେବା। ତା ପରେ ଆମେ ଖାଇବା ଆରମ୍ଭ କଲୁ। କେଡ଼େ ସୁନ୍ଦର ସେ ଖେଚୁଡ଼ି!କି ଅପୂର୍ବ ବାସ୍ନା ତାର! ଏମିତି ଖେଚୁଡ଼ି ତା ପୂର୍ବରୁ ଆଉ ଥରେ ଖାଇଥିଲି। ସେଇଟା ପୁଣି ସେଇ ଜଗା ପାଖରେ। ଗୁଣ୍ଡିଚା ମନ୍ଦିରରେ। ମୋର ମନେ ଅଛି ମୁଁ ଭାଇକୁ କହିଥିଲି ଯେ ସବୁ ଖେଚୁଡ଼ି ମୁଁ ଖାଇବି ବୋଲି। ଖାଲି ଖେଚୁଡ଼ି ଆମେ ଦୁହେଁ ଖୁସିରେ ଖୁସିରେ ଖାଇ ଯାଉଥିଲୁ। କିଛି ସମୟ ପରେ ନନା ଆସି ପଚାରୁଛନ୍ତି, “ଆଉ ଖେଚୁଡ଼ି ଆଣି ଦେବି କି?” ବଡ଼ ଆଶ୍ଚର୍ଯ୍ୟ କଥା! ଇଏ ସେଇ ଲୋକଟି ଯିଏ ମତେ ମନା କରିଥିଲା ପ୍ରସାଦ ଆମ ପାଇଁ ହେଇ ପାରିବନି ବୋଲି। ମନ ଆଗରେ ନାଚି ଉଠୁଥିଲା କାଳିଆ ର ସେଇ କଳା କଳା ଆଖି ଦୁଇଟି। କେଡ଼େ ଲୀଳାମୟ ସେ। ସାମାନ୍ୟ ଗୋଟେ ଚଷମା କୁ ଲୁଚେଇକି ସିଏ ଏତେ କଥା କଲା। ଭାଇକୁ ମନ୍ଦିର ଭିତରକୁ ନେଲା। ଆମକୁ ଖୁଆଇ ପିଆଇ ଛାଡ଼ିଲା। ନାଇଁ, ଛାଡ଼ିଲାନି। ଶୁଣନ୍ତୁ। ଖାଇଲାବେଳେ ମୁଁ ଭାବୁଥିଲି ଯେ ମତେ ଟିକେ ହାଲିଆ ଲାଗୁଥିଲା; ଖାଇ ସାରିକି ଟିକେ ଆରାମ କରିକି ଗଲେ ହୁଅନ୍ତାନି! ଆଉ ଜାଣିଛନ୍ତି ଖାଇ ସାରିଲା ପରେ କଣ ହେଲା? ମେଘମାଳ ଓଲହେଇ ଆସିଥିଲେ ସେଇ ଛୋଟିଆ ସହର ଉପରକୁ ଆଉ ଘଣ୍ଟାଏ କାଳ ବର୍ଷା ଢାଳିଥିଲା। ସେଇ ମନ୍ଦିରରେ ହିଁ ଆମେ ଦୁହେଁ ବିଶ୍ରାମ କରିଥିଲୁ। ତା ପରେ ବାହାରିଲୁ ଏମିତି ଗୋଟେ ଜାଗା ଯେଉଁଟା ଭାଇ ଜାଣି ନ ଥାଏ। ଭାଇ ପଚାରୁଥାଏ କୋଉଠି, କୋଉଠି ଆଉ ତା ଭିତରେ ମୁଁ ତାକୁ ନେଇ ପହଞ୍ଚାଇଦିଏ ଚାଟିକୋଣା ଶିବ ମନ୍ଦିର ପାଖରେ।
Comments are closed.