Latest Odisha News

BREAKING NEWS

ଶ୍ରୀବାଣୀ କ୍ଷେତ୍ର କିସ୍‌ରେ ଗଡ଼ିଲା ତିନିରଥ : ମହିଳା ଟାଣିନେଲେ ସୁଭଦ୍ରାଙ୍କ ଦର୍ପଦଳନ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀବାଣୀ କ୍ଷେତ୍ର ଭାବେ ପରିଚିତ କିସ୍ ପରିସରରେ ଆୟୋଜିତ ହୋଇଛି ପବିତ୍ର ରଥଯାତ୍ରା ଉତ୍ସବ । ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତି ଓ ଆନନ୍ଦ ଉତ୍ସାହ ଭିତରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟରେ ତିନିଠାକୁରଙ୍କ ମଙ୍ଗଳାଆରତୀ, ମଇଲମ, ରୋଷହମ, ଅବକାଶ ଓ ସୂର୍ଯ୍ୟପୂଜା ଆଦି ରୀତିନୀତି କରାଯାଇଥିଲା । ପରେ ପରେ ରଥ ଉପରେ ବିଜେ କରିଥିଲେ ତିନିଠାକୁର । କିଟ୍‌-କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତିନି ରଥ ଉପରେ ଛେରା ପହଁରା କରିଥିଲେ । ଅପରାହ୍ନ ପ୍ରାୟ ସାଢେ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା ।

ପ୍ରଥମେ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦେବୀ ସୁଭଦ୍ରାଙ୍କର ରଥକୁ କେବଳ ମହିଳା ଶ୍ରଦ୍ଧାଳୁ ମାନେ ଟାଣି ଟାଣି ନେଇଥିବା ଦେଖିବାକୁ ମିଳିଥିଲା । କିଟ୍‌-ଶିଖରଚଣ୍ଡି ରୋଡ଼ରେ ନୂଆକରି ନିର୍ମିତ ହୋଇଥିବା ଗୁଣ୍ଡିଚା ମନ୍ଦିର ନିକଟକୁ ଟଣା ଯାଇଥିଲା ତିନି ରଥ । ପ୍ରବଳ ଖରା ଓ ଗୁଳୁଗୁଳିସତ୍ତ୍ୱେ ପ୍ରାୟ ୪୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ପୂରା ପରିବେଶ ଜୟ ଜଗନ୍ନାଥ ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା । ପୁରୀ ଶ୍ରୀ ମନ୍ଦିର ଢାଞ୍ଚାରେ ସମ୍ପୂର୍ଣ୍ଣ ଭାବରେ ଏହି ରଥ ଯାତ୍ରା ଉତ୍ସବର ଆୟୋଜନ କରାଯାଇଥିଲା । ରଥ ନିର୍ମାଣ ସମୟଠାରୁ ଆରମ୍ଭ କରି ପୁରୀ ଶ୍ରୀମନ୍ଦିରରେ ପାଳନ ହେଉଥିବା ନିୟମ ଅନୁସାରେ ରଥ ନିର୍ମାଣର ପ୍ରଥା ଓ ପରମ୍ପରା ଅନୁପାଳନ କରାଯାଇଥିଲା । ନବଦିନାତ୍ମକ ଏହି ଉତ୍ସବର ପ୍ରତିସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ଭଜନ ସମାରୋହ ଆୟୋଜିତ ହେବ । ଏହାସହିତ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.